ନୂଆଦିଲ୍ଲୀ: ଇରାନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ତେହେରାନର ଭାରତୀୟ ଦୂତାବାସ ଏକ ପରାମର୍ଶ ଜାରି କରିଛି। ମିଶନ୍ ସହିତ ପୂର୍ବ ସମନ୍ୱୟ ବିନା ଦେଶ ଛାଡିବା ପାଇଁ କୌଣସି ସ୍ଥଳ ସୀମାରେଖା ନିକଟକୁ ନଯିବାକୁ ଦୂତାବାସ ପରାମର୍ଶ ଦେଇଛି। ଦୂତାବାସ ଚେତାବନୀ ଦେଇଛି ଯେ, ଯେଉଁମାନେ ଇରାନ ଛାଡିଛନ୍ତି କିନ୍ତୁ ତୃତୀୟ ଦେଶରେ ପ୍ରବେଶ କରିପାରି ନାହାନ୍ତି ସେମାନଙ୍କୁ ସହାୟତା କରିଯାଇ ପାରିବନାହିଁ। ଦୂତାବାସ ଇରାନରେ ଥିବା ଭାରତୀୟମାନଙ୍କ ପାଇଁ ଜରୁରୀକାଳୀନ ନମ୍ବର ଜାରି କରିଛି ଏବଂ ସେମାନଙ୍କୁ ଯୋଗାଯୋଗରେ ରହିବାକୁ ଅନୁରୋଧ କରିଛି।

ତେହେରାନରେ ଥିବା ଭାରତୀୟ ଦୂତାବାସ କହିଛି, ‘ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ସେମାନେ ଦୂତାବାସ ସହିତ ଯୋଗାଯୋଗ ବିନା ଦେଶ ବାହାରକୁ ଯାତ୍ରା କରିବା ପାଇଁ ଇରାନର କୌଣସି ସ୍ଥଳ ସୀମାକୁ ନଯାଆନ୍ତୁ। ଦୟାକରି ଧ୍ୟାନ ଦିଅନ୍ତୁ, ଯଦି ଭାରତୀୟ ଇରାନ ଅଞ୍ଚଳ ଛାଡିଛନ୍ତି ଏବଂ ଅନ୍ୟ ଦେଶରେ ପ୍ରବେଶ କରିପାରି ନାହାନ୍ତି, ତେବେ ସେମାନଙ୍କୁ ଦୂତାବାସ ସହାୟତା ପ୍ରଦାନ କରିପାରିବ ନାହିଁ।’

ଦୂତାବାସ ହେଲ୍ପଲାଇନ୍ ନମ୍ବର +98-9128109115, +98-9128109102, +98-9128109109 ଏବଂ +98-9932179359 ସେୟାର କରିଛି, ଏବଂ କନସୁଲାର ସହାୟତା ପାଇଁ ଏକ ଇମେଲ୍ ଠିକଣା [email protected] ମଧ୍ୟ ପ୍ରଦାନ କରିଛି ।

ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସଂସଦରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ସେ କହିଥିଲେ ଯେ, ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଭାରତ ପାଇଁ ବିଶେଷ ଚିନ୍ତାର କାରଣ । ୧ କୋଟିରୁ ଅଧିକ ଭାରତୀୟ ଗଲ୍ଫ ଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ବାସ କରନ୍ତି ଏବଂ କାମ କରନ୍ତି।