ନୂଆଦିଲ୍ଲୀ: ଦେଶର ଅର୍ଥନୀତି ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି ମଧ୍ୟରେ ରହିଛି। ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ ବୋଲି ଆକଳନ କରାଯାଉଛି। ଏହି ଦ୍ରୁତ ଅଭିବୃଦ୍ଧି ସତ୍ତ୍ୱେ ଭାରତୀୟ ଶ୍ରମିକଙ୍କ ଉତ୍ପାଦନଶୀଳତା ଚୀନ୍ ତୁଳନାରେ କିନ୍ତୁ ଅନେକ ପଛରେ ରହିଛି। ଦୁର୍ଭାଗ୍ୟର କଥା ହେଲା ଗତ ୨୫ ବର୍ଷ ମଧ୍ୟରେ ଏହି ବ୍ୟବଧାନ କମିବା ପରିବର୍ତ୍ତେ ଆହୁରି ବଢ଼ିଛି। ଇକ୍ୱିରସ୍ ସିକ୍ୟୁରିଟିଜ୍ର ପକ୍ଷରୁ ଜାରି ଏକ ନୂଆ ରିପୋର୍ଟ ଯେଉଁ ତଥ୍ୟ ଦେଇଛି ତାହା ଖୁବ୍ ଚିନ୍ତାଜନକ। ପଢ଼ନ୍ତୁ ସ୍ପେଶାଲ ରିପୋର୍ଟ- ଏବେ ବି ପଛରେ ଭାରତ। 

ଭାରତର ଜିଡିପି ବଢୁଛି, ବିଦେଶୀ ନିବେଶ ବଢୁଛି, ଡିଜିଟାଲ ଅର୍ଥନୀତି ମଧ୍ୟ ବିସ୍ତାର ହେଉଛି। କିନ୍ତୁ ଦେଶର ଜଣେ ଶ୍ରମିକ କେତେ ଉତ୍ପାଦନ କରୁଛନ୍ତି, ସେହି ମାପଦଣ୍ଡରେ ଭାରତ ଏବେ ବି ଚୀନ୍ଠାରୁ ବହୁ ଦୂରରେ ରହିଛି। ଇକ୍ୱିରସ୍ ସିକ୍ୟୁରିଟିଜ୍(Equirus Securities)ର "ଲେବର୍ ପ୍ରଡକ୍ଟିଭିଟି ଇନ୍ ଇମର୍ଜିଂ ଇକୋନୋମିଜ୍" ରିପୋର୍ଟ ଅନୁସାରେ, ୨୦୦୦ ମସିହାରୁ ଭାରତ ଓ ଚୀନ୍ ମଧ୍ୟରେ ପ୍ରତି ଶ୍ରମିକ ଉତ୍ପାଦନଶୀଳତାର ବ୍ୟବଧାନ ୩୦ ହଜାର ଡଲାରରୁ ଅଧିକ ବୃଦ୍ଧି ପାଇଛି। ଆଜି ଭାରତ ଓ ବାଂଲାଦେଶର ଶ୍ରମ ଉତ୍ପାଦନଶୀଳତା ପ୍ରାୟ ସମାନ ସ୍ତରରେ ଥିବାବେଳେ ଚୀନ୍ ଏହି କ୍ଷେତ୍ରରେ ବହୁ ଆଗକୁ ଚାଲିଯାଇଛି।

୧୯୯୫ ପରଠାରୁ ଭାରତର ପ୍ରତି ଶ୍ରମିକ ଜିଡିପି ତିନି ଗୁଣରୁ ଅଧିକ ବଢ଼ିଥିଲେ ମଧ୍ୟ ଚୀନ୍, ଦକ୍ଷିଣ କୋରିଆ ଓ ଭିଏତନାମ ଭଳି ଦେଶ ଯେପରି ଶିଳ୍ପ ଭିତ୍ତିକ ଅଭିବୃଦ୍ଧି ମାଧ୍ୟମରେ ଉତ୍ପାଦନଶୀଳତାରେ ବିପ୍ଳବ ଆଣିଛନ୍ତି, ଭାରତ ସେହି ଲକ୍ଷ୍ୟ ହାସଲ କରିପାରିନାହିଁ।

ବିଶେଷଜ୍ଞଙ୍କ ମତରେ, ଚୀନ୍ର ସଫଳତା ପଛରେ ଥିଲା ଉତ୍ପାଦନ କ୍ଷେତ୍ରର ଦ୍ରୁତ ବିସ୍ତାର। ଆମେରିକା ଫେଡେରାଲ ରିଜର୍ଭର ଏକ ବିଶ୍ଳେଷଣ ଅନୁଯାୟୀ, ଚୀନ୍, ଜାପାନ ଓ ଦକ୍ଷିଣ କୋରିଆର ଉଚ୍ଚ ଅଭିବୃଦ୍ଧି ସମୟରେ ଉତ୍ପାଦନ କ୍ଷେତ୍ର ଜିଡିପିର ପ୍ରାୟ ଏକ ଚତୁର୍ଥାଂଶରୁ ଏକ ତୃତୀୟାଂଶ ପର୍ଯ୍ୟନ୍ତ ଅଂଶୀଦାରିତା ରଖୁଥିଲା। କିନ୍ତୁ ଭାରତରେ ଉତ୍ପାଦନ କ୍ଷେତ୍ରର ଅଂଶ ଏବେ ବି ସେହି ସ୍ତରରେ ପହଞ୍ଚିପାରି ନାହିଁ।

Also Read- Finland Backs India’s Russian Oil Purchases: ରୁଷରୁ ତେଲ କିଣିବା ପ୍ରସଙ୍ଗରେ ଭାରତକୁ ସମର୍ଥନ କଲା ଫିନଲାଣ୍ଡ: ବୈଦେଶିକ ମନ୍ତ୍ରୀଙ୍କ ବଡ ବୟାନ

୨୦୦୦ ମସିହାରୁ ଆଇଟି ଏବଂ ସେବା କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଯୋଗୁ ଭାରତର ଶ୍ରମ ଉତ୍ପାଦନଶୀଳତା ବାର୍ଷିକ ୫.୩ ପ୍ରତିଶତ ହାରରେ ବଢ଼ିଥିଲା। କିନ୍ତୁ ୨୦୧୦ ପରେ ଏହା ୩.୪ ପ୍ରତିଶତକୁ ଖସି ଆସିଥିଲା। ବିମୁଦ୍ରୀକରଣ, ଜିଏସଟି ଲାଗୁ କରିବାରେ ବାଧା ଏବଂ ଏନବିଏଫସି ସଙ୍କଟ ଭଳି ଅର୍ଥନୈତିକ ବାଧକ ଅଣସଂଗଠିତ କ୍ଷେତ୍ରକୁ ପ୍ରଭାବିତ କରିଥିଲା।

ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ କୋଭିଡ୍ ମହାମାରୀ ଭାରତର ଉତ୍ପାଦନଶୀଳତାକୁ ଭାରି ଆଘାତ ଦେଇଥିଲା। ୨୦୨୦ରେ ଉତ୍ପାଦନଶୀଳତା ୧୨.୩ ପ୍ରତିଶତ ହ୍ରାସ ପାଇଥିଲା, ଯାହା ଅଧ୍ୟୟନରେ ସାମିଲ ଦେଶମାନଙ୍କ ମଧ୍ୟରେ ସବୁଠାରୁ ଖରାପ ପ୍ରଦର୍ଶନ ଥିଲା।

ଅନ୍ୟପଟେ, ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ (OECD) ତଥ୍ୟ ଦର୍ଶାଉଛି ଯେ ଭାରତରେ ଅର୍ଥନୈତିକ ବିକାଶ ମୁଖ୍ୟତଃ ସେବା କ୍ଷେତ୍ରକୁ କେନ୍ଦ୍ର କରି ହୋଇଛି। ଉତ୍ପାଦନ କ୍ଷେତ୍ରର ଜିଡିପି ଅଂଶ ଦୀର୍ଘ ବର୍ଷ ଧରି ସ୍ଥିର ରହିଛି। ଚୀନ୍ର ଉତ୍ପାଦନ କ୍ଷେତ୍ରର ଉତ୍ପାଦନଶୀଳତା ଭାରତ ତୁଳନାରେ ପ୍ରାୟ ତିନି ଗୁଣ ଅଧିକ ବୋଲି OECD ଆକଳନ କରିଛି।

ଯଦିଓ ପିଏଲଆଇ ଯୋଜନା, ଚାଇନା ପ୍ଲସ୍ ୱାନ୍ ନୀତି ଓ ବିଦେଶୀ ନିବେଶ ଯୋଗୁ ଇଲେକ୍ଟ୍ରୋନିକ୍ସ, ଫାର୍ମା ଏବଂ ଅଟୋ କମ୍ପୋନେଣ୍ଟ କ୍ଷେତ୍ରରେ ଉନ୍ନତି ଦେଖାଯାଉଛି, ତଥାପି ଉତ୍ପାଦନ କ୍ଷେତ୍ରର ଅର୍ଥନୀତିରେ ଅଂଶୀଦାରିତା ଏଯାଏ ଗଠନମୂଳକ ଭାବେ ବୃଦ୍ଧି ପାଇନାହିଁ।

ରିପୋର୍ଟ ଅନୁସାରେ ଶ୍ରମ ବଜାରର ଜଟିଳତା, ଜମି ଅଧିଗ୍ରହଣ ସମସ୍ୟା ଏବଂ ପରିବହନ ଖର୍ଚ୍ଚ ଭାରତରେ ପ୍ରମୁଖ ବାଧା ସୃଷ୍ଟି କରୁଛି। ତେବେ ନିକଟରେ ଡିପିଆଇଆଇଟି-ଏନସିଏଇଆର ଅଧ୍ୟୟନ ଅନୁଯାୟୀ ଭାରତର ଲଜିଷ୍ଟିକ୍ସ ଖର୍ଚ୍ଚ ଜିଡିପିର ପ୍ରାୟ ୮ ପ୍ରତିଶତକୁ ହ୍ରାସ ପାଇଥିବା ଦାବି କରାଯାଇଛି, ଯାହା ପୂର୍ବରୁ ଆକଳନ କରାଯାଉଥିବା ୧୩ରୁ ୧୪ ପ୍ରତିଶତ ତୁଳନାରେ କମ୍।

ତେବେ ବିଶ୍ୱବ୍ୟାଙ୍କ କହିଛି, ଭାରତକୁ ଏହାର ପୂର୍ଣ୍ଣ ସମ୍ଭାବନା ହାସଲ କରିବା ପାଇଁ ନିବେଶ ଓ ଗଠନମୂଳକ ସଂସ୍କାରକୁ ଆହୁରି ତ୍ୱରାନ୍ୱିତ କରିବାକୁ ପଡ଼ିବ। ଉତ୍ପାଦନ କ୍ଷେତ୍ରକୁ ଅଧିକ ପ୍ରତିଯୋଗୀମୂଳକ କରିବା ସହ ଶ୍ରମିକଙ୍କୁ କୃଷିରୁ ଶିଳ୍ପ କ୍ଷେତ୍ରକୁ ସ୍ଥାନାନ୍ତର କରିବା ଆଗାମୀ ଦିନର ବଡ଼ ଚ୍ୟାଲେଞ୍ଜ ହେବ।

ଦେଶର ଅର୍ଥନୈତିକ ଅଭିବୃଦ୍ଧି ହେଉଛି ସତ, କିନ୍ତୁ ଉତ୍ପାଦନଶୀଳତାର ଲଢ଼େଇରେ ଭାରତକୁ ଏବେ ବି ଲମ୍ବା ରାସ୍ତା ଅତିକ୍ରମ କରିବାକୁ ପଡ଼ିବ। ଯଦି ଚୀନ୍ ଭଳି ଉତ୍ପାଦନ ଭିତ୍ତିକ ବିକାଶ ମଡେଲକୁ ସଫଳତାର ସହ ଅନୁସରଣ କରାଯାଇପାରେ, ତେବେ ଭାରତର ଶ୍ରମ ଉତ୍ପାଦନଶୀଳତା ବା ଲେବର ପ୍ରଡକ୍ଟିଭିଟିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇପାରେ।