ଅହମଦାବାଦ: ଦିନିକିଆ ପରେ ଟି-୨୦ ସିରିଜ ଜିତିଲା ଭାରତ। ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଆଜି ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ଆଜିର ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୩୦ ରନ୍‌ରେ ପରାସ୍ତ କରି ସିରିଜ୍ ୩-୧ରେ କବ୍‌ଜା କରି ନେଇଛି। ଏଥିସହିତ ଭାରତ ଲଗାତାର ଅଷ୍ଟମ ଥର ଟି-୨୦ ସିରିଜ ବିଜୟୀ ହୋଇଛି। ଯଦିଓ ସୂର୍ଯ୍ୟକୁମାର ଯାଦବ ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି, ତେବେ ତାଙ୍କ ନେତୃତ୍ୱେର ଭାରତ ଟି-୨୦ରେ ଭଲ ପ୍ରଦର୍ଶନ ଜାରି ରଖିଛି।  

ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ହରାଇ ୨୩୧ ରନ୍ କରିଥିଲା। ୨୩୨ ରନ୍ ଟାର୍ଗେଟ୍‌କୁ ପିଛା କରି ଦକ୍ଷିଣ ଆଫ୍ରିକା ୮ ୱିକେଟ ହରାଇ ୨୦୧ ରନ୍ କରିପାରିଛି। ଦଳ ପକ୍ଷରୁ କ୍ୱିଣ୍ଟନ ଡି କକ ସର୍ବାଧିକ ୬୩ ରନ୍ କରିଥିବା ବେଳେ ଡିୱାଲ୍ଡ ବ୍ରେଭିସ ୩୧ ରନ୍, ଡେଭିଡ ମିଲର ୧୮ ଓ ଜର୍ଜ ଲିଣ୍ଡେ ୧୬ ରନ୍ କରିଥିଲେ।​​​​​​​

ଭାରତର ବିଶାଳ ସ୍କୋରକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ୬ ଓଭରରେ ଦଳ ୬୯ ରନ୍ କରି ନେଇଥିଲା। ହେଲେ ସପ୍ତମ ଓଭର ତୃତୀୟ ବଲ୍ରେ ଦକ୍ଷିଣ ଆଫ୍ରିକା ଓପନର ରିଜା ହେଣ୍ଡ୍ରିକ୍ସକୁ ବରୁଣ ଚକ୍ରବର୍ତ୍ତୀ କ୍ୟାଚ୍ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେକ୍ୱିଣ୍ଟନ ଡି କକ୍ ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେଇଥିଲେ। ତେବେ ୧୦.୨ ଓଭର ଖେଳ ବେଳକୁ ବୁମ୍ରା ଡି କକଙ୍କୁ କ୍ୟାଚ୍ ଆଉଟ୍ କରି ଦ୍ୱିତୀୟ ସଫଳତା ଦେଇଥିଲେ। ଏହାପରେ ଗୋଟିଏ-ଦୁଇ ଓଭର ବ୍ୟବଧାନରେ ଦକ୍ଷିଣ ଆଫ୍ରିକାର ୱିକେଟ ପତନ ଧାରା ଜାରି ରହିଥିଲା।

ତଥାପି ଦକ୍ଷିଣ ଆଫ୍ରିକାର ବ୍ୟାଟରମାନେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। ଲାଗୁଥିଲା ଦଳ କେତେବେଳେ ବି ମ୍ୟାଚ୍ ଜିତିଯାଇପାରେ। ହେଲେ ବରୁଣ ଚକ୍ରବର୍ତ୍ତୀଙ୍କର ସ୍ପିନ ଯାଦୁ ବଳରେ ଆଡେନ ମାର୍କରମ,ଡିନୋଭନ ପରେରା, ଜର୍ଜ ଲିଣ୍ଡେଙ୍କ ଭଳି ବ୍ୟାଟର ଆଉଟ ହୋଇଯାଇଥିଲେ। ପାଣ୍ଡ୍ୟା ମଧ୍ୟ ଡିୱାଲ୍ଡ ବ୍ରେଭିସ୍‌କୁ ଆଉଟ୍ କରି ବିପକ୍ଷ ଟିମ୍ର ବ୍ୟାଟିଂ ଲାଇନ ଭାଙ୍ଗି ଦେଇଥିଲେ। କ୍ୱିଣ୍ଟନ ଡି କକ୍ ଓମାର୍କୋ ୟାନସେନ୍‌ଙ୍କ ଭଳି ହିଟରଙ୍କୁ ଆଉଟ୍ କରି ବୁମ୍ରା ଭାରତର ବିଜୟ ପକ୍କା କରାଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୨୦୧ ରନ୍ ହିଁ କରିପାରିଥିଲା।

ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ ବୁମ୍ରା ୨ଟି, ପାଣ୍ଡ୍ୟା ଓ ଅର୍ଶଦୀପ ସିଂହ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। 

ଭାରତର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା, ତିଲକ ବର୍ମା ଏବଂ ବରୁଣ ଚକ୍ରବର୍ତ୍ତୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହାର୍ଦ୍ଦିକ ୬୩ ରନ କରିଥିଲେ ଏବଂ ଗୋଟିଏ ୱିକେଟ ନେଇଥିଲେ। ସେହିଭଳି ତିଲକ ବର୍ମା ୭୩ ରନ କରିଥିଲେ। ଅନ୍ୟପଟେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ୪ଟି ୱିକେଟ ନେଇଥିଲେ। ଏହି ବିଜୟ ସହିତ ଭାରତ ୨୦୨୫ ଟି-୨୦ ଅନ୍ତର୍ଜାତୀୟ ସିରିଜ୍‌ର ଜବରଦସ୍ତ ଭାବରେ ଶେଷ କରିଛି।

ଏହା ପୂର୍ବରୁ କଟକରେ ଖେଳାଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଭ୍ରମକାରୀ ଦଳକୁ ୧୦୧ ରନରେ ପରାସ୍ତ କରିଥିଲା। ତା'ପରେ ମୁଲ୍ଲାଁପୁରରେ ଖେଳାଯାଇଥିବା  ମ୍ୟାଚ୍‌କୁ ଦକ୍ଷିଣ ଆଫ୍ରିକା ୫୧ ରନରେ ଜିତି ନେଇଥିଲା। ତେବେ ଧର୍ମଶାଳାରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ସାତ ୱିକେଟରେ ବିଜୟୀ ହୋଇଥିଲା। ଚତୁର୍ଥ ମ୍ୟାଚ୍‌ ଲକ୍ଷ୍ନୌରେ କୁହୁଡ଼ି ଯୋଗୁ ବାତିଲ କରାଯାଇଥିଲା। ଆଉ ଅହମଦାବାଦରେ ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌କୁ ୩୦ ରନ୍‌ରେ ଜିତି ଭାରତ ୩-୧ରେ ସିରିଜ କବ୍‌ଜା କରି ନେଇଛି।