କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଆସି ସାରିଲାଣି। ଏଥିରେ ଜନତା ଏଥର ପରିବର୍ତ୍ତନର ମୋହର ଲଗାଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଲଗା କଥା କହୁଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଦିଦି ଇସ୍ତଫା ଦେବେନି ବୋଲି ସଫାସଫା କହିଛନ୍ତି। ତାଙ୍କ ତର୍କ ହେଉଛି ସେ ହାରି ନାହାନ୍ତି, ତାଙ୍କୁ ଷଡ଼ଯନ୍ତ୍ର କରି ହରାଇ ଦିଆଯାଇଛି। ମମତାଙ୍କ ଅଭିଯୋଗ ହେଉଛି ତାଙ୍କର ୧୦୦ ସିଟ୍ ଛଡାଇ ନିଆଯାଇଛି। ହେଲେ ଏବେ ପ୍ରଶ୍ନ ଉଠୁଛି ଗଣତନ୍ତ୍ରରେ କ’ଣ ଏହା ସମ୍ଭବ, କେହି ମୁଖ୍ୟମନ୍ତ୍ରୀ ହାରିବା ପରେ ରାଜଭବନ ଯିବାକୁ ମନା କରିବେ? ଯଦି ଏପରି ହୁଏ ତେବେ ଆମ ଦେଶର ସମ୍ବିଧାନ ଓ ଆଇନ କ‘ଣ କହୁଛି ଆସନ୍ତୁ ଜାଣିବା..

ଚୌକି ଛାଡିବାକୁ ମନା କରିବା ନୂଆ କଥା ନୁହେଁ
ଇତିହାସର ପୃଷ୍ଠା ଓଲଟାଇଲେ ଆମ ସାମ୍ନାକୁ ଏମିତି ଅନେକ ରାଜନେତା ଆସିବେ ଯେଉଁମାନେ ନିର୍ବାଚନ ହାରିବା ପରେ ପରାଜୟ ସ୍ୱୀକାର କରିବା ବଦଳେ ସିଷ୍ଟମ ବିରୋଧରେ ଲଢିବାକୁ ଶ୍ରେୟଷ୍କର ମଣିଛନ୍ତି। ଶେଷରେ ଚୌକି ଓ ଆଇନର ଲଢେଇରେ କାହାର ହୋଇଛି ଜିତ୍ ଆସନ୍ତୁ ଜାଣିବା। ଭାରତୀୟ ରାଜନୈତିକ ଇତିହାସରେ ସବୁଠୁ ବଡ଼ ଓ ଚର୍ଚ୍ଚିତ ଉଦାହରଣ ହେଉଛି ୧୯୭୫ ମସିହାର ଜରୁରିକାଳୀନ ପରିସ୍ଥିତି। ଆହ୍ଲାବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧିଙ୍କ ନିର୍ବାଚନକୁ ଅଶିଦ୍ଧ ଘୋଷଣା କରିଥିଲେ। ନିୟମ ଦୃଷ୍ଟିରୁ ଇନ୍ଦିରା ସେହି କ୍ଷଣି ଇସ୍ତଫା ଦେବାର ଥିଲା। ହେଲେ ସେ ଏପରି ନ କରି ଦେଶ ଉପରେ ଜରୁରିକାଳୀନ ପରିସ୍ଥିତି ଲଦି ଦେଇଥିଲେ। ଏଥିରେ ଇନ୍ଦିରାଙ୍କ ତର୍କ ଥିଲା ଦେଶରେ ଅନ୍ତରୀଣ ଅଶାନ୍ତି ଉପୁଜିଛି ଓ ସେ ଶାସନରେ ରହିବା ଜରୁରି। ଏହି ଘଟଣାର ୨ ବର୍ଷ ପରେ ଦେଶରେ ସାଧାରଣ ନିର୍ବାଚନ ହୋଇଥିଲା। ଏଥିରେ ଇନ୍ଦିରା ଓ ତାଙ୍କ ପାର୍ଟିର ଶୋଚନୀୟ ପରାଜୟ ହୋଇଥିଲା।

୪୮ ଘଣ୍ଟାର ମୁଖ୍ୟମନ୍ତ୍ରୀ ହୋଇଥିଲେ ଜଗଦମ୍ବିକା ପାଲ
ଉତ୍ତରପ୍ରଦେଶ ରାଜନୀତିରେ ବି ଏମିତି ଘଟଣା ଘଟିଥିଲା। ତତ୍କାଳୀନ ରାଜ୍ୟପାଳ ରମେଶ ଭଣ୍ଡାରୀ ରାତାରାତ କଲ୍ୟାଣ ସିଂହ ସରକାରକୁ ବରଖାସ୍ତ କରିଦେଇଥିଲେ ଓ ଜଗଦମ୍ବିକା ପାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ସପଥ ପାଠ କରାଇ ଦେଇଥିଲେ। ଏ ସବୁ ଘଟଣା ଏତେ ଶୀଘ୍ର ହୋଇଥିଲେ ଯେ କେହି ଜାଣିବାକୁ ମଧ୍ୟ ପାଇ ନଥିଲେ। ହେଲେ ଅସଲ ଖେଳ ସେତେବେଳେ ଆରମ୍ଭ ହେଲେ ଯେତେବେଳେ ଜଗଦମ୍ବିକା ପାଲଙ୍କୁ ସମର୍ଥନ କରୁଥିବା ବିଧାୟକ ଅଚାନକ କଲ୍ୟାଣ ସିଂହଙ୍କ ସରକାରକୁ ସମର୍ଥନ କଲେ। ଏହି ଘଟଣା ପରେ ବି ଜଗଦମ୍ବିକା ପାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ମନା କରିଦେଇଥିଲେ। ସେ କହିଥିଲେ ଯେ ତାଙ୍କୁ ଅ ସାମ୍ବିଧାନିକ ଭାବେ ହଟା ଯାଉଛି।

ଗୋଟିଏପଟେ କଲ୍ୟାଣ ସିଂହ ମୁଖ୍ୟମନ୍ତ୍ରୀ ଥିବା ବେଳେ ଅନ୍ୟପଟେ ଜଗଦମ୍ବିକା ପାଲ ଶପଥ ନେଇ ମୁଖ୍ୟମନ୍ତ୍ରୀ ହେବା ପରେ ପଦ ଛାଡିବାକୁ ରାଜି ନଥିଲେ। ଫଳରେ ମାମଲା ଆହ୍ଲାବାଦ ହାଇକୋର୍ଟକୁ ପହଞ୍ଚିଥିଲା ଓ ଦିଲ୍ଲୀ ସୁପ୍ରିମକୋର୍ଟଙ୍କ ଆଗରେ ମାମଲା ରଖା ଯାଇଥିଲା। ଏ ନେଇ ସେତେବେଳେ କୋର୍ଟ ଯାହା ରାୟ ଦେଇଥିଲେ ତାହା ଆଜି ବି ଉଦାହରଣ ହୋଇ ରହିଛି। ଫଳରେ ଜଗଦମ୍ବିକା ପାଲଙ୍କୁ ୪୮ ଘଣ୍ଟାରେ ଇସ୍ତଫା ଦେବାକୁ ପଡିଥିଲା। ସେ ତାହା ବି କରିବାକୁ ରାଜି ହେଉନଥିଲେ।

ଇନ୍ଦିରା ଓ ମମତାଙ୍କ ମାମଲା ସମାନ
ମମତା ବାନାର୍ଜୀ ନିର୍ବାଚନ ଫଳାଫଳ ଆସିବା ପରେ ଆଜି ଯାହା କରୁଛନ୍ତି ତାହା ୧୯୭୫ ରେ ଇନ୍ଦିରାଙ୍କ ମାନସିକତା ଭଳି ଲାଗୁଛି। ଏଥିରେ ନେତା ଭାବୁଛନ୍ତି ସେ ନିଜେ ‘ରାଜ୍ୟ’। ହେଲେ ୧୯୭୫ ଓ ୨୦୨୬ ସମୟ ମଧ୍ୟରେ ଆକାଶ ପାତାଳ ଫରକ ଆସି ଯାଇଛି। ଆଜି ସୋସିଆଲ ମିଡିଆ ଅଛି, ସତର୍କ ନ୍ୟାୟପାଳିକା ଅଛନ୍ତି ଏହା ଛଡା ସକ୍ରିୟ ନିର୍ବାଚନ ଆୟୋଗ ମଧ୍ୟ ରହିଛି। ଏଥିରେ ଯଦି କୌଣସି ମୁଖ୍ୟମନ୍ତ୍ରୀ ଏହା ଭାବନ୍ତି ଯେ ସେ ରାଜଭାବନକୁ ଟାଳିଯିବେ, ତେବେ ଏହା ତାଙ୍କର ରାଜନୈତିକ ଆତ୍ମହତ୍ୟା ଭଳି ହେବ।