ତେହେରାନ ୮।୩: ଇରାନର ସର୍ବୋଚ୍ଚ ନେତାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ହେଲେ ନୂଆ ନେତାଙ୍କ ନାମ ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ରିପୋର୍ଟସ ଅନୁସାରେ ଦେଶର ଧାର୍ମିକ ସଂସ୍ଥା ବିଶେଷଜ୍ଞଙ୍କ ସଭା ଏହି ପଦ ଲାଗି ଜଣଙ୍କୁ ବାଛିଛନ୍ତି। ଇରାନର ସର୍ବୋଚ୍ଚ ଧାର୍ମିକ ଓ ରାଜନୈତିକ ନେତା ବାଛିବାର ଅଧିକାର ଏହି ସଂସ୍ଥାର ରହିଛି। ତେବେ ସୁରକ୍ଷା କାରଣ ଓ ଏବେକା ପରିସ୍ଥିତି ଦୃଷ୍ଟିରୁ ନେତାଙ୍କ ନାମ ଘୋଷଣା ଟାଳି ଦିଆଯାଇଛି।

କୁହାଯାଉଛି ବିଶେଷଜ୍ଞ ସଭାର ସଦସ୍ୟ ପାରସ୍ପରିକ ବିଚାରବିମର୍ଷ ପରେ ବହୁମତରେ ଜଣେ ଉପଯୁକ୍ତ ବ୍ୟକ୍ତି ଙ୍କ ନାମରେ ସହମତ ହୋଇଛନ୍ତି। ଇରାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ନିଷ୍ପତ୍ତି ଦୀର୍ଘ ସମୟ ଧରି ଜାରି ଚର୍ଚ୍ଚା ପରେ ନିଆଯାଇଛି। ନୂର ନ୍ୟୁଜ୍ ଦ୍ୱାରା ଜାରି ଏକ ଭିଡିଓରେ ବରିଷ୍ଠ ଧର୍ମଗୁରୁ ମୋହସୀନ ହାଇଦରୀ ଅଲେକାସିର ମଧ୍ୟ ଏହା ପୁଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ବିଶେଷଜ୍ଞ ସଭାର ଅଧିକାଂଶ ସଦସ୍ୟ ଜଣେ ଏପରି ବ୍ୟକ୍ତିଙ୍କୁ ବାଛିଛନ୍ତି ଯାହାଙ୍କୁ ଏହି ପଦ ନିମନ୍ତେ ସବୁଠୁ ଉପଯୁକ୍ତ ମନେ କରାଯାଏ।

ହାଇଦରୀଙ୍କ ଅନୁସାରେ ଏହି ନିଷ୍ପତ୍ତି ପୂର୍ବରୁ ନିର୍ଦ୍ଧାରିତ ଗାଇଡଲାଇନ ଅନୁସାରେ ନିଆଯାଇଛି। ସେ କହିଛନ୍ତି ଯେ ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନି ପୂର୍ବରୁ ଏହା ପରାମର୍ଶ ଦେଇଥିଲେ ଯେ ଭବିଷ୍ୟତର ନେତା ଏପରି ହେବା ଉଚିତ ଯାହାଙ୍କୁ ଇରାନର ବିରୋଧୀ ଦେଶ କଡା ବିରୋଧ କରୁଥିବେ। ସେହି ଅନୁସାରେ ସର୍ବୋଚ୍ଚ ନେତାଙ୍କୁ ଚୟନ କରାଯାଇଛି। ସେ ଏହା ବି ସଂକେତ ଦେଇଛନ୍ତି ଯେ ମନୋନୀତ ବ୍ୟକ୍ତି ଅନ୍ତର୍ଜାତୀୟ ସ୍ତରରେ ପୂର୍ବରୁ ଚିହ୍ନା ଜଣା ହୋଇ ଥାଇପାରନ୍ତି।

ଏ ନେଇ ଇସ୍ରାଏଲ ପକ୍ଷରୁ କଡ଼ା ପ୍ରତିକ୍ରିୟା ଦିଆଯାଇଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ କହିଛନ୍ତି ଯେ ଯଦି ଇରାନ ଇସ୍ରାଏଲ ବିରୋଧରେ ଦ୍ୱନ୍ଦ୍ୱର ନୀତି ଅବଲମ୍ବନ କରେ ତେବେ ନୂଆ ସପ୍ରିମ ଲିଡର ମଧ୍ୟ ଇସ୍ରାଏଲ ଟାର୍ଗେଟ୍ ରେ ରହିବେ। ସେ ସଂକେତ ଦେଇଛନ୍ତି ଯେ ଇରାନ ନେତୃବର୍ଗଙ୍କ ଉପରେ ଇସ୍ରାଏଲର ସର୍ବଦା ନଜର ରହିବ। ଏ ନେଇ ଇସ୍ରାଏଲ ସେନା ମଧ୍ୟ ଚେତାବନୀ ଦେଇଛି। କହିଛି ନୂଆ ସୁପ୍ରିମଲିଡର ଚୟନରେ ସାମିଲ ଲୋକଙ୍କୁ ସମ୍ଭାବିତ ବିପଦର ସାମ୍ନା କରିବାକୁ ପଡିପାରେ।