ନୂଆଦିଲ୍ଲୀ: ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି (Seyyed Abbas Araghchi) ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏକ ସମ୍ବାଦିକ ସମ୍ମିଳନୀରେ ହର୍ମୁଜ ପ୍ରଣାଳୀ (Strait of Hormuz) କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ଆରାଘଚି ସ୍ପଷ୍ଟ କରିଛନ୍ତି ଯେ, ହର୍ମୁଜ ପ୍ରଣାଳୀ ସମସ୍ତ ଆନ୍ତର୍ଜାତୀୟ ଜାହାଜ ଚଳାଚଳ ପାଇଁ ଖୋଲା ରହିଛି। ବିଶ୍ୱ ବାଣିଜ୍ୟ ଏବଂ ଜାହାଜ ଚଳାଚଳରେ ବାଧା ସୃଷ୍ଟି କରିବା ଇରାନର ଲକ୍ଷ୍ୟ ନୁହେଁ । ସେ କହିଛନ୍ତି ଯେ, କେବଳ ସେହି ଦେଶର ଜାହାଜଗୁଡ଼ିକୁ ଅନୁମତି ଦିଆଯିବ ନାହିଁ, ଯେଉଁମାନେ ଇରାନ ସହିତ ‘ଯୁଦ୍ଧ’ କରୁଛନ୍ତି ଅର୍ଥାତ ଶତ୍ରୁ ଦେଶର ଜାହାଜ ପାଇଁ ଏହି ହର୍ମୁଜ ବନ୍ଦ ରହିବ।

ପଶ୍ଚିମ ଏସିଆରେ ଉତ୍ତେଜନା

ପଶ୍ଚିମ ଏସିଆରେ ବଢୁଥିବା ସାମରିକ ଉତ୍ତେଜନା ଏବଂ ଇସ୍ରାଏଲ ସହିତ ଚାଲିଥିବା ବିବାଦ ମଧ୍ୟରେ ତାଙ୍କର ଏହି ମନ୍ତବ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ହର୍ମୁଜ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ମଧ୍ୟରୁ ଗୋଟିଏ, ଯେଉଁଠାରୁ ବିଶ୍ୱର ପ୍ରାୟ ୨୦% ତୈଳ ରପ୍ତାନୀ ହୁଏ । ଏହାର ସୁରକ୍ଷାକୁ ନେଇ ବିଶ୍ୱ ବଜାରରେ ବଡ଼ ଚିନ୍ତା ପ୍ରକାଶ ପାଇଛି ।

ଆରାଘଚିଙ୍କ ନୂଆଦିଲ୍ଲୀ ଗସ୍ତ

ଇରାନ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ଏବଂ ଏହି ମନ୍ତବ୍ୟ ଦର୍ଶାଉଛି ଯେ, ଇରାନ ଭାରତ ସମେତ ଅନ୍ୟାନ୍ୟ ପ୍ରମୁଖ ଦେଶମାନଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି । ବିଶ୍ୱ ବାଣିଜ୍ୟ ମାର୍ଗ ସୁରକ୍ଷିତ ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆରାଘଚି । କିନ୍ତୁ ଏଥିସହିତ ସେ ନିଜର ଶତ୍ରୁ ଦେଶମାନଙ୍କୁ ପରୋକ୍ଷରେ ଚେତାବନୀ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ଆମେ ଅନ୍ତର୍ଜାତୀୟ ନିୟମକୁ ସମ୍ମାନ ଦେଉଛୁ, କିନ୍ତୁ ଆମ ସହ ଯୁଦ୍ଧ କରୁଥିବା ଦେଶଗୁଡ଼ିକୁ ଆମ ଜଳପଥ ବ୍ୟବହାର କରିବାକୁ ଦେବୁ ନାହିଁ।’

ଆରାଘଚି ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ପଥ ମଧ୍ୟରୁ ଗୋଟିଏ, ହର୍ମୁଜ୍ ପ୍ରଣାଳୀ ଇରାନ ଏବଂ ଓମାନ ମଧ୍ୟରେ ଅବସ୍ଥିତ ଏବଂ ସେଠାରେ କୌଣସି ଆନ୍ତର୍ଜାତୀୟ ଜଳରାଶି ନାହିଁ। ନୂଆଦିଲ୍ଲୀରେ ୧୮ ତମ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପାଇଁ ଭାରତ ଗସ୍ତ ସମୟରେ ଆରାଘଚି ଏହି ମନ୍ତବ୍ୟ ଦେଇଛନ୍ତି। ଶୁକ୍ରବାର ଦିନ ସେ ଶିଖର ସମ୍ମିଳନୀ ଅବସରରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଆଞ୍ଚଳିକ ବିକାଶ ଏବଂ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି ।