ନୂଆଦିଲ୍ଲୀ: ଭାରତ ଜନସଂଖ୍ୟା ବିସ୍ଫୋରଣ ଆଡ଼କୁ ଗତି କରୁଛି... ଗତ କିଛି ଦଶନ୍ଧି ହେବ ଭାରତର ଜନସଂଖ୍ୟାକୁ ନେଇ ବାରମ୍ବାର ଏହି ଗୋଟିଏ ଚିନ୍ତା ପ୍ରକଟ କରାଯାଉଥିଲା। କିନ୍ତୁ ୨୦୨୪ ରେ ଜାରି ହୋଇଥିବା ସାମ୍ପଲ୍ ରେଜିଷ୍ଟ୍ରେସନ୍ ସିଷ୍ଟମ୍ (SRS) ର ସର୍ବଶେଷ ରିପୋର୍ଟ ଏହି ବିତର୍କକୁ ଏକ ନୂଆ ମୋଡ଼ ଦେଇଛି। ରିପୋର୍ଟ ଅନୁଯାୟୀ, ଭାରତର ସମୁଦାୟ ପ୍ରଜନନ ହାର (Total Fertility Rate-TFR) ହ୍ରାସ ପାଇ ୧.୯ ରେ ପହଞ୍ଚିଛି। ଏହା କେବଳ ଏକ ପରିସଂଖ୍ୟାନଗତ ପରିବର୍ତ୍ତନ ନୁହେଁ, ବରଂ ଭାରତୀୟ ସମାଜ, ଅର୍ଥବ୍ୟବସ୍ଥା, ପରିବାର ଗଠନ ଏବଂ ଭବିଷ୍ୟତର ଜନସଂଖ୍ୟା ସଂରଚନାରେ ଆସୁଥିବା ଗଭୀର ପରିବର୍ତ୍ତନର ସଙ୍କେତ ଅଟେ।

୧୯୭୧ରେ ଭାରତର ସମୁଦାୟ ପ୍ରଜନନ ହାର ୫.୨ ଥିଲା । ଏହାର ଅର୍ଥ ଥିଲା ଯେ ହାରାହାରି ଜଣେ ଭାରତୀୟ ମହିଳା ନିଜ ଜୀବନକାଳ ମଧ୍ୟରେ ପାଞ୍ଚରୁ ଅଧିକ ସନ୍ତାନ ଜନ୍ମ ଦେଉଥିଲେ । ଆଜି ଏହି ସଂଖ୍ୟା ୧.୯ରେ ରହିଛି । ପାଞ୍ଚ ଦଶନ୍ଧି ମଧ୍ୟରେ ଏହି ହ୍ରାସ ଭାରତର ଜନସଂଖ୍ୟା ଇତିହାସର ସବୁଠାରୁ ବଡ଼ ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ । ରିପୋର୍ଟରେ ଅନେକ ଭିନ୍ନ ଭିନ୍ନ ଦିଗ ଉପରେ ସୂଚନା ଦିଆଯାଇଛି । କିନ୍ତୁ ତାହା ପୂର୍ବରୁ ଏହା ଜାଣିବା ଜରୁରୀ ଯେ ପ୍ରକୃତରେ ଟିଏଫଆର୍ କଣ, ଏହାର ମାଧ୍ୟମ କ’ଣ ଏବଂ କାହିଁକି ଏହାର ହ୍ରାସ ହେବା ଦେଶ ପାଇଁ ଚିନ୍ତାର ଏକ ବଡ଼ କାରଣ ଅଟେ ।

ଭାରତରେ ଆସିଥିବା ଏହି ପରିବର୍ତ୍ତନ ହଠାତ୍ ଆସି ନାହିଁ । ୧୯୬୭ରେ ଆରମ୍ଭ ହୋଇଥିବା ପରିବାର ନିୟୋଜନ ଅଭିଯାନ ଏବଂ ପରେ 'ବଚେ ଦୋ ହି ଅଛେ' ବାର୍ତ୍ତା ଛୋଟ ପରିବାର ପ୍ରତି ଲୋକଙ୍କୁ ଆକର୍ଷଣ କରିଥିଲା । ଏହା ସହିତ ମହିଳା ଶିକ୍ଷା, ସହରୀକରଣ, ସ୍ୱାସ୍ଥ୍ୟ ସେବାର ବ୍ୟାପକ ସୁଯୋଗ ଏବଂ ବଦଳୁଥିବା ସାମାଜିକ-ଅର୍ଥନୈତିକ ସ୍ଥିତି ମଧ୍ୟ ପରିବାରର ଗଠନକୁ ପ୍ରଭାବିତ କରିଛି ।

ରିପୋର୍ଟ ଦର୍ଶାଉଛି ଯେ ଏହି ହ୍ରାସ କେବଳ ସହର ମଧ୍ୟରେ ସୀମିତ ନାହିଁ, ବରଂ ଗ୍ରାମୀଣ ଭାରତରେ ମଧ୍ୟ ସମାନ ଭାବରେ ଦେଖାଯାଉଛି । ଯଦିଓ ବିହାର ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟଗୁଡ଼ିକରେ ପ୍ରଜନନ ହାର ଏବେ ମଧ୍ୟ ଜାତୀୟ ହାରଠାରୁ ଅଧିକ ଅଛି । କିନ୍ତୁ ସେଠାରେ ମଧ୍ୟ ହ୍ରାସର ଧାରା ଜାରି ରହିଛି । ବିଶେଷଜ୍ଞମାନଙ୍କ ମତରେ, ଭାରତ ଏବେ ଡେମୋଗ୍ରାଫିକ୍ସ ଟ୍ରାଞ୍ଜିସନର ସେହି ପର୍ଯ୍ୟାୟରେ ପହଞ୍ଚି ସାରିଛି ଯେଉଁଠାରେ ହ୍ରାସ ପାଉଥିବା ଜନ୍ମ ହାର ଆଗାମୀ ବର୍ଷଗୁଡ଼ିକରେ ଦେଶର ଅର୍ଥବ୍ୟବସ୍ଥା, ଶ୍ରମଶକ୍ତି ଏବଂ ବୃଦ୍ଧ ଜନସଂଖ୍ୟାର ସଂରଚନା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ।

TFR କଣ ଏବଂ ୨.୧ର ଆକଳନ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ସମୁଦାୟ ପ୍ରଜନନ ହାର (TFR) ଦର୍ଶାଏ ଯେ ଯଦି ବର୍ତ୍ତମାନର ଜନ୍ମ ହାର ବଜାୟ ରହେ, ତେବେ ଜଣେ ମହିଳା ନିଜର ସମ୍ପୂର୍ଣ୍ଣ ପ୍ରଜନନ କାଳ (୧୫-୪୯ ବର୍ଷ) ମଧ୍ୟରେ ହାରାହାରି କେତେ ସନ୍ତାନ ଜନ୍ମ କରିପାରିବେ ।

ଜନସଂଖ୍ୟା ବିଜ୍ଞାନରେ ୨.୧ର ପ୍ରଜନନ ହାର (TFR) କୁ 'ରିପ୍ଲେସମେଣ୍ଟ ଲେଭଲ୍' କୁହାଯାଏ । ଏହାର ଅର୍ଥ ହେଉଛି, ହାରାହାରି ପ୍ରତ୍ୟେକ ମହିଳା ପ୍ରାୟ ଏତିକି ସନ୍ତାନ ଜନ୍ମ କରିବା ଦରକାର ଯେପରି ଆଗାମୀ ପିଢ଼ିର ଜନସଂଖ୍ୟା ବର୍ତ୍ତମାନର ପିଢ଼ିର ସ୍ଥାନ ନେଇପାରିବ । ଯଦି କୌଣସି ଦେଶର ଏଫଟିଆର ଦୀର୍ଘ ସମୟ ଧରି ୨.୧ରୁ କମ୍ ରହେ, ତେବେ ଧୀରେ ଧୀରେ ସେହି ଦେଶର ଜନସଂଖ୍ୟା ବୃଦ୍ଧିର ଗତି କମିଯାଏ ।

ଭାରତର ଏଫଟିଆର ଏବେ ୧.୯ ଅଛି, ଅର୍ଥାତ୍ ଦେଶ ଜାତୀୟ ସ୍ତରରେ 'ରିପ୍ଲେସମେଣ୍ଟ ଲେଭରୁ ତଳକୁ ଖସି ଆସିଛି । ଏଭଳି ସ୍ଥିତି ୟୁରୋପ, ଜାପାନ, ଦକ୍ଷିଣ କୋରିଆ ଏବଂ ଚୀନ ଭଳି ଦେଶରେ ପୂର୍ବରୁ ଦେଖାଯାଇ ସାରିଛି । ସଦ୍ୟତମ ତଥ୍ୟ ଦର୍ଶାଉଛି ଯେ ପ୍ରଜନନ ହାରରେ ଆସିଥିବା ଏହି ହ୍ରାସ କୌଣସି ସାମ୍ପ୍ରତିକ ଘଟଣା ନୁହେଁ । ଗତ ଏକ ଦଶନ୍ଧି ମଧ୍ୟରେ ଜାତୀୟ ପ୍ରଜନନ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏହା ୨୦୧୨-୧୪ ଅବଧି ମଧ୍ୟରେ ୨.୩ରୁ ହ୍ରାସ ପାଇ ୨୦୨୨-୨୪ ସୁଦ୍ଧା ୧.୯ରେ ପହଞ୍ଚିଛି । ଏହା ପ୍ରାୟ ୧୭.୪ ପ୍ରତିଶତ ହ୍ରାସକୁ ଦର୍ଶାଉଛି ।

ଏହି ଧାରା କେବଳ କୌଣସି ଗୋଟିଏ ଅଞ୍ଚଳରେ ସୀମିତ ନାହିଁ । ଗ୍ରାମୀଣ ଏବଂ ସହରୀ ଉଭୟ ଭାରତରେ ଏହି ପରିବର୍ତ୍ତନ ସ୍ପଷ୍ଟ ଭାବେ ଦେଖାଯାଉଛି । ଏଥିରୁ ସଙ୍କେତ ମିଳୁଛି ଯେ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ବ୍ୟାପକ ସ୍ତରରେ ଏବଂ କ୍ରମାଗତ ଭାବରେ ହେଉଛି । ସରଳ ଭାଷାରେ କହିଲେ, ଭାରତରେ ପରିବାରଗୁଡ଼ିକର ଆକାର ଧୀରେ ଧୀରେ ଛୋଟ ହେଉଛି । ଲୋକମାନେ ପୂର୍ବ ଅପେକ୍ଷା କମ ସନ୍ତାନ ଜନ୍ମ କରୁଛନ୍ତି ଏବଂ ଏହି ପରିବର୍ତ୍ତନ ସାରା ଦେଶରେ ପ୍ରାୟ ସମାନ ଭାବରେ ଦେଖିବାକୁ ମିଳୁଛି । ଏହା ଭାରତର ଜନସଂଖ୍ୟା ଗଠନରେ ହେଉଥିବା ଦୀର୍ଘକାଳୀନ ପରିବର୍ତ୍ତନର ଏକ ବଡ଼ ସଙ୍କେତ ।

୧୯୭୧ରୁ ୨୦୨୪: ଏକ ବଡ଼ ପରିବର୍ତ୍ତନ

ଭାରତର ଜନସଂଖ୍ୟାଗତ ସୂଚକାଙ୍କରେ ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ବଡ଼ ପରିବର୍ତ୍ତନ ଆସିଛି

ଜନ୍ମ ହାର ୩୬.୯ରୁ ହ୍ରାସ ପାଇ ପ୍ରତି ହଜାର ଜନସଂଖ୍ୟାରେ ୧୮.୩ ହୋଇଛି

ମୃତ୍ୟୁ ହାର ୧୪.୯ରୁ ହ୍ରାସ ପାଇ ପ୍ରତି ହଜାରରେ ୬.୪ ରହିଛି

ଶିଶୁ ମୃତ୍ୟୁ ହାର ୧୨୯ରୁ ହ୍ରାସ ପାଇ ପ୍ରତି ହଜାର ଜୀବିତ ଜନ୍ମରେ ୨୪ ହୋଇଛି

ସମୁଦାୟ ପ୍ରଜନନ ହାର ୫.୨ରୁ ହ୍ରାସ ପାଇ ୧.୯ରେ ପହଞ୍ଚିଛି

ଭାରତ ସ୍ୱାସ୍ଥ୍ୟ ସେବା, ଟୀକାକରଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବନଶୈଳୀରେ ବ୍ୟାପକ ପ୍ରଗତି କରିଛି

କେଉଁ ରାଜ୍ୟଗୁଡ଼ିକରେ ପ୍ରଜନନ ହାର ସବୁଠାରୁ କମ୍ ?

ଦିଲ୍ଲୀରେ ପ୍ରଜନନ ହାର ଦେଶରେ ସବୁଠାରୁ କମ୍ ରେକର୍ଡ କରାଯାଇଛି । ଏଠାରେ ହାରାହାରି ଜଣେ ମହିଳା କେବଳ ୧.୨ ସନ୍ତାନ ଜନ୍ମ ଦେଉଛନ୍ତି ।

  ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ମୋଟ  ଗ୍ରାମାଞ୍ଚଳ  ସହରାଞ୍ଚଳ 
  ବିହାର ୨.୯ ୩.୦ ୨.୩
  ଉତ୍ତର ପ୍ରଦେଶ ୨.୬ ୨.୭ ୨.୧
  ମଧ୍ୟ ପ୍ରଦେଶ ୨.୪ ୨.୬ ୧.୮
  ରାଜସ୍ଥାନ ୨.୩ ୨.୪ ୨.୧
  ଛତିଶଗଡ଼ ୨.୨ ୨.୪ ୧.୬
  ଝାଡ଼ଖଣ୍ଡ ୨.୨ ୨.୩ ୧.୬
  ଭାରତ  ୧.୯ ୨.୧ ୧.୫
  ଆସାମ ୧.୯ ୨.୧ ୧.୩
  ହରିଆଣା ୧.୯ ୨.୧ ୧.୩
  ଗୁଜରାଟ ୧.୭ ୧.୯ ୧.୩
  ଉତ୍ତରାଖଣ୍ଡ ୧.୭ ୧.୯ ୧.୩
  ଓଡ଼ିଶା ୧.୬ ୧.୮ ୧.୩
  କର୍ଣ୍ଣାଟକ ୧.୫ ୧.୮ ୧.୨
  ତେଲେଙ୍ଗାନା ୧.୫ ୧.୮ ୧.୨
  ଆନ୍ଧ୍ର ପ୍ରଦେଶ ୧.୪ ୧.୫ ୧.୩
  ଜମ୍ମୁ ଓ କାଶ୍ମୀର ୧.୪ ୧.୫ ୧.୨
  ମହାରାଷ୍ଟ୍ର ୧.୪ ୧.୫ ୧.୨
  ପଞ୍ଜାବ ୧.୪ ୧.୫ ୧.୩
  କେରଳ ୧.୩ ୧.୩ ୧.୨
  ତାମିଲନାଡୁ ୧.୩ ୧.୩ ୧.୩
  ପଶ୍ଚିମବଙ୍ଗ ୧.୩ ୧.୪ ୧.୨
  ଦିଲ୍ଲୀ ୧.୨ ୧.୨ ୧.୨