ତେହେରାନ,୧୦|୦୬:ଇରାନର ଧମକ ଏବଂ ଆକ୍ରମଣ ସତ୍ତ୍ୱେ ଇସ୍ରାଏଲ୍ ନିଜ ଜିଦରେ ଅଟଳ ରହି ଦକ୍ଷିଣ ଲେବାନନ ଉପରେ ପୁନର୍ବାର ଆକ୍ରମଣ କରିଛି। ସଦ୍ୟ ଘଟଣାରେ ଲେବାନନର ତଟବର୍ତ୍ତୀ ଟୟର ସହରରେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ୮ ଜଣ ପ୍ରାଣ ହରାଇଛନ୍ତି। ଅନେକ ଆହତ ହୋଇଛନ୍ତି।

ଏହା ପୂର୍ବରୁ ଇସ୍ରାଏଲୀ ସେନା ସହରବାସୀଙ୍କୁ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା। ହିଜବୁଲାକୁ ଟାର୍ଗେଟ୍ କରାଯାଇ ଏହି ଆକ୍ରମଣ ହୋଇଛି। ଲେବାନନର ସିଭିଲ ଡିଫେନ୍ସ ସିଭିଲ ଏଜେନ୍ସି କହିଛି, ଆକ୍ରମଣରେ ଟାୟର ସହରର ଏକ ଲୋକପ୍ରିୟ ଜନବସତି ଅଞ୍ଚଳ ପ୍ରଭାବିତ ହୋଇଛି।

ପ୍ରାଥମିକ ସୂଚନା ଅନୁସାରେ, ଅତିକମରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ସଂଖ୍ୟାକୁ ନେଇ ରିପୋର୍ଟ ଜାରି ହୋଇନାହିଁ । ଦକ୍ଷିଣ ଲେବାନନରେ ଇସ୍ରାଏଲର ଆକ୍ରମଣ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଟାୟର ଏବଂ ଆଖପାଖ ଅଞ୍ଚଳରେ ଅନେକ ବାର ଆକ୍ରମଣ ଯୋଗୁ ବହୁ ସଂଖ୍ୟାରେ ଲୋକ ବିସ୍ଥାପିତ ହୋଇଛନ୍ତି। ଏଠାରେ ଏବେ ଗଣପଳାୟନ ଦେଖିବାକୁ ମିଳିଛି।

ଯୁଦ୍ଧବିରତିର ତମାମ ଉଦ୍ୟମ ସତ୍ତ୍ବେ ଇସ୍ରାଏଲ ଏବଂ ହିଜବୁଲା ମଧ୍ୟରେ ବିବାଦ ଲାଗିରହିଛି। ସେପଟେ ଇରାନ ନିଜ ପୁରୁଣା ସହଯୋଗୀ ଲେବାନନ ଏବଂ ହିଜବୁଲାକୁ ସମର୍ଥନ ଜଣାଇ ଇସ୍ରାଏଲକୁ ପୁଣି କଡ଼ା ବାର୍ଭା ଦେଇଛି। କହିଛି, ଲେବାନନ ଉପରେ ଆକ୍ରମଣ ଜାରି ରହିଲେ ସାଙ୍ଘାତିକ ଜବାବ ଦିଆଯିବ। ଏହାର ସଦ୍ୟ ପ୍ରଭାବ ବିଶ୍ଵବାସୀ ଦେଖିଥିବେ। ଏହାଠାରୁ ଆହୁରି ପ୍ରଚଣ୍ଡ ଆକ୍ରମଣ କରିବାକୁ ସେନା ପ୍ରସ୍ତୁତ ।

ଉଲ୍ଲେଖଯୋଗ୍ୟ, ଲେବାନନ ଉପରେ ଆକ୍ରମଣକୁ ବିରୋଧ କରି ଇରାନ ରବିବାର ବିଳମ୍ବିତ ରାତ୍ରିରେ ଇସ୍ରାଏଲ୍ ଉପରେ ୩୦ଟି ବାଲିଷ୍ଟିକ୍ ମିସାଇଲ ମାଡ଼ କରିଥିଲା। ଏହାପରେ ଇସ୍ରାଏଲ୍ ମଧ୍ୟ ଜବାବ ଦେଇଥିଲା। ଫଳରେ ମଧ୍ୟପ୍ରାଚ୍ୟ ପୁଣି ଅଶାନ୍ତ ହୋଇପଡ଼ିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅପିଲ୍ କରିବା ପରେ ଦୁଇ ଦେଶ ଯୁଦ୍ଧ ବନ୍ଦ କରିଥିଲେ ।