ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁସାରେ ବାହରୀନରେ ଥିବା ଆମେରିକୀୟ କମ୍ପାନୀ ଆମାଜନର ଡାଟା ସେଣ୍ଟର ଉପରେ ଇରାନ ଆକ୍ରମଣ କରିଛି। ଏଥିରେ କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ଟେକ୍ ଇନଫ୍ରାଷ୍ଟ୍ରକ୍ଚର ପ୍ରଭାବିତ ହୋଇଛି। ଇରାନ ଆମାଜନର ୱେବ ସର୍ଭିସ (ଏଡବ୍ଲୁଏସ) ଡାଟା ସେଣ୍ଟର ଉପରେ ଆକ୍ରମଣ କରିଛି। ତେବେ ଏହି ସେଣ୍ଟର ଉପରେ ସିଧାସଳଖ ଆକ୍ରମଣ ହୋଇ ନାହିଁ। ବରଂ ଆଖପାଖରେ ହୋଇଥିବା ଡ୍ରୋନ ଓ ମିଜାଇଲ ଆକ୍ରମଣ ଯୋଗୁ ଏହା ପ୍ରଭାବିତ ହୋଇଛି।

ଏଥିରେ ଡାଟା ସେଣ୍ଟରର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ତେବେ ଏ ନେଇ ଆମାଜନ ପକ୍ଷରୁ ଏପର୍ଯ୍ୟନ୍ତ ଅଧିକାରୀକ ବିବରଣୀ ପ୍ରଦାନ କରାଯାଇନି। ହେଲେ ଏହା ପୂର୍ବରୁ ମଧ୍ୟ କମ୍ପାନୀ ଏହି କ୍ଷେତ୍ରରେ ଥିବା ତାର ଡାଟା ସେଣ୍ଟର ଉପରେ ଡ୍ରୋନ ଆକ୍ରମଣ ହୋଇଥିବା ଅଭିଯୋଗ କରିଥିଲା। ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ତୀବ୍ର ବଢିବାରେ ଲାଗିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଏବେ ଯୁଦ୍ଧ କେବଳ ସ୍ଥଳ ଓ ଆକାଶରେ ନାହିଁ ଡିଜିଟାଲ ଓ ଟେକ୍ନୋଲଜି ଇନଫ୍ରାଷ୍ଟ୍ରକ୍ଚର ମଧ୍ୟ ଟାର୍ଗେଟ ହେବାରେ ଲାଗିଲାଣି।

ତେବେ ଇରାନ ଖୋଲାଖୋଲି ଆମେରିକୀୟ କମ୍ପାନୀ ମେଟା, ଗୁଗଲ, ଆପଲ ଓ ମାଇକ୍ରୋସଫ୍ଟ ଭଳି କମ୍ପାନୀଙ୍କ ଉପରେ ଆକ୍ରମଣ କରିବ ବୋଲି ଧମକ ଦେଇଛି। ମାର୍ଚ୍ଚ ୨୦୨୬ ପ୍ରାରମ୍ଭରେ ୟୁଏଇ ଓ ବାହରୀନରେ ଥିବା ଆମାଜନର ଡାଟା ସେଣ୍ଟରକୁ ଇରାନ ଟାର୍ଗେଟ କରିଥିଲା। ଫଳରେ କେତେକ ଅନଲାଇନ ସେବା ପ୍ରଭାବିତ ହୋଇଥିଲା। ଡାଟା ସେଣ୍ଟର ଆଜିକା ସମୟରେ କୌଣସି ଦେଶର ଡିଜିଟାଲ ମେରୁଦଣ୍ଡ ସଦୃଷ। ଏହା ଉପରେ ଆକ୍ରମଣ କରାଯିବା ଅର୍ଥାତ ବ୍ୟାଙ୍କିଙ୍ଗ, ଇ-କମର୍ସ, ସରକାରୀ ସେବା ଓ ଏପରିକି ସାମରିକ କମ୍ୟୁନିକେସନ ମଧ୍ୟ ପ୍ରଭାବିତ ହେବ।

ଇରାନ ଏହା ବି ସଂକେତ ଦେଇଛି ଯେ ସେ ଆମେରିକା ଟେକ୍ କମ୍ପାନୀଙ୍କୁ ଶତ୍ରୁର ଭିତ୍ତିଭୂମି ମନେ କରୁଛି। ଏଣୁ ସେ ସବୁକୁ ଟାର୍ଗେଟ କରିବ। ଇରାନର ଏହି ଆକ୍ରମଣ ପରେ ସମ୍ପୂର୍ଣ୍ଣ ଗଲ୍ଫ ଏବେ ଚିନ୍ତାରେ ପଡି ଯାଇଛି। ବାହରୀନ, ୟୁଏଇ ଓ ଅନ୍ୟ ଦେଶରେ ଥିବା ଡାଟା ସେଣ୍ଟର ଏବେ ହାଇ ଆଲର୍ଟରେ ଅଛନ୍ତି। ଟେକ୍ କମ୍ପାନୀମାନେ ମଧ୍ୟ ନିଜ ସିଷ୍ଟମ ସୁରକ୍ଷା ପାଇଁ ବ୍ୟାକଅପ ଓ ବିକଳ୍ପ ସର୍ଭର ଲୋକେସନ ଉପରେ କାମ କରୁଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଆଗାମୀ ସମୟରେ ଯୁଦ୍ଧର ସ୍ୱରୂପ ସମ୍ପୂର୍ଣ୍ଣ ବଦଳିଯିବ।