ବେଲଫାଷ୍ଟ: ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜି(ଶୁକ୍ରବାର) ବେଲଫାଷ୍ଟର ସିଭିଲ୍ ସର୍ଭିସ୍ କ୍ରିକେଟ୍ କ୍ଲବରେ ଖେଳାଯାଉଛି। ଆଜିର ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଆୟରଲ୍ୟାଣ୍ଡ ୯ ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୧୮୨ ରନ୍ କରିଛି।

ଭାରତର ଦମଦାର ବୋଲିଂରେ ଆୟରଲ୍ୟାଣ୍ଡର ଓପନରମାନେ ମାଟି କାମୁଡ଼ିଥିଲେ। ତେବେ ଲୋରକାନ ଟକେରଙ୍କର ଲଢ଼ୁଆ ଅର୍ଦ୍ଧଶତକୀୟ ଇନିଂସ ଓ ଗାରେଥ ଡେଲାନୀଙ୍କ ୪୯ ରନର ଯୋଗଦାନ ଯୋଗୁ ଦଳ ସମ୍ମାନଜନକ ସ୍କୋର କରିପାରିଛି। ସେହିପରି ଭାରତ ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ।

ଆଜିର ମ୍ୟାଚରେ ଆୟରଲ୍ୟାଣ୍ଡ ଆରମ୍ଭରୁ ଦୁର୍ବଳ ପ୍ରଦର୍ଶନ କରିଥିଲା। ପାୱାରପ୍ଲେରେ ତିନୋଟି ୱିକେଟ ହରାଇଥିଲା ଦଳ। ହର୍ଷିତ ରାଣା ଆୟରଲ୍ୟାଣ୍ଡର ଓପନର ରସ୍ ଆଡାୟାର (୧୨ ରନ) ଏବଂ ଟିମ୍ ଟେକ୍ଟର (୧୭ ରନ)ଙ୍କୁ ଆଉଟ୍ କରି ଭାରତର ପକ୍ଷ ମଜଭୁତ କରିଥିଲେ। ଏହାପରେ ଅର୍ଶଦୀପ ସିଂହ ଅଭିଜ୍ଞ ବ୍ୟାଟର ହ୍ୟାରି ଟେକ୍ଟରଙ୍କୁ ଆଉଟ୍ କରି ଆୟୋଜକ ଦଳକୁ ଶକ୍ତ ଝଟକା ଦେଇଥିଲେ। ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ ଶିବମ୍ ଦୁବେ। ସେ ବେଞ୍ଜାମିନ୍ କେଲିଜ୍ (୧୫ ରନ)ଙ୍କୁ ଆଉଟ୍ କରିଥିଲେ।

ଏହିଠାରୁ ଅଧିନାୟକ ଲୋରକାନ ଟକର ଏବଂ ଗାରେଥ ଡେଲାନି ପଞ୍ଚମ ୱିକେଟ ପାଇଁ ଦଳରେ ୬୪ ରନ ଯୋଡିଥିଲେ। ଟକର ୩୬ ବଲରୁ ୫ ଚୌକା ଏବଂ ୨ ଛକା ସହାୟତାରେ ୫୦ ରନ କରିଥିଲେ। ହର୍ଷିତ ରାଣା ଟକରଙ୍କୁ ଆଉଟ କରି ଏହି ପାର୍ଟନର୍ସିପ୍ ଭାଙ୍ଗିଥିଲେ।

ଲୋରକାନ ଟକରଙ୍କ ଆଉଟ ପରେ, ଗାରେଥ ଡେଲାନି, ଜର୍ଜ ଡକରେଲଙ୍କ ସହିତ ମିଶି ମାତ୍ର ୧୬ ବଲରୁ ଷଷ୍ଠ ୱିକେଟ ପାଇଁ ୪୯ ରନ ଯୋଡିଥିଲେ। ୧୭ତମ ଓଭରରେ, ଉଭୟ ବ୍ୟାଟର ପ୍ରସିଦ୍ଧ କୃଷ୍ଣଙ୍କ ବଲରେ ଜବରଦସ୍ତ ପ୍ରହାର କରି ମୋଟ ୨୭ ରନ କରିଥିଲେ। ଡେଲାନି ୩୨ ବଲରୁ ୪୯ ରନର ଇନିଂସ ଖେଳିଥିଲେ, ଯେଉଁଥିରେ ତିନୋଟି ଛକା ଏବଂ ତିନୋଟି ଚୌକା ରହିଥିଲା।

ସେହିପରି ଡକରେଲ ୧୯ ରନ କରିଥିବା ବେଳେ ଶେଷରେ ଲିଆମ ମ୍ୟାକାର୍ଥି (୭ ରନ) ଏବଂ ମାଥ୍ୟୁ ହମ୍ଫ୍ରିସ୍ ୨ ରନ କରି ଆଉଟ ହୋଇଥିଲେ। ଭାରତ ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ଅର୍ଶଦୀପ ସିଂହ ଏବଂ ଅକ୍ଷର ପଟେଲ ପ୍ରତ୍ୟେକ ଦୁଇଟି ଲେଖାଏ ୱିକେଟ ନେଇଥିଲେ।

ବିଶ୍ୱକପ ପରେ ପ୍ରଥମ ଟି-୨୦

୨୦୨୬ ମସିହାରେ ICC ପୁରୁଷ T20 ବିଶ୍ୱକପ୍ ଜିତିବା ପରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଏହି ଫର୍ମାଟରେ ମ୍ୟାଚ୍ ଖେଳୁଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟର ଏବେ T20 ଦଳର ନେତୃତ୍ୱ ନେଉଛନ୍ତି। ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବିଜୟ ସହିତ ସିଜିନ୍ ଆରମ୍ଭ କରିବାକୁ ଚେଷ୍ଟା କରିବ।

ସୂର୍ଯ୍ୟବଂଶୀଙ୍କୁ ମିଳିଲାନି ସୁଯୋଗ

ତେବେ ଏହି ମ୍ୟାଚରେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ବୈଭବ ସୂର୍ଯ୍ୟବଂଶୀ। ହେଲେ ତାଙ୍କୁ ଆଜିର ମ୍ୟାଚ୍ ପାଇଁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳି ନାହିଁ। ଅର୍ଥାତ୍ ୧୫ ବର୍ଷୀୟ ବୈଭବଙ୍କ ଡେବ୍ୟୁ ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ।

ଭାରତ ବନାମ ଆୟରଲ୍ୟାଣ୍ଡ

ଭାରତ ଏବଂ ଆୟରଲ୍ୟାଣ୍ଡ ଏପର୍ଯ୍ୟନ୍ତ ୮ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଭାରତୀୟ ଦଳ ସମସ୍ତ ୮ଟି ମ୍ୟାଚ୍ ଜିତିଛି। ତେବେ ଭାରତ ଓ ଆୟରଲ୍ୟାଣ୍ଡ ମଧ୍ୟରେ ବେଲଫାଷ୍ଟରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଏହା ପୂର୍ବରୁ ୨୦୦୭ ମସିହାରେ, ଏହି ଗ୍ରାଉଣ୍ଡରେ ଦୁଇ ଦଳ ମଧ୍ୟରେ ଏକ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ବି ଭାରତ ୯ ୱିକେଟରେ ବାଜିମାତ୍ କରିଥିଲା।