ଗୌହାଟୀ: ଆଇପିଏଲ୍ ୨୦୨୬ର ପ୍ରଥମ ଦୁଇଟି ମ୍ୟାଚରେ ରନ ବର୍ଷା ହୋଇଥିବା ବେଳେ ତୃତୀୟ ମ୍ୟାଚରେ ନିମ୍ନ ସ୍କୋର ଦେଖିବାକୁ ମିଳିଛି। ବରସାପରା ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୨୭ ରନରେ ଅଲଆଉଟ୍ ହୋଇଛି। ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୨୮ ରନର ସହଜ ବିଜୟ ଲକ୍ଷ୍ୟ ରହିଛି। ଏକଦା ୮୨ ରନରେ ୮ ଓ୍ଵିକେଟ୍ ହରାଇଥିବା ଚେନ୍ନାଇ ଜେମି ଓଭରଟନଙ୍କ ୪୩ ରନ ବଳରେ ଏହି ସମ୍ମାନଜନକ ସ୍କୋରରେ ପହଞ୍ଚି ପାରିଛି। ବୋଲିଂରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜୋଫ୍ରା, ବର୍ଗର ଓ ଜାଡ଼େଜା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ସଞ୍ଜୁ ସାମସନ, ଋତୁରାଜ ଗାଏକ୍ଵାଡ଼ ଓ ଶିବମ ଦୁବେଙ୍କ ପରି ବ୍ୟାଟର ନିରାଶ କରିଛନ୍ତି। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ପାୱାରପ୍ଲେରେ ଚାରୋଟି  ୱିକେଟ ହରାଇଥିଲା। ସଞ୍ଜୁ ସାମସନ୍ ୬, ଅଧିନାୟକ ଗାୟକୱାଡ୍ ୬, ଆୟୁଷ ମହାତ୍ରେ ୦ ଏବଂ ମାଥ୍ୟୁ ସର୍ଟ ୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଇମ୍ପାକ୍ଟ ପ୍ଲେୟାର ଭାବରେ ଆସିଥିବା ସରଫରାଜ ଖାନଙ୍କ ଉପରେ ଆଶା ରହିତିଲା। ମାତ୍ର  ସରଫରାଜ ଖାନ ୧୨ ବଲ୍‌ରେ ଦୁଇଟି ଚୌକା ଏବଂ ଗୋଟିଏ ଛକା ମାରି ୧୭ ରନ କରି ଆଉଟ୍ ହୋଇଥିଲେ।

ଯୁବ କାର୍ତ୍ତିକ ଶର୍ମା ଏକ ଛକା ମାରିଥିଲେ କିନ୍ତୁ ୧୫ ବଲ୍ ରୁ ୧୮ ରନ୍ କରି ଆଉଟ୍ ହୋଇଥିଲେ। ଶିବମ୍ ଦୁବେ ପ୍ରଥମ ବଲରେ ଛକା ମାରିଥିଲେ ହେଁ ଇନିଂସକୁ ଆଗକୁ ବଢାଇ ପାରି ନ ଥିଲେ। ଜେମି ଓଭରଟନ୍ ୪୩ ରନ୍ କରି ସ୍କୋରକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। କେବଳ ୮ ଜଣ ଚେନ୍ନାଇ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଥିଲେ।

ରାଜସ୍ଥାନ ପାଇଁ ଜୋଫ୍ରା ଆର୍ଚର ଚାରି ଓଭରରେ ୧୯ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ନାଣ୍ଡ୍ରେ ବର୍ଗର ତାଙ୍କ କୋଟା ଓଭରରେ ୨୬ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ। ରବୀନ୍ଦ୍ର ଜାଡେଜା ତିନି ଓଭରରେ ୧୮ ରନ୍ ଦେଇ ଦୁଇ ଖେଳାଳିଙ୍କୁ ଆଉଟ୍ କରିଥିଲେ। ବ୍ରଜେଶ ଶର୍ମା, ରବି ବିଷ୍ଣୋଇ ଏବଂ ସନ୍ଦୀପ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ​​​​​​​