ନୂଆଦିଲ୍ଲୀ: ରୁଷ ଡ୍ରୋନ ଆକ୍ରମଣରେ ୟୁକ୍ରେନରେ ଭାରତର କୁସୁମ ଗ୍ରୁପର ଏକ ବଡ଼ ଔଷଧ ପ୍ଲାଣ୍ଟ୍ ନଷ୍ଟ ହୋଇଯାଇଛି । ଏହି ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ, ଏକାଧିକ ଆହତ ହୋଇଛନ୍ତି । ୟୁକ୍ରେନର ସୁମୀରେ ଥିବା ଏହି ପ୍ଲାଣ୍ଟର ମୁଖ୍ୟ ବିଲ୍ଡିଂର ଅଧିକାଂଶ ଅଂଶ ନଷ୍ଟ ହୋଇଯାଇଛି । ଅଧିକାରୀଙ୍କ କହିବା ଅନୁସାରେ, ମୃତାହତଙ୍କ ସଂଖ୍ୟା ବଢ଼ିପାରେ । ଆକ୍ରମଣ ପରେ ଅଞ୍ଚଳରେ ଧୂଆଁ ଉଠୁଥିବାର ଦେଖାଯାଉଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କି ଏକ୍ସ ପୋଷ୍ଟରେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହା ସହ ସେ ମୃତ ବ୍ୟକ୍ତିଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିପ୍ରୋରେ ଏକ କମ୍ୟୁନିକେସନ ସେଣ୍ଟର ଉପରେ ମଧ୍ୟରେ ଆକ୍ରମଣ ହୋଇଛି। ଯେଉଁଥିରେ ୬ ଜଣ ଆହତ ହୋଇଛନ୍ତି।

ସୂଚନାଥାଉକି, କୁସୁମ ଗ୍ରୁପ୍ ୧୯୯୪ରେ ଆରମ୍ଭ ହୋଇଥିଲା । ପ୍ରଥମେ ଏହା ଭାରତୀୟ ଔଷଧକୁ ୟୁକ୍ରେନକୁ ରପ୍ତାନୀ କରୁଥିବା ଏକ ଡ୍ରିଷ୍ଟିବ୍ୟୁଟର ଭାବରେ କାମ କରୁଥିଲା । ବର୍ତ୍ତମାନ ଭାରତୀୟ ରାଜୀବ ଗୁପ୍ତା ଏହାକୁ ପରିଚାଳନା କରୁଛନ୍ତି । ସୁମୀ ପ୍ଲାଣ୍ଟ ରୁଷ- ୟୁକ୍ରେନ୍ ଯୁଦ୍ଧ ସମୟରେ ବି କାମ କରୁଥିଲା। କିନ୍ତୁ ଏବେ ଏହା ଗୁରୁତର ପ୍ରଭାବିତ ହୋଇଛି । କ୍ଷତିର ଆକଳନ ପ୍ରାୟ ୪୦୦ କୋଟି ଟଙ୍କା କରାଯାଇଛି।

ତେବେ କୁସୁମ ଗ୍ରୁପ ୨୦୦୨ରେ ଅନ୍ୟ ଡ୍ରିଷ୍ଟ୍ରିବ୍ୟୁଟର ଛାଡ଼ି ନିଜ ବ୍ରାଣ୍ଡରେ ମାର୍କେଟିଂ ଆରମ୍ଭ କରିଥିଲା । ଏହା ପରେ ଗ୍ରୁପ୍ ନିଜେ ଉତ୍ପାଦନ କରିବା ଆରମ୍ଭ କରିଥିଲା । ଶେଷରେ ୨୦୦୭ରେ ଭାରତ ଏବଂ ୨୦୦୯ରେ ୟୁକ୍ରେନର ସୁମୀରେ ଗ୍ରୁପ୍ ଏହାର ପ୍ଲାଣ୍ଟ ଖୋଲିଥିଲା । ଏହା ପରେ ଆଉ ଦୁଇଟି ବ୍ରାଞ୍ଚ ମଧ୍ୟ ଖୋଲିଥିଲା। ଏହି ଗ୍ରୁପ୍ ୫୦ରୁ ଅଧିକ ଉତ୍ପାଦ ତିଆରି କରୁଛି ଏବଂ ତାହାକୁ ୯ରୁ ଅଧିକ ଦେଶରେ ବିକ୍ରି କରୁଛି। ମୁଖ୍ୟତଃ ୟୁକ୍ରେନ, ଉଜବେକିସ୍ତାନ, କଜାଖସ୍ତାନ ଏବଂ ଫିଲିପିନ୍ସକୁ କମ୍ପାନି ଏହାର ଔଷଧ ବିକ୍ରି କରୁଛି ।

Also Read: କିଭ୍‌ରେ ଧ୍ବଂସ ଲୀଳା ରଚିବ ପୁଟିନ ସେନା ? ବିଦେଶୀ ନାଗରିକଙ୍କୁ ତୁରନ୍ତ ସହର ଛାଡ଼ିବାକୁ ରୁଷର ନିର୍ଦ୍ଦେଶ

ଉଲ୍ଲେଖଯୋଗ୍ୟ, କିଛି ମାସ ହେବ ମସ୍କୋ ପ୍ରତିଦିନ ୟୁକ୍ରେନ ଉପରକୁ ଡଜନରୁ ଅଧିକ ଶାହେଦ ଡ୍ରୋନ ମାଡ଼ କରୁଛି । ଏହାକୁ ପ୍ରତିହତ କରିବାରେ ୟୁକ୍ରେନର ଏୟାର ଡିଫେନ୍ସ ଟିମକୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ୟୁକ୍ରେନ ଚଳିତ ସପ୍ତାହରେ ଏହାର ଘରୋଇ ବାଲିଷ୍ଟିକ୍ ମିସାଇଲ ଏଫପି-୭ର ପ୍ରଥମ ଯୁଦ୍ଧକାଳୀନ ବ୍ୟବହାର ନେଇ ମଧ୍ୟ ଘୋଷଣା କରିଥିଲା । ଯାହାର ରେଞ୍ଜ୍ ୨୫୦ କିମି ରହିଛି।