ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ର ଫାଇନାଲ୍ ମ୍ୟାଚ୍କୁ ନେଇ ସାରା ଦେଶରେ କ୍ରେଜ୍ ଏବେ ଚରମ ସୀମାରେ। ଆସନ୍ତା ମେ ୩୧ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏହି ମେଗା ଫାଇନାଲ୍ ମୁକାବିଲା ଖେଳାଯିବ। କ୍ରିକେଟପ୍ରେମୀଙ୍କ ମଧ୍ୟରେ ଥିବା ଏହି ଅଭୂତପୂର୍ବ ଉତ୍ସାହର ସିଧାସଳଖ ପ୍ରଭାବ ଏବେ ପର୍ଯ୍ୟଟନ ଓ ବିମାନ ସେବା ଉପରେ ଦେଖିବାକୁ ମିଳିଛି। ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଯାଉଥିବା ଦର୍ଶକଙ୍କ ସଂଖ୍ୟା ବଢ଼ିବା ସହିତ ଅହମ୍ମଦାବାଦ ପାଇଁ ବିମାନ ଟିକେଟ୍ ଏବଂ ସେଠାକାର ହୋଟେଲ ଭଡ଼ା ହୁ ହୁ ହୋଇ ବଢ଼ିବାରେ ଲାଗିଛି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଚଳିତ ସିଜନର ଫାଇନାଲରେ ପ୍ରବେଶ କରିବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବହୁଗୁଣିତ ହୋଇଛି । ବିଶେଷ କରି ବେଙ୍ଗାଲୁରୁରୁ ଅହମ୍ମଦାବାଦ ଯାଉଥିବା ବିମାନଗୁଡ଼ିକର ଚାହିଦା ଆଶାତୀତ ଭାବରେ ବୃଦ୍ଧି ପାଇଛି। ହଜାର ହଜାର ଆରସିବି ପ୍ରଶଂସକ ନିଜ ପ୍ରିୟ ଟିମକୁ ଷ୍ଟାଡିୟମରେ ଲାଇଭ୍ ସପୋର୍ଟ କରିବାକୁ ଚାହୁଁଛନ୍ତି, ଫଳରେ ଟିକେଟ୍ ମିଳିବା ମୁସ୍କିଲ ହୋଇପଡ଼ିଛି।

ସାଧାରଣ ଦିନଗୁଡ଼ିକ ତୁଳନାରେ ବିମାନ ଭଡ଼ା ଏବେ ପ୍ରାୟ ଦୁଇଗୁଣା ହୋଇଯାଇଛି। ମ୍ୟାଚ ଦିନେ କିମ୍ବା ଦୁଇ ଦିନ ପୂର୍ବର ସମସ୍ତ ଫ୍ଲାଇଟ୍ ପ୍ରାୟତଃ ବୁକ୍ ହୋଇସାରିଛି। ଟ୍ରାଭେଲ ଏଜେନ୍ସିଗୁଡ଼ିକ ଅନୁସାରେ, ଫାଇନାଲ ମ୍ୟାଚ୍ ଯେତିକି ପାଖଉଛି, ବିମାନ ଏବଂ ହୋଟେଲ ଭଡ଼ା ଆହୁରି ବଢ଼ୁଛି ।

ହୋଟେଲ ବୁକିଂ ବୃଦ୍ଧି

କେବଳ ଯାତ୍ରା ଖର୍ଚ୍ଚ ନୁହେଁ, ଅହମ୍ମଦାବାଦରେ ରହିବା ମଧ୍ୟ ଏବେ ବେଶ୍ ମହଙ୍ଗା ହୋଇଛି। ମ୍ୟାଚ୍ ସମୟରେ ରହିବା ପାଇଁ ଯେପରି କୌଣସି ଅସୁବିଧା ନହେବ, ସେଥିପାଇଁ କ୍ରିକେଟ୍ ପ୍ରଶଂସକମାନେ ଆଗୁଆ ହୋଟେଲ ରୁମ୍ ସଂରକ୍ଷିତ କରୁଛନ୍ତି।ଷ୍ଟାଡିୟମ ନିକଟସ୍ଥ ହୋଟେଲ ସବୁ ଫୁଲ୍ ହୋଇସାରିଛି । ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଆଖପାଖରେ ଥିବା ଅଧିକାଂଶ ହୋଟେଲ ଏବେ ସମ୍ପୂର୍ଣ୍ଣ ବୁକ୍ ହୋଇଯାଇଥିବା ନେଇ ସୂଚନା ମିଳିଛି ।

ଚାହିଦା ବଢ଼ିବା ଦେଖି ହୋଟେଲ ମାଲିକମାନେ ମଧ୍ୟ ରୁମ୍ ଭଡ଼ା ବଢ଼ାଇ ଦେଇଛନ୍ତି। ସାଧାରଣ ବଜେଟ୍ ହୋଟେଲଠାରୁ ଆରମ୍ଭ କରି ପଞ୍ଚତାରକା ହୋଟେଲ ପର୍ଯ୍ୟନ୍ତ ସବୁଠାରେ ଭଡ଼ା ଆକାଶଛୁଆଁ ହୋଇଛି। ସେପଟେ ଆଜି ହେବାକୁ ଥିବା ଗୁଜରାଟ ଟାଇଟନ୍ସ (GT) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ ମୁକାବିଲା ପରେ ଫାଇନାଲର ଦ୍ୱିତୀୟ ଦଳ ସ୍ପଷ୍ଟ ହେବ। ଏହି କାରଣରୁ ଉଭୟ ଦଳର ସମର୍ଥକମାନେ ଆଦୌ ବିଳମ୍ବ ନକରି ଆଗୁଆ ଅହମ୍ମଦାବାଦ ପାଇଁ ଟିକେଟ୍ ଏବଂ ହୋଟେଲ ବୁକ୍ କରିବାରେ ବ୍ୟସ୍ତ ଅଛନ୍ତି। କେହି ବି ଏହି ଐତିହାସିକ ମ୍ୟାଚକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।

ଅହମ୍ମଦାବାଦରେ ଉତ୍ସବର ମାହୋଲ

ସାବରମତୀ ନଦୀ କୂଳରେ ଅବସ୍ଥିତ ଦେଶର ଅନ୍ୟତମ ପ୍ରମୁଖ ସହର ଅହମ୍ମଦାବାଦରେ ଏବେ ଯେଉଁଆଡ଼େ ଦେଖିବେ କେବଳ କ୍ରିକେଟର ଚର୍ଚ୍ଚା। ଏୟାରପୋର୍ଟ, ରେଳ ଷ୍ଟେସନ ଏବଂ ରାସ୍ତାଘାଟରେ କ୍ରିକେଟ ପ୍ରେମୀଙ୍କ ଭିଡ଼ ଜମିବାରେ ଲାଗିଛି। ଏହି ବଡ଼ ଖେଳ ଆୟୋଜନ ଯୋଗୁଁ ସାରା ସହରରେ ଏକପ୍ରକାର ମହୋତ୍ସବ ପରିବେଶ ସୃଷ୍ଟି ହୋଇଛି।