ୱାସିଂଟନ: ଯୁଦ୍ଧରେ ଆମେରିକାର ବ୍ୟାପକ କ୍ଷୟକ୍ଷତି କରିଛି ଇରାନ ଓ ତାହାବି ନିଜର ସୀମିତ ସଂସାଧନ ବଳରେ। ନିକଟରେ ଇରାନ ଜାରି କରିଥିବା ଉପଗ୍ରହ (ସାଟେଲାଇଟ) ଚିତ୍ରରୁ ଏହି ପ୍ରମାଣ ମିଳୁଛି। ଏଣୁ ଯୁଦ୍ଧ କ୍ଷୟକ୍ଷତି ନେଇ ଆମେରିକା ଯାହା ବି ହିସାବ ଦେଉଛି ତାହା ଅନେକ ଗୁଣା ଅଧିକ ଏଥିରୁ ପ୍ରମାଣିତ ହୋଇଛି। ଏ ନେଇ ଇରାନ ୧୦୦ରୁ ଅଧିକ ଉପଗ୍ରହ ଚିତ୍ର ଜାରି କରିଛି। ଏଥିରେ ଅନୁନ୍ୟ ୧୫ଟି ଆମେରିକୀୟ ଘାଟିର ହୋଇଥିବା କ୍ଷୟକ୍ଷତି ଦେଖା ଯାଉଛି। ଏହି ସବୁ କ୍ଷୟକ୍ଷତିରେ ୨୨୮ଟି ଭବନ ଓ ଅଲଗା ଅଲଗା ପ୍ରକାରର ଉପକରଣ ରହିଛି।

ଏଣୁ ଆରମ୍ଭରେ ଆମେରିକା ଯେତିକି କ୍ଷୟକ୍ଷତି ଅନୁମାନ କରିଥିଲା ଏଥିରୁ ବହୁଗୁଣା ଅଧିକ କ୍ଷୟକ୍ଷତି ହୋଇଛି। ଏହା ପୂର୍ବରୁ ଟ୍ରମ୍ପ ପ୍ରଶାସନ ଯୁଦ୍ଧ କ୍ଷୟକ୍ଷତିକୁ ବହୁତ କମ୍ ମୂଲ୍ୟାୟନ କରିଥିଲା। ଇରାନ ଦ୍ୱାରା ନଷ୍ଟ ହୋଇଥିବା ଆମେରିକୀୟ ସମ୍ପତ୍ତିରେ ହ୍ୟାଙ୍ଗର, ସୈନ୍ୟ ବ୍ୟାରାକ, ଇନ୍ଧନ ଡିପୋ, ବିମାନ, ରାଡାର ସିଷ୍ଟମ, କମ୍ୟୁନିକେସନ ସିଷ୍ଟମ ଓ ବାୟୁ ରକ୍ଷା ପ୍ରଣାଳୀ (ଏଡିଏସ୍) ଆଦି ରହିଛି। ଏହି ଆକ୍ରମଣର ପ୍ରଭାବ ଏତେ ଜୋରଦାର ଥିଲା ଯେ ଆମେରିକୀୟ ସାମରିକ ଘାଟି ଏବେ ଆଉ କାମ କରିବା ଅବସ୍ଥାରେ ନାହାନ୍ତି। ଏଣୁ ଏ ପର୍ଯ୍ୟନ୍ତ ଯୁଦ୍ଧର ଆନୁମାନିକ ବ୍ୟୟ ୫୦ ବିଲିୟନ ଡଲାରରୁ ବି ଅଧିକ ହୋଇ ପାରେ ବୋଲି ଆକଳନ କରାଯାଉଛି।

‘ଦି ୱାସିଂଟନ ପୋଷ୍ଟ’ ଦ୍ୱାରା ଜାରି କରାଯାଇଥିବା ଉପଗ୍ରହ ଚିତ୍ରରୁ ଆମେରିକାର ହୋଇଥିବା କ୍ଷୟକ୍ଷତି ସ୍ପଷ୍ଟ ଦେଖି ହେଉଛି। ଇରାନ ସହିତ ପାଖାପାଖି ୧ ମାସ ଧରି ଜାରି ଯୁଦ୍ଧରେ ହୋଇଥିବା କ୍ଷତିକୁ ନେଇ ଏହା ଏପର୍ଯ୍ୟନ୍ତର ସବୁଠୁ ବିସ୍ତୃତ ରିପୋର୍ଟ। ଏହି ସବୁ ଛବିରେ କୌଣସି ପ୍ରକାରର ବିସଂଗତି ଅଥବା ଏଥିରେ ଏଡିଟିଂର ସଂକେତ ମିଳୁ ନାହିଁ। ଏଣୁ ଯେଉଁ ସାମରିକ ଘାଟିର ସବୁଠୁ ଅଧିକ କ୍ଷତି ହୋଇଛି ସେଥିରେ ବିଶେଷ କରି ଅଲି ଅଲ ସଲେମ ବାୟୁସେନା ଘାଟି, କ୍ୟାମ୍ପ ଆରିଫଜାନ ଓ କ୍ୟାମ୍ପ ବୁରିଂ ଆଦି ରହିଛି। ଏହା ଛଡା ମହଙ୍ଗା ପାଟ୍ରିୟଟ ମିଜାଇଲ ପ୍ରଣାଳୀ, ବିଦ୍ୟୁତ ଭିତ୍ତିଭୂମି ଓ ୫ଟି ଇନ୍ଧନ ଷ୍ଟୋରେଜ ସିଷ୍ଟମ ଉପରେ ଆକ୍ରମଣ ହୋଇଛି।

କତାରର ଅଲ-ଉଦିଦ ଏୟାରବେସ୍ ରେ ଥିବା ଏକ ସାଟେଲାଇଟ୍ ସଞ୍ଚାର କେନ୍ଦ୍ର ନଷ୍ଟ ହୋଇଯାଇଛି। ଏହି ସହିତ ଜୋର୍ଡାନ ଓ ୟୁଏଇରେ ଥାଡ ରାଡାର ସିଷ୍ଟମ ନଷ୍ଟ ହୋଇଛି। ସାଉଦୀ ଆରବର ପ୍ରିନ୍ସ ସୁଲତାନ ଏୟାରବେସ୍ ରେ ଏକ ଇ-୩ ସେଣ୍ଟ୍ରି କମାଣ୍ଡ ଓ କଣ୍ଟ୍ରୋଲ ବିମାନ ନଷ୍ଟ ହୋଇଛି। ଏହା ଛଡା ଆକାଶରେ ଫାଇଟର ଜେଟ୍ କୁ ଇନ୍ଧନ ଯୋଗାଇ ଦେଉଥିବା ଟ୍ୟାଙ୍କର ଜାହାଜ ମଧ୍ୟ ନଷ୍ଟ ହୋଇଯାଇଛି। ସେହିପରି ସନ୍ଧାନ ଅଭିଯାନ, ଫ୍ରେଣ୍ଡଲି ଫାୟାର ଘଟଣାମାନଙ୍କରେ ଆମେରିକା ୪୦ଟି ଡ୍ରୋନ ଓ ଯୁଦ୍ଧ ବିମାନ ହରାଇଛି। ଏହି କ୍ଷତିରେ ୨୪ଟି ଏମକ୍ୟୁ ୯ ରିପର ଡ୍ରୋନ ମଧ୍ୟ ରହିଛି। ଏପରି ଗୋଟିଏ ଡ୍ରୋନର ମୂଲ୍ୟ ୩୦ ମିଲିୟନ ଡଲାର।

ଏହାଛଡା ଉଚ୍ଚ ମୂଲ୍ୟର ଏମକ୍ୟୁ-୪ସି ଟ୍ରାଇଟନ ଡ୍ରୋନ ବି ନଷ୍ଟ ହୋଇଛି। ଏହି ଡ୍ରୋନର ମୂଲ୍ୟ ୨୦୦ରୁ ୨୪୦ ମିଲିୟନ ଆମେରିକୀୟ ଡଲାର। ସେହିପରି ଏପର୍ଯ୍ୟନ୍ତ ଯୁଦ୍ଧରେ ୪ଟି ଏଫ-ଇ ଷ୍ଟ୍ରାଇକ୍ ଇଗଲ ବିମାନ ମଧ୍ୟ ନଷ୍ଟ ହୋଇଛି। ଏହି ସବୁ ଉପଗ୍ରହ ଚିତ୍ରରେ ୨୦୦ରୁ ଅଧିକ ଭବନ ଉପରେ ଇରାନର ମିଜାଇଲ ଷ୍ଟ୍ରାଇକ୍ ଅତ୍ୟନ୍ତ ସଠିକ ଥିବା ଜଣାପଡିଛି। ଏତଦ୍ ବ୍ୟତୀତ ୨୮ ଫେବୃଆରୀରେ ଯୁଦ୍ଧ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୭ ଆମେରିକୀୟ ସୈନିକ ପ୍ରାଣ ହରାଇଥିବା ବେଳେ ୪୦୦ରୁ ଅଧିକ ସୈନ୍ୟ ଆହତ ହୋଇଛନ୍ତି। ଅନୁମାନ କରାଯାଉଛି ଆମେରିକୀୟ ସାମରିକ ଘାଟିରେ ଭବନଗୁଡିକୁ ପୁଣି ନିର୍ମାଣ କରିବାକୁ ଓ ଉପକରଣ ବଦଳାଇବାକୁ ୪୦ରୁ ୫୦ ବିଲିୟନ ଆମେରିକୀୟ ଡଲାର ବ୍ୟୟ ଆସିପାରେ।

ଏକାକୀ ପଞ୍ଚମ ପିଢୀର ବିମାନ ସ୍କ୍ୱାଡ୍ରନ ବାବଦକୁ ୨୦ କୋଟି ଅମେରିକୀୟ ଡଲାର ଖର୍ଚ୍ଚ ଆସିଯାଇପାରେ ବୋଲି ଆକଳନ କରାଯାଉଛି। ଏଥିରୁ ଯାହା ମନେ କରାଯାଉଛି ଆମେରିକା ସରକାରଙ୍କ ଦ୍ୱାରା ଘୋଷିତ ଯୁଦ୍ଧ ସମ୍ପର୍କିତ କ୍ଷତି ଅନୁମାନ ବାସ୍ତବିକତାରୁ କୋଷେ ଦୂରରେ। ୨୦୨୭ ବର୍ଷ ଲାଗି ପେଣ୍ଟାଗନ ୧.୫ ବିଲିୟନ ଡଲାର ବଜେଟ୍ ଅନୁରୋଧ କରିଛି। ଏହା ପିଛିଲା ବର୍ଷ ତୁଳନାରେ ୪୨% ଅଧିକ ବୃଦ୍ଧିକୁ ଦର୍ଶାଉଛି। ଏହି ଯୁଦ୍ଧ ମୋଟ ଉପରେ ଆମେରିକା ଅର୍ଥ ବ୍ୟବସ୍ଥା ଉପରେ ୬୩୦ ବିଲିୟନ ରୁ ୧୦୦୦ ବିଲିୟନ ଆମେରିକୀୟ ଡଲାର କ୍ଷତିର ବୋଝ ଲଦିଥିବା ଆଶଙ୍କା କରାଯାଉଛି।

Also Read..ଇରାନ ଆଗରେ ଆତ୍ମସମର୍ପଣ କରିଛି ଯୁକ୍ତରାଷ୍ଟ୍ର! ହେଗସେଥଙ୍କ ପ୍ରେସମିଟ୍ ରେ ଗୁରୁତର ଅଭିଯୋଗ ଆଣିଲେ ସାମ୍ବାଦିକ