ନୂଆଦିଲ୍ଲୀ: କୁଏତର ଉତ୍ତର ପ୍ରାନ୍ତରେ ଥିବା ଏକ ଚୀନ୍ କମ୍ପାନୀର କାର୍ଯ୍ୟାଳୟ ଉପରେ ଇରାନ ପକ୍ଷରୁ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି। କୁଏତ ପ୍ରତିରକ୍ଷା ମନ୍ତ୍ରଣାଳୟର ସ୍ପୋକ୍ସପର୍ସନ୍ କର୍ଣ୍ଣେଲ ସୌଦ ଅବଦୁଲଅଜିଜ୍ ଅଲ-ଅତୱାନ୍ ଏହି ସୂଚନା ଦେଇଛନ୍ତି। କୁଏତ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଏହି ଆକ୍ରମଣ ପରେ ତୁରନ୍ତ ସୁରକ୍ଷା ବାହିନୀ ଏବଂ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଦକ୍ଷେପ ନେଇଥିଲେ। କୁଏତର ସଶସ୍ତ୍ର ବାହିନୀ ନିଜ ଦେଶର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ନାଗରିକଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଛି ।

ଏହି ଘଟଣା ପୂର୍ବରୁ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା କୂଟନୈତିକ ବୁଝାମଣା ପ୍ରକ୍ରିୟା ଗମ୍ଭୀର ସଙ୍କଟ ଦେଇ ଗତି କରୁଛି । ଜୋର୍ଡାନରେ ଆମେରିକୀୟ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି । ଇରାନ ଜୋର୍ଡାନରେ ଅବସ୍ଥିତ ଆମେରିକୀୟ ସୈନ୍ୟ ଘାଟିକୁ ଟାର୍ଗେଟ କରି ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଥିବା ଜଣାପଡ଼ିଛି। ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର (IRGC)ର ନୌସେନା ହର୍ମୁଜ ପ୍ରଣାଳୀରୁ ତିନୋଟି ତୈଳବାହୀ ଜାହାଜକୁ ଜବତ କରିଛି।

ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଇରାନ ସହ ଆଲୋଚନା ଜାରି ରହିଛି, ମାତ୍ର କୌଣସି ସନ୍ତୋଷଜନକ ଚୁକ୍ତି ହୋଇନପାରିଲେ ଆମେରିକା ଇରାନର ଭୂତଳ ସାମରିକ ଘାଟି, ପୋଲ ଏବଂ ବିଦ୍ୟୁତ୍ ଭିତ୍ତିଭୂମିକୁ ଟାର୍ଗେଟ କରିପାରେ।