ନ୍ୟୁୟର୍କ, ୦୫/୦୧ : ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବେ ଆମେରିକା କବଜାରେ । ଏୟାରଷ୍ଟ୍ରାଇକ୍ କରି ମାଦୁରୋଙ୍କୁ ଉଠାଇ ଆଣିଛି ଆମେରିକା । ତାଙ୍କୁ ନ୍ୟୁୟର୍କର ଏକ ଜେଲରେ ରଖାଯାଇଛି । ପୂର୍ବରୁ ୟୁଏସ ପ୍ରେସିଡେଣ୍ଟ୍ ଲଗାତାର ଭାବେ ନିଶା କାରବାର ନେଇ ମାଦୁରୋଙ୍କୁ ଧମକ ଦେଉଥିଲେ । ଶେଷରେ ଆମେରିକାର ଡେଲଟା ଫୋର୍ସ ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଉଠାଇ ଆଣିଛି । ତାଙ୍କ ବିରୋଧରେ ନିଶା ତସ୍କରୀରୁ ଆରମ୍ଭ କରାଯାଇ ଅନେକ ମାମଲା ଲାଗିଛି ।

ମାଦୁରୋଙ୍କୁ ମେଟ୍ରୋପଲିଟିଆନ୍ ଡିଟେନସନ୍ ସେଣ୍ଟରରେ ରଖାଯାଇଛି । ଯାହା ସହରର ବ୍ରୁକଲିନରେ ଅବସ୍ଥିତ । ତେବେ ଏହା ଅନେକ ଅପବାଦ ମୁଣ୍ଡାଇଛି । ଏହାକୁ ସେଠାକାର କଳାପାଣି ବୋଲି କୁହାଯାଏ । ଯେଉଁଠି ଅତି ଭୟଙ୍କର ଦୋଷ କରିଥିବା କଏଦୀଙ୍କୁ ରଖାଯାଇଥାଏ । ଏଠାରେ ଅନେକ ବଡ ବଡ ଆତଙ୍କବାଦୀ ଏବଂ କୁଖ୍ୟାତ ଅପରାଧି ରହିଛନ୍ତି । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଆତଙ୍କବାଦୀ ଓମାର ଅବଦେଲ୍ ରେହମାନ, ରାମସୀ ୟୁସୁଫ, ବନ୍ଧୁକ ବେପାରୀ ଭିକ୍ଟର ବଟ୍, ମେକ୍ସିକୋର ନିଶା କାରବାରୀ ଜାକଲିନ୍ ଏଲ୍ ଚାପୋ । ଏହାସହ କ୍ରିପ୍ଟୋ କାରବାରରେ ସଂପୃକ୍ତ ଅନେକ ହାଇପ୍ରୋଫାଇଲ୍ ଦୋଷୀ ଏଠାରେ ସଜା କାଟୁଛନ୍ତି ।

କେବଳ ଏତିକି ନୁହେଁ ଆମେରିକା ରାଜନୀତିରେ ହଙ୍ଗାମା ଠିଆ କରିଥିବା ଏପଷ୍ଟାଇନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ଜେଫ୍ରି ଏପଷ୍ଟେଇନ୍ ମଧ୍ୟ ଏଠାରେ ବନ୍ଦୀ ଥିଲେ । ଏଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଆମେରିକା ସରକାର ଏହାକୁ ଆତ୍ମହତ୍ୟା କହିଥିଲେ । ନିକଟରେ ଏକ ହତ୍ୟାକାଣ୍ଡରେ ସାମିଲ ଥିବା ଜଣେ କୁଖ୍ୟାତ ଅପରାଧୀ ଲୁଇଗି ମ୍ୟାନଜିଓନଙ୍କୁ ମେଟ୍ରୋପଲିଟିଆନ୍ ଡିଟେନସନ୍ ସେଣ୍ଟରରେ ରଖାଯାଇଛି ।

ଆମେରିକାର ଏୟାରଷ୍ଟ୍ରାଇକ୍

ତେବେ ଏହି ଜେଲ କୌଣସି ନର୍କରୁ କମ୍ ନୁହେଁ । ଆମେରିକାର ଫେଡେରାଲ ଜଜ୍ ପୂର୍ବରୁ ଏନେଇ କହିସାରିଛନ୍ତି । ଏଠାରେ ରହୁଥିବା ଅନ୍ତେବାସୀଙ୍କ ଅବସ୍ଥା ଅତି ଖରାପ ବୋଲି ଜଜ୍ ଦୁଇ ବର୍ଷ ତଳେ କହିଥିଲେ ।

ସୂଚନାଯୋଗ୍ୟ, ଜାନୁଆରୀ ୩ ତାରିଖରେ ୟୁଏସ ଯୁଦ୍ଧ ବିମାନ ଭେନେଜୁଏଲାରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏଥିରେ ୪୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାସହ ସେଠାକାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ଅଣାଯାଇଛି । ତାଙ୍କୁ ନ୍ୟୁୟର୍କର ଏକ ଜେଲରେ ରଖାଯାଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏୟାର ଷ୍ଟ୍ରାଇକ୍ ପରେ ଦାବି କରିଥିଲେ ଯେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଆମେରିକୀୟ ଯୁଦ୍ଧଜାହାଜ USS ଦ୍ୱାରା ନ୍ୟୁୟର୍କ ଅଣାଯାଇଛି। ଏହା ପୂର୍ବରୁ ଟ୍ରମ୍ପ ମାଦୁରୋଙ୍କୁ ଆତ୍ମସମର୍ପଣ କରିବାକୁ ଚେତାଇଥିଲେ। ହେଲେ ସେ ଆତ୍ମସମର୍ପଣ ନ କରିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଟ୍ରମ୍ପ କହିଛନ୍ତି। ସେ ସ୍ପଷ୍ଟ ଭାବରେ କହିଥିଲେ ମାଦୁରୋଙ୍କୁ ଆତ୍ମସମର୍ପଣ କରିବାକୁ ପଡିବ। ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ମାଦୁରୋଙ୍କ ସହ କଥା ହୋଇଥିଲେ। ଉଭୟଙ୍କର ଏକ ଆଲୋଚନା ହୋଇଥିଲା । ଟ୍ରମ୍ପ୍ ନିଜେ ତାଙ୍କ ସହ କଥା ହୋଇଥିଲେ, କିନ୍ତୁ ଆତ୍ମସମର୍ପଣ କରିବାକୁ ପଡିବ ବୋଲି ୟୁଏସ ରାଷ୍ଟ୍ରପତି ମାଦୁରୋଙ୍କୁ କହିଥିଲେ।

ମାଦୁରୋଙ୍କ ଉତ୍ତରାଧିକାରୀ

ସୁପ୍ରିମ କୋର୍ଟ ଅଫ୍ ଭେନେଜୁଏଲାର ସାମ୍ବିଧାନିକ ଚ୍ୟାମ୍ବର ଶନିବାର ଉପ ରାଷ୍ଟ୍ରପତି ଡେଲସି ରୋଡ୍ରିଗୁଏଜଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି କରିବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ମାଦୁରୋଙ୍କ ଅନୁପସ୍ଥିତିରେ ସେ ପଦ ସମ୍ଭାଳିବେ । ଫଳରେ ପ୍ରଶାସନିକ ଅଚଳାବସ୍ଥାକୁ ଦୂର କରାଯାଇପାରିବ । ଏପରିକି ଦେଶର ସୁରକ୍ଷାକୁ ନିଶ୍ଚିତ କରାଯାଇପାରିବ । କୋର୍ଟ ଏହି ମାମଲାକୁ ପରବର୍ତ୍ତୀ ସମୟରେ ବିଚାର କରିବେ । ତେବେ ଅନ୍ତରୀଣ ସରକାରର ସେ ମୁଖ୍ୟ ହେବା ପୂର୍ବରୁ ଆମେରିକା ଉପରେ ବର୍ଷିଛନ୍ତି । ଆମେରିକା ଯେପରି ବାବେ ମାଦୁରୋଙ୍କୁ ଅପହରଣ କରିନେଲା ତାହା ଗ୍ରହଣୀୟ ନୁହେଁ ବୋଲି ଡେଲସି କହିସାରିଛନ୍ତି ।