• ସମୁଦ୍ର ତଳେ ବିଛା ଯାଇଥିବା ଇଣ୍ଟରନେଟ କେବୁଲ ଉପରେ ଏବେ ଆକ୍ରମଣ ହୋଇପାରେ
  • ଏବେ ଯୁଦ୍ଧ ଡାଟା ୱାରରେ ରୂପାନ୍ତରିତ ହେଉଥିବା ଦେଖା ଯାଉଛି
  • ହର୍ମୁଜ ଷ୍ଟ୍ରେଟ୍ କେବଳ ବିଶ୍ୱର ତୈଳ ମାର୍ଗ ନୁହେଁ ବରଂ ଏହା ଡିଜିଟାଲ ଜଗତର ଏକ ବଡ଼ ଚୋକପଏଣ୍ଟ ମଧ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଉତ୍ତେଜନା ଏବେ ଥମିବାର ନାଁ ନେଉନି। ଏହି ଉତ୍ତେଜନା ଏବେ ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ବଢିବାରେ ଲାଗିଛି। ତାଜା ସୂଚନା ଅନୁସାରେ ଏବେ ଏହି ଯୁଦ୍ଧ ଏକ ନୂଆ ମୋଡ଼ରେ ପହଞ୍ଚି ଯାଇଛି ଯାହା ବାସ୍ତବିକ ଡରାଇବା ଭଳି ପରିସ୍ଥିତି ସୃଷ୍ଟି କରିଛି। ଇରାନ ସମ୍ପର୍କିତ ମିଡିଆ ଓ ସୁରକ୍ଷା ଏଜେନ୍ସୀ ଇସାରା କରିଛନ୍ତି ଯେ ସମୁଦ୍ର ତଳେ ବିଛା ଯାଇଥିବା ଇଣ୍ଟରନେଟ କେବୁଲ ଉପରେ ଏବେ ଆକ୍ରମଣ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ଏହା ସେହି କେବୁଲ ଯେଉଁଥିରେ ସାରା ବିଶ୍ୱର ଇଣ୍ଟରନେଟ୍ ଚାଲୁଛି।

ଏପର୍ଯ୍ୟନ୍ତ ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ତୈଳ , ଜାହାଜ ଓ ମିଜାଇଲ ପର୍ଯ୍ୟନ୍ତ ସୀମିତ ଥିଲା। ହେଲେ ଏବେ ଯୁଦ୍ଧ ଡାଟା ୱାରରେ ରୂପାନ୍ତରିତ ହେଉଥିବା ଦେଖା ଯାଉଛି। ରିପୋର୍ଟ ଅନୁସାରେ ଇରାନର ରିଭଲ୍ୟୁସାନାରୀ ଗାର୍ଡ କର୍ପ (ଆଇଆରଜିସି) ସମ୍ପର୍କିତ ମିଡିଆ ପର୍ସିୟାନ ଗଲଫ ଓ ହର୍ମୁଜ ତଳେ ଥିବା କେବୁଲ ନେଟୱାର୍କକୁ ହାଇଲାଇଟ କରିଛି। ଏହାର ଅର୍ଥ ହେଉଛି ଇରାନର ପରବର୍ତ୍ତି ଟାର୍ଗେଟ୍ ଅଣ୍ଡର ସି କେବୁଲ ହୋଇପାରେ ଓ ଏହି ଭିତ୍ତିଭୂମି ବିପଦରେ ପଡିପାରେ।

ହର୍ମୁଜ କାହିଁକି ଗୁରୁତ୍ୱପୂର୍ଣ୍ଣ?
ହର୍ମୁଜ ଷ୍ଟ୍ରେଟ୍ କେବଳ ବିଶ୍ୱର ତୈଳ ମାର୍ଗ ନୁହେଁ ବରଂ ଏହା ଡିଜିଟାଲ ଜଗତର ଏକ ବଡ଼ ଚୋକପଏଣ୍ଟ ମଧ୍ୟ। ଏହି ରାସ୍ତା ଦେଇ ଅନେକ ଇଣ୍ଟରନ୍ୟାସନାଲ ଫାଇବର ଅପ୍ଟିକ୍ କେବୁଲସ୍ ଯାଇଛି ଯାହା ଏସିୟା, ୟୁରୋପ ଓ ମିଡଲଇଷ୍ଟକୁ ସଂଯୁକ୍ତ କରୁଛି। ଯଦି ଏଠାରେ କୌଣସି ପ୍ରକାରର ଅସୁବିଧା ହୁଏ ତେବେ ଏହାର ପ୍ରଭାବ କୌଣସି ଗୋଟିଏ ଦେଶ ନୁହେଁ ବରଂ ସାରା ବିଶ୍ୱର ଇଣ୍ଟରନେଟ୍ କନେକ୍ଟିଭିଟି ଉପରେ ପଡିବ।

କେତେ କେବୁଲ ବିଛା ଯାଇଛି?
ରେଡ ସି ଓ ହର୍ମୁଜ ଆଖପାଖରେ ୧୨ରୁ ଅଧିକ ସବମେରିନ କେବୁଲ ରହିଛି। କେବଳ ରେଡ ସି ଦେଇ ୧୫ରୁ ୨୦ଟି କେବୁଲ ଯାଇଛି। ଏହି ସବୁ କେବୁଲ ମିସି ଏସିୟା, ୟୁରୋପ ଓ ଆଫ୍ରିକା ଡାଟା ଟ୍ରାଫିକର ଏକ ବଡ଼ ଅଂଶକୁ ମ୍ୟାନେଜ କରନ୍ତି। କିଛି ରିପୋର୍ଟସ ଅନୁସାରେ ବିଶ୍ୱର ୯୫%ରୁ ଅଧିକ ଇଣ୍ଟରନେଟ୍ ଡାଟା ଏହି ଅଣ୍ଡର ସି କେବୁଲ ଯୋଗୁ ଚାଲୁଛି। ଏଥିରେ ଯଦି ଏବେ ଗୋଟିଏ କି ଦୁଇଟି କେବୁଲ କଟି ଯାଏ ଏହାର ସୀମିତ ପ୍ରଭାବ ପଡିପାରେ, ହେଲେ ଯଦି ଏକ ସାଙ୍ଗରେ ଅନେକ କେବୁଲ କ୍ଷତିଗ୍ରସ୍ତ ହୁଏ ତେବେ ଇଣ୍ଟରନେଟ୍ ର ବେଗ ଧିମେଇ ଯାଇପାରେ। ୱେବସାଇଟ୍ ଡାଉନ ହୋଇପାରେ ଓ ବ୍ୟାଙ୍କିଙ୍ଗ, କ୍ଲାଉଡ ଏବଂ ଡିଜିଟାଲ ସର୍ଭିସେସ୍ ଉପରେ ପ୍ରଭାବ ପଡିପାରେ।

ଭାରତକୁ ବି ହୋଇପାରେ ବିପଦ
ଭାରତ ମଧ୍ୟ ଏହି ମାମଲାରେ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ। ଭାରତର ପାଖାପାଖି ୬୦% ଇଣ୍ଟରନେଟ୍ ଟ୍ରାଫିକ ପଶ୍ଚିମ ପଟ ଅର୍ଥାତ ମଧ୍ୟପ୍ରାଚ୍ୟ ଓ ୟୁରୋପ ଯାଉଥିବା କେବୁଲ ଦେଇ ଯାଇଥାଏ। ଏହାର ଅର୍ଥ ହେଉଛି ହର୍ମୁଜ ଅଥବା ରେଡ ସିରେ କେବୁଲ କ୍ଷତିଗ୍ରସ୍ତ ହେଲେ ଭାରତରେ ମଧ୍ୟ ଇଣ୍ଟରନେଟ୍ ବେଗ୍ ଧିମେଇ ଯାଇ ପାରେ। ଖାସ କରି ଇଣ୍ଟରନ୍ୟାସନାଲ ୱେବସାଇଟ୍, କ୍ଲାଉଡ ସର୍ଭିସେସ ଓ ଅନଲାଇନ ପେମେଣ୍ଟ ସିଷ୍ଟମ ଉପରେ ଏହାର ପ୍ରଭାବ ପଡିପାରେ। ତେବେ ଭାରତ ପାଖରେ ଏକ ଅନ୍ୟ ବିକଳ୍ପ ମଧ୍ୟ ଅଛି, ଯାହା ପୂର୍ବ ପଟକୁ ସିଙ୍ଗାପୁର ଓ ପେସିଫିକ ରାସ୍ତାରେ ଯାଉଛି। ହେଲେ ଏହା ସମ୍ପୂର୍ଣ୍ଣ ବ୍ୟାକଅପ ହୋଇ ପାରିବ ନାହିଁ।

କେବୁଲ କଟିଗଲେ କଣ ହେବ?
ଯଦି କୌଣସି ପରିସ୍ଥିତିରେ କେବୁଲ କଟି ଯାଏ ତେବେ ଏହାର ସର୍ବ ପ୍ରଥମ ପ୍ରଭାବ ଇଣ୍ଟରନେଟ୍ ଉପରେ ପଡିବ। ଏହା ପରେ ଧିରେ ଧିରେ ବଡ଼ ପ୍ଲାଟଫର୍ମରେ ମଧ୍ୟ ଏହାର ପ୍ରଭାବ ଦେଖା ଯିବ। ବ୍ୟାଙ୍କିଙ୍ଗ ଟ୍ରାଞ୍ଜାକ୍ସନ, ୟୁପିଆଇ, କ୍ଲାଉଡ ସର୍ଭିସେସ୍, ଭିଡିଓ ଷ୍ଟ୍ରିମିଂ ଓ ଇଣ୍ଟରନ୍ୟାସନାଲ କଲିଂ ପ୍ରଭାବିତ ହୋଇ ପାରେ। ଏଥିରେ ଯଦି କ୍ଷୟକ୍ଷତି ଅଧିକ ହୁଏ ମରାମତି ଟିମ୍ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ନ ପାରନ୍ତି ତେବେ ସମସ୍ୟା ଅନେକ ସପ୍ତାହ ଓ ମାସ ଧରି ରହିପାରେ।

କେବଳ ଧମକ ନା ଅସଲି ବିପଦ?
ବିଶେଷଜ୍ଞଙ୍କ କହିବା କଥା ହେଉଛି ଏହା କେବଳ ସିଧା ଧମକ ନୁହେଁ ବରଂ ଏକ ରଣନୈତିକ ସଂକେତ ମଧ୍ୟ। ଯଦି ଏହି ଯୁଦ୍ଧର ସମୟ ଦୀର୍ଘ ହୁଏ ତେବେ ଡିଜିଟାଲ ଇନଫ୍ରାଷ୍ଟ୍ରକ୍ଚର ମଧ୍ୟ ଟାର୍ଗେଟ୍ ହୋଇପାରେ। ତେବେ ସବୁଠୁ ବଡ଼ କଥା ଯାହା ତାହା ହେଉଛି ଯଦି ଇରାନ ଏଭଳି କୌଣସି କାଣ୍ଡ କରେ ଏଥିରୁ ସେ ମଧ୍ୟ ନିଜେ ବାଦ ଯିବନି। ଇରାନର ଇଣ୍ଟରନେଟ୍ ମଧ୍ୟ ପ୍ରଭାବିତ ହେବା ସହ ସାରା ବିଶ୍ୱରୁ ଏକଘରକିଆ ହୋଇଯିବ।