ନୂଆଦିଲ୍ଲୀ: ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସାମିଲ ଥିବା ୨୩ ଭାରତୀୟ ସ୍ୱଦେଶ ଫେରି ଆସିଛନ୍ତି। ଏମାନେ ପିଏସଏଲର ପ୍ରଡକ୍ସନ୍ ଏବଂ ପ୍ରସାରଣ ଟିମ୍ରରେ ଥିଲେ। ପାକିସ୍ତାନ କ୍ରିକେଟ୍ ବୋର୍ଡ ରବିବାର ଦିନ ଏହି ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରାଇବାରେ ସହଯୋଗ କରିଛି।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଏବଂ ସୀମା ଉତ୍ତେଜନା ବୃଦ୍ଧି ପାଇବା ପରେ, ପାକିସ୍ତାନ ସରକାର ପାକିସ୍ତାନରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଏପ୍ରିଲ ୩୦ ସୁଦ୍ଧା ଦେଶ ଛାଡିବାକୁ କହିଥିଲେ। ଏହି କ୍ରମରେ ଭାରତୀୟ ନାଗରିକ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ପଢନ୍ତୁ- ପାକିସ୍ତାନ ସହିତ ଆଗକୁ କୌଣସି ଦ୍ୱିପାକ୍ଷିକ ମ୍ୟାଚ୍ ଖେଳିବ ନାହିଁ ଭାରତ: ରାଜୀବ ଶୁକ୍ଲା
ପିସିବିର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପିଏସଏଲ ମ୍ୟାଚ୍ର ପ୍ରଯୋଜନା ଏବଂ ପ୍ରସାରଣ ପାଇଁ ପାକିସ୍ତାନରେ ଥିବା ୨୩ ଜଣ ଭାରତୀୟ ନାଗରିକଙ୍କୁ ଫେରାଇ ଦିଆଯାଇଛି। ସମସ୍ତ ଭାରତୀୟ ନାଗରିକ ଲାହୋରରୁ ୱାଘା ସୀମା ଦେଇ ଘରକୁ ସ୍ୱଦେଶ ଫେରିଯାଇଛନ୍ତି ବୋଲି ପିସିବି ଅଧିକାରୀ କହିଛନ୍ତି।
ପିଏସଏଲ ମ୍ୟାଚ୍ ପ୍ରଯୋଜନା ଏବଂ ପ୍ରସାରଣ କରୁଥିବା କମ୍ପାନୀ ଦ୍ୱାରା ଭାରତୀୟ କ୍ୟାମେରାମ୍ୟାନ୍ ଏବଂ ଟେକ୍ନିସିଆନ୍ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏବେ ସେମାନଙ୍କୁ ଭାରତ ପଠାଇ ଦେବା ପରେ କମ୍ପାନୀ ତାଙ୍କ ସେମାନଙ୍କ ସ୍ଥାନରେ ଅନ୍ୟ ନିଯୁକ୍ତି ଦେଇଛି। ଏନେଇ ଅଧିକାରୀ ଜଣଙ୍କ କହିଛନ୍ତି ଯେ ପ୍ରସାରଣର ମାନ ପ୍ରଭାବିତ ନହେବା ପାଇଁ, କମ୍ପାନୀ ଭାରତୀୟଙ୍କ ସ୍ଥାନରେ ବିଦେଶୀ ଏବଂ ସ୍ଥାନୀୟ କ୍ୟାମେରାମ୍ୟାନ୍ ଏବଂ ଟେକ୍ନିସିଆନମାନଙ୍କୁ ନିଯୁକ୍ତି ଦିଆଯାଇଛି।
ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଘଟଣାରେ ୨୬ ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ। ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି। ଉଭୟ ଦେଶର ସରକାର ଉଭୟ ଦେଶର ନାଗରିକଙ୍କୁ ନିଜ ଦେଶରୁ ବିଦା କରୁଛନ୍ତି। ଏହି ଘଟଣା ପରେ ପାକିସ୍ତାନ ସହି ସବୁଦିନ ପାଇଁ କ୍ରିକେଟ ସମ୍ପର୍କ ଛିନ୍ନ କରିବା ପାଇଁ ମଧ୍ୟ ଭାରତରେ ଏକାଧିକ ଖେଳାଳି ଦାବି କରି ଆସୁଛନ୍ତି।
ଶନିବାର ସୌରଭ ଗାଙ୍ଗୁଲି ମଧ୍ୟ ଏନେଇ ଦାବି କରିଥିଲେ। ପାକିସ୍ତାନ ସହିତ କୌଣସି ପ୍ରକାର କ୍ରିକେଟ ସମ୍ପର୍କ ରଖିବା ଉଚିତ ନୁହେଁ ବୋଲି କହିଥିଲେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ। ଏହା ପୂର୍ବରୁ ବର୍ତ୍ତମାନର ବିସିସିଆଇ ଉପାଧ୍ୟକ୍ଷ ଥିବା ରାଜୀବ ଶୁଳ୍କା ମଧ୍ୟ ସମାନ କଥା କହିଥିଲେ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଭାରତ ପାକିସ୍ତାନ ସହିତ କୌଣସି ଦ୍ୱିପାଖିକ ମ୍ୟାଚ୍ ଖେଳୁ ନାହିଁ। କେବଳ ଆସିସି ଇଭେଣ୍ଟ ଖେଳିବାକୁ ପଡ଼ୁଛି ବୋଲି ସେ କହିଥିଲେ। ଏଥିସହିତ ଆଇସିସି ଘଟଣା ବିଷୟରେ ସବୁ ଅବଗତ ରହିଛି ବୋଲି ମଧ୍ୟ ଶ୍ରୀ ଶୁକ୍ଲା ସୂଚନା ଦେଇଥିଲେ।
୨୦୧୩ ପରଠାରୁ ଭାରତ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ୍ ଖେଳି ନାହିଁ
ଭାରତ ପାକିସ୍ତାନ ସହିତ ଦୀର୍ଘ ୧୦ ବର୍ଷ ହେଲା କୌଣସି ଦ୍ୱିପାକ୍ଷିକ ମ୍ୟାଚ୍ ଖେଳି ନାହିଁ। ଶେଷ ଥର ପାଇଁ ୨୦୧୩ରେ ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ୍ ଖେଳିଥିଲା। ସେବେଠାରୁ, ଭାରତ ବନାମ ପାକିସ୍ତାନ ମ୍ୟାଚ୍ କେବଳ ଆଇସିସି ଇଭେଣ୍ଟଗୁଡ଼ିକରେ ଅନୁଷ୍ଠିତ ହେଉଛି। ସେହିପରି ୨୦୨୪ ଆରମ୍ଭରେ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଭାରତ ପାକିସ୍ତାନ ଯାତ୍ରା କରିନଥିଲା। ଆଇସିସି ମଧ୍ୟସ୍ଥତାରେ ଭାରତ-ପାକିସ୍ତାନର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳାଯାଇଥିଲା। ଆଉ ଏହି ଗୋଟିଏ ମ୍ୟାଚ୍ରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା।