ନୂଆଦିଲ୍ଲୀ, ୧୭ /୦୩:ମୋଜତବା ଖାମେନିଙ୍କୁ ନେଇ ନୂଆ କଥା । କିଏ କହୁଛି ସେ ମୃତ । ଆଉ କିଏ କହୁଛି ଋଷରେ ଚାଲିଛି ତାଙ୍କର ଚିକିତ୍ସା । ଗୋଡ କଟାଯାଇଛି । ଲିଭରରେ ଆଘାତ ଲାଗିଛି । ନାନା ଆଲୋଚନା ଭିତରେ ସାମ୍ନାକୁ ଆସିଛି ସତ । ନିଜ ବିଷୟରେ ପ୍ରକାଶ ପାଇଥିବା ଅନେକ ଖବର ଭିତରେ ବୟାନ ଦେଇଛନ୍ତି ଜୁନିଅର ଖାମେନି ।

ମୋଜତବା ସୋମବାର ଏକ ବୟାନ ଜାରି କରିଛନ୍ତି । ଏଥିରେ ସେ କହୁଛନ୍ତି ଯେ, ପିତାଙ୍କ ମୃତ୍ୟୁ ପୂର୍ବରୁ ଇରାନ ସରକାରରେ ନୂଆ ନୂଆ ନିଯୁକ୍ତି ହୋଇଥିଲା । ଏହି ସବୁ ନିଯୁକ୍ତି ବଳବତ୍ତର ରହିଛି । ଯେଉଁମାନଙ୍କୁ ପଦ ମିଳିଥିଲା ଏବେବି ସେମାନେ ସେହି ପଦ ପଦବୀରେ ରହିଥିବା ଖାମେନି କହିଛନ୍ତି । ତେବେ ଭିଡିଓରେ ନିଜେ ସେ ବୟାନ ଦେଇନଥିଲେ ମଧ୍ୟ ଇରାନର ସରକାରୀ ଗଣମାଧ୍ୟମ ଏହା ପ୍ରକାଶ କରିଛି । ଆହୁରି ମଧ୍ୟ ନିଜେ ମୋଜତବା ଜେନେରାଲ ମୋହସିନ୍ ରେଜାଇଙ୍କୁ ସୈନ୍ୟ ପରାମର୍ଶଦାତା ନିଯୁକ୍ତ କରିଛନ୍ତି । ସେ ମଧ୍ୟ ପୂର୍ବ ଭଳି ପଦ ସମ୍ଭାଳିବେ । ମୋଜତବା ଋଷ ପଳାଇଥିବା ଦାବି ମଧ୍ୟରେ ଏହି ବୟାନ ଜାରି ହୋଇଛି ।

ଏହି ଖବରଟି ପଢନ୍ତୁ... Mojtaba Khamenei: ରୁଷ୍‌କୁ ଏୟାରଲିଫ୍ଟ ହେଲେ ଇରାନର ନୂଆ ସୁପ୍ରିମ୍ ଲିଡର, ପୁଟିନଙ୍କ ମହଲରେ ହେଲା ସର୍ଜରୀ !

ପ୍ରଥମେ କ'ଣ କହିଥିଲେ ମୋଜତବା ?

ପିତା ଆୟତୁଲ୍ଲାହ ଖାମେନିଙ୍କ ମୃତ୍ୟୁ ପରେ ମୋଜତବାଙ୍କୁ ଇରାନର ସର୍ବୋଚ୍ଚ ନେତା ପଦ ମିଳିଥିଲା । ଏହାପରଠୁ ସେ ଗଣମାଧ୍ୟମରେ ସାମ୍ନାକୁ ଆସି ନାହାଁନ୍ତି । କେବଳ ବିବୃତ୍ତି ରଖୁଛନ୍ତି । ଯାହାକୁ ସେଠାକାର ସରକାରୀ ମିଡିଆ ପ୍ରସାରଣ କରୁଛି । ଯାହା ପରେ ଅନେକ ବ୍ୟକ୍ତି ଜୁନିଅର ଖାମେନିଙ୍କ ଏକ ଗୋଡ କଟାଯାଇଥିବା କହୁଛନ୍ତି ।

ସାଇପ୍ରସରେ ଅବସ୍ଥାପିତ ଇରାନ ରାଷ୍ଟ୍ରଦୂତ ଆଲିରେଜା ସାଲାରିଆନ୍ କହିଛନ୍ତି ଯେ, ମୋଜତବାଙ୍କ ଗୋଡରେ ଆଘାତ ଲାଗିଛି । କାନ୍ଧ ମଧ୍ୟ ଠିକ୍ ନାହିଁ । ଦି ସନ୍ ନିକଟରେ ସେ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କହିଥିଲା । ଯାହା ପରେ ଇରାନ ସରକାର ଖାମେନିଙ୍କ ପ୍ରଥମ ବୟାନ ଜାରି କରିଥିଲେ । ଯାହାକୁ ବିବିସି ଏଆଇ ଦ୍ୱାରା ତିଆରି କରାଯାଇଥିବା କହିଥିଲା । କୁଏତର ଏକ ଖବର କାଗଜ ମୋଜତବା ଋଷ ପଳାୟନ କରିଥିବା ଦାବି କରିଛି ।

ମାର୍ଚ୍ଚ ୧୨ ତାରିଖରେ ଜାରି ହୋଇଥିବା ବିବୃତ୍ତିରେ ମୋଜତବା କହିଥିଲେ ଯେ, ପିତା ଆୟତୁଲ୍ଲା ଖାମେନିଙ୍କ ମୃତ୍ୟୁ ବିଫଳ ଯିବନି । ଏହାସହ ଇରାନବାସୀଙ୍କ ବଳିଦାନକୁ ସେ ସମ୍ମାନ ଜଣାଇଥିଲେ ।

ଏବେ କେଉଁଠି ଅଛନ୍ତି ମୋଜତବା ?

ଇରାନ ବୈଦେଶିକ ମନ୍ତ୍ରୀ ଆବାସ୍ ଆରାଘଚି କହିଛନ୍ତି ଯେ, ମୋଜତବାଙ୍କର କୌଣସି ଅସୁବିଧା ହୋଇନାହିଁ । କିନ୍ତୁ ଗତ ଦୁଇଦିନ ତଳେ ସେ ଋଷିଆରେ ଥିବା ଖବର ଆସିଥିଲା । ଆଉ ଏକ ରିପୋର୍ଟରେ ସେ ତେହେରାନର ଏକ ସିକ୍ରେଟ୍ ବଙ୍କରରେ ଥିବା କୁହାଯାଉଛି । ତେବେ ସେ କ୍ୟାମେରା ସାମ୍ନାକୁ ନ ଆସୁଥିବାରୁ ତାଙ୍କୁ ନେଇ ଆହୁରି ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଛି ।