ନୂଆଦିଲ୍ଲୀ:ବିଶ୍ବରେ ବଢ଼ୁଥିବା ଭୂ-ରାଜନୈତିକ ସଙ୍କଟକୁ ଲକ୍ଷ୍ୟରେ ରଖି ଭାରତୀୟ ନୌସେନା ଏହାର ଶକ୍ତି ଏବଂ କ୍ଷମତାରେ ଲଗାତାର ବୃଦ୍ଧି କରିବାରେ ଲାଗିଛି। ଏହିକ୍ରମରେ ନୌସେନା ଖୁବ୍ ଶୀଘ୍ର ଅତ୍ୟାଧୁନିକ ସୁବିଧା ଥିବା ଜାହାଜକୁ ସାମିଲ କରିବାକୁ ଯାଉଛି। ସ୍ବଦେଶୀ ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ଆଧୁନିକ ଷ୍ଟେଲଥ ଫ୍ରିଗେଟ INS Taragiri (F41) ଜାହାଜ, ଆସନ୍ତା ଏପ୍ରିଲ ୩ ତାରିଖରେ ଭାରତୀୟ ନୌସେନାରେ ସାମିଲ ହେବ। ଏଥିପାଇଁ ଏକ ସ୍ବତନ୍ତ୍ର ସମାରୋହ ଆୟୋଜନ କରାଯାଇଥିବା ବେଳେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଥିରେ ମୁଖ୍ୟ ଅତିଥି ହେବେ।

ଆଇଏନଏସ ତାରାଗିରି ପ୍ରୋଜେକ୍ଟ ୧୭ଏ ଅନୁସାରେ ତିଆରି କରାଯାଇଥିବା ଚତୁର୍ଥ ଯୁଦ୍ଧପୋତ। ପ୍ରାୟ ୬,୬୭୦ ଟନ୍ ଓଜନର ଏହି ଜାହାଜ ମେକ ଇନ ଇଣ୍ଡିଆ ଅଭିଯାନର ଏକ ମଜଭୁତ ଉଦାହରଣ। ଏହାକୁ ମୁମ୍ବାଇ ସ୍ଥିତ ମଝଗାଓଁ ଡକ୍ ସିପବିଲଡର୍ସ ଲିମିଟେଡ (ଏମଡିଏଲ) ଦ୍ବାରା ନିର୍ମାଣ କରାଯାଇଛି।

ଯୁଦ୍ଧପୋତ ଆଧୁନିକ ଷ୍ଟେଲଥ ଜ୍ଞାନକୌଶଳରେ ନିର୍ମିତ

ଏହି ଯୁଦ୍ଧପୋତ ଆଧୁନିକ ଷ୍ଟେଲଥ ଜ୍ଞାନକୌଶଳରେ ନିର୍ମିତ। ଯାହାଦ୍ବାରା ଏହି ଜାହାଜର ରାଡାର ସିଷ୍ଟମ ସିଗ୍ନେଚର ଖୁବ କମ୍ ହୋଇଯାଏ। ଫଳରେ ଶତ୍ରୁ ପାଇଁ ଏହାକୁ ଧରିବା ସହଜ ହେବନାହିଁ। ଏହି ଖାସ ଜାହାଜକୁ ପ୍ରସ୍ତୁତ କରିବାରେ ୭୫ ପ୍ରତିଶତରୁ ଅଧିକ ସ୍ବଦେଶୀ ଉପକରଣର ବ୍ୟବହାର କରଯାଇଛି। ଯେଉଁଥିରେ ଦେଶର ୨୦୦ରୁ ଅଧିକ ଏମଏସଏମଇଙ୍କ ଯୋଗଦାନ ରହିଛି।

Also Read: India Diplomatic Win in Iran: ମୋଦୀ ସରକାରଙ୍କ ବଡ଼ କୂଟନୈତିକ ବିଜୟ, ହର୍ମୁଜ୍ ଜଳପଥରୁ ମୁକୁଳିଲା ୨୨ ଭାରତୀୟ ଜାହାଜ

ଆଇଏନଏସ ତାରାଗିରିରେ ଆଡଭାନ୍ସ ହତିଆର ପ୍ରଣାଳୀ ମଧ୍ୟ ରହିଛି। ସୁପରସୋନିକ ମିସାଇଲ, ମିଡିୟମ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ ଏବଂ ଆଣ୍ଟି- ସବମରିନ ଓ୍ବାରଫେୟାର ଭଳି କ୍ଷମତା ସାମିଲ ରହିଛି।ଏହା ସହ ଏଥିରେ ଆଧୁନିକ କମ୍ବାଟ ମ୍ୟାନେଜମେଣ୍ଟ ସିଷ୍ଟମ ମଧ୍ୟ ସେଟ୍ କରାଯାଇଛି। ଯାହା ଖୁବଶୀଘ୍ର ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ। ଏହି ଯୁଦ୍ଧପୋତ କେବଳ ଯୁଦ୍ଧ ପାଇଁ ନୁହେଁ, ବରଂ ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ସମୟରେ ଉଦ୍ଧାରରେ ମଧ୍ୟ ବ୍ୟବହାର ହୋଇପାରିବ।

ଆତ୍ମନିର୍ଭର ଭାରତ ଦିଗରେ ବଡ଼ ପଦକ୍ଷେପ

ଭାରତୀୟ ନୌସେନାର ଏହି ନୂଆ ଜାହାଜ ଦେଶର ବଢ଼ୁଥିବା ସାମୁଦ୍ରିକ ଶକ୍ତି ଏବଂ ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ବଡ଼ ପଦକ୍ଷେପ । ତାରାଗିରି ପୂର୍ବରୁ ସେବା ଦେଇସାରିଥିବା ଆଇଏନଏସ ତାରାଗିରିର ହିଁ ନୂଆ ରୂପ। ଯାହା ଏକ ଲିଏଣ୍ଡର ଶ୍ରେଣୀର ଯୁଦ୍ଧପୋତ ଥିଲା। ୧୯୮୦ ମେ ୧୬ରୁ ୨୦୧୩ ଜୁନ ୨୭ ପର୍ଯ୍ୟନ୍ତ ଭାରତୀୟ ନୌସେନାର ଅଂଶ ରହିଥିଲା। ଆଉ ପ୍ରାୟ ୩୩ ବର୍ଷ ଧରି ସେବା ଦେଇଥିଲା।