ନୂଆଦିଲ୍ଲୀ ୧୮।୦୮; ରାଜସ୍ଥାନରେ ଘଟିଛି ବଡ ଅଘଟଣ। ଝୁନଝୁନୁ ଜିଲ୍ଲା କାକରାନା ଗାଁରେ ଖେଳିଯାଇଛି ଗଭୀର ଶୋକର ଛାୟା। ମୁମ୍ବାଇର କୋଲାବା ନୌସେନା ନଗର ସ୍ଥିତ ସରକାରୀ ବାସଭବନରୁ ଉଦ୍ଧାର ହୋଇଛି ଭାରତୀୟ ନୌସେନା ଯବାନ ପୂରଣମଲ ମେହରା, ତାଙ୍କ ପତ୍ନୀ ଓମା ମେହେରା ଏବଂ ସେମାନଙ୍କର ଦୁଇ ନିଷ୍ପାପ ଶିଶୁଙ୍କ ମୃତଦେହ। ଗୋଟିଏ ପଟେ ଦେଶସେବାରେ ନିୟୋଜିତ ଜଣେ ସୈନିକଙ୍କୁ ହରାଇବାର ଦୁଃଖ, ଅନ୍ୟପଟେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ଆକସ୍ମିକ ମୃତ୍ୟୁ। ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।

ସୋମବାର ଦିନ ଯେତେବେଳେ ଚାରି ଜଣଙ୍କ ମୃତଦେହ ଗାଁରେ ପହଞ୍ଚିଥିଲା, ସେତେବେଳେ ପ୍ରତ୍ୟେକଟି ଆଖିରେ ଳୁହ ଭରି ଯାଇଥିଲା। ଏକ ଗମ୍ଭୀର ପରିବେଶ ମଧ୍ୟରେ ଶ୍ମଶାନ ଭୂମିରେ ସୈନିକ ପୂରଣମଲଙ୍କୁ ସେନା ପକ୍ଷରୁ 'ଗାର୍ଡ ଅଫ୍ ଅନର' ଦିଆଯାଇଥିଲା। ଏକାଠି ଗୋଟିଏ ଚିତାରେ ଯବାନ ଓ ତାଙ୍କ ପତ୍ନୀଙ୍କ ଅନ୍ତମ ସଂସ୍କାର କରାଯାଇଥିବା ବେଳେ ଦୁଇ ନିଷ୍ପାପ ପିଲାଙ୍କୁ କବର ଦିଆଯାଇଛି। ଗତ ୩ ଦିନ ଧରି ପରିବାର ଲୋକେ ପୂରଣମଲଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ବି ଫୋନ୍ ଉଠାଉନଥିଲେ। ପରେ ନୌସେନା ଅଧିକାରୀଙ୍କୁ ସୂଚନା ଦିଆଯିବା ପରେ ଶନିବାର ରାତିରେ ଏହି ଦୁଃଖଦ ଖବର ପରିବାର ନିକଟରେ ପହଞ୍ଚିଥିଲା।

ମୁମ୍ବାଇ ପୋଲିସର ପ୍ରାରମ୍ଭିକ ସୂଚନା ଅନୁଯାୟୀ, କୋଠରୀରେ ପୂରଣମଲ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ପତ୍ନୀ ଓ ଦୁଇ ପିଲାଙ୍କ ମୃତଦେହ ବିଛଣାରେ ପଡ଼ିଥିଲା। ୨୦୧୫ରୁ ନୌସେନାରେ ସେବା ଦେଉଥିବା ପୂରଣମଲ ଜଣେ ମିଳାପୀ ଓ ହୃଦୟବାନ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ। କାହା ସହିତ ତାଙ୍କର କୌଣସି ଶତ୍ରୁତା ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଏହା ଆତ୍ମହତ୍ୟା ନା ହତ୍ୟା।ପରିବାର ପକ୍ଷରୁ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ମୁମ୍ବାଇ ପୋଲିସ ଏବେ ପାରିବାରିକ ବିବାଦ, ମାନସିକ ଚାପ ସମେତ ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ତଦନ୍ତ ଚଳାଇଛି। ପୋଷ୍ଟମର୍ଟମ ଏବଂ ଫୋରେନସିକ୍ ରିପୋର୍ଟ ଆସିବା ପରେ ହିଁ ଏହି ହୃଦୟବିଦାରକ ମୃତ୍ୟୁର ପ୍ରକୃତ କାରଣର ପର୍ଦ୍ଦାଫାଶ ହୋଇପାରିବ।