LIVE TV

ଆମେରିକାକୁ ଭାରତର ଦୁଇ ପଦ, ଏହି ଦେଶଙ୍କ ଉପରୁ ହଟାଅ କଟକଣା, ଆମେ ଋଷିଆରୁ ତେଲ କିଣା ବନ୍ଦ କରିବୁ

NEWS7
refinary

ନୂଆଦିଲ୍ଲୀ ୨୬।୯: ଆମେରିକାକୁ ଭାରତ ସ୍ପଷ୍ଟ ଶବ୍ଦରେ କହିଛି ଆମେ ଋଷିଆରୁ ତେଲ କିଣା ସେତେବେଳେ କମ କରିବୁ ଯେତେବେଳେ ଇରାନ ଓ ଭେନଜୁଏଲା ଭଳି ନିଷିଦ୍ଧ ଦେଶରୁ ଆମକୁ ତେଲ କିଣା ଅନୁମତି ମିଳିବ। ଏହି ବୟାନ  ବୈଶ୍ୱିକ ବଜାରରେ ଭାରତର ରଣନୈତିକ ସ୍ଥିତିକୁ ଦର୍ଶାଉଛି, ଯାହା ନିଜର ଇନ୍ଧନ ଆବଶ୍ୟକତା ପୂରଣ ନିମନ୍ତେ ବିବିଧ ସ୍ରୋତ ଉପରେ ନିର୍ଭରଶୀଳ। ନିକଟରେ ଯୁକ୍ତରାଷ୍ଟ୍ରରେ ହୋଇଥିବା ଏକ ବୈଠକରେ ଭାରତ ଏହି ଦାବି ଦୋହରାଇଛି।

ଭାରତ ବିଶ୍ୱର ତୃତୀୟ ବୃହତ୍ତ ତୈଳ ଆମଦାନୀକାରୀ ଦେଶ। ଏଣୁ ଋଷିଆରୁ ଶସ୍ତା ତୈଳ ଆମଦାନୀକୁ ଭାରତ ନିକଟ ଅତୀତରେ ବୃଦ୍ଧି କରିଛି। ତେବେ ପାଶ୍ଚାତ୍ୟ ଦେଶ ବିଶେଷ କରି ଯୁକ୍ତରାଷ୍ଟ୍ର ଋଷିଆ ତୈଳ କ୍ରୟ ବନ୍ଦ କରିବାକୁ ଭାରତ ଉପରେ ଚାପ ପକାଉଛି। ତେବେ ଏହାର ଜବାବରେ ଭାରତ କହିଛି ଯେ ଆମଦାନୀ ବନ୍ଦ କରିବାକୁ ହେଲେ ବିକଳ୍ପ ଉପଲବ୍ଧ ହେବା ଜରୁରି, ଯେଉଁଥିରେ ଇରାନ ଓ ଭେନଜୁଏଲ ଭଳି ଦେଶରୁ ତୈଳ ଆମଦାନୀ ଅନୁମତି ମିଳିବା ଦରକାର। ତେବେ ଏହି ଦେଶଙ୍କ ଉପରେ ଯୁକ୍ତରାଷ୍ଟ୍ରର କଟକଣା ରହିଛି।

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ ଚଳିତ ସପ୍ତାହରେ ଆମେରିକା ଗସ୍ତରେ ଥିବା ଭାରତୀୟ ଅଧିକାରୀଙ୍କ ଏକ ଟିମ୍ ସେମାନଙ୍କ ଯୁକ୍ତରାଷ୍ଟ୍ର ସମକକ୍ଷଙ୍କ ନିକଟରେ ଏହି ପ୍ରସଙ୍ଗକୁ ସିଧାଶଳଖ ଉପସ୍ଥାପନ କରିଛନ୍ତି। ଭାରତୀୟ ପ୍ରତିନିଧି ମଣ୍ଡଳ କହିଛନ୍ତି ଯେ ଯଦି ଭାରତକୁ ଏକକାଳୀନ ଋଷିଆ, ଇରାନ ଓ ଭେନଜୁଏଲା କ୍ରୁଡ ଯୋଗାଣ ବନ୍ଦ ହୋଇଯାଏ ତେବେ ବୈଶ୍ୱିକ ତୈଳ ମୂଲ୍ୟ ବୃଦ୍ଧି ହେବ। ଏହି ଚର୍ଚ୍ଚା ଏପରି ସମୟରେ ହୋଇଛି ଯେତେବେଳେ ଭାରତ ଓ ଯୁକ୍ତରାଷ୍ଟ୍ର ମଧ୍ୟରେ ବ୍ୟବସାୟୀକ ଉତ୍ତେଜନା ବୃଦ୍ଧି ପାଇଛି। ନିକଟରେ ଯୁକ୍ତରାଷ୍ଟ୍ର ଋଷିଆରୁ ତେଲ କିଣା ନେଇ ଭାରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିଛି। ଫଳରେ ଭାରତ ଉପରେ ଆମେରିକୀୟ ଶୁଳ୍କ ୫୦%କୁ ପହଞ୍ଚି ଯାଇଛି।

ୟୁକ୍ରେନ ସହ ଯୁଦ୍ଧ ପରେ ଅନ୍ୟ କ୍ରେତାଙ୍କ ଦ୍ୱାରା କ୍ରୟ କମ ହେବା ଯୋଗୁ ଭାରତକୁ ଋଷିଆ ରିହାତୀ ଦରରେ ତୈଳ ଯୋଗାଇ ଦେଉଛି। ଭାରତ ତାର ବାର୍ଷିକ ତୈଳ ଆବଶ୍ୟକତାର ୯୦% ତୈଳ ବିଦେଶରୁ ଆମଦାନୀ କରିଥାଏ। ଏଥିରେ ଋଷିଆ, ଇରାନ ଓ ଭେନଜୁଏଲାରୁ ତୈଳ ଶସ୍ତାରେ ଉପଲବ୍ଧ ହେଉଥିବାରୁ ଭାରତର ଆମଦାନୀ ବିଲକୁ କମ କରିବାରେ ସହାୟକ ହେଉଛି। ଏଥିରେ ଇରାନ ଓ ଭେନଜୁଏଲାରୁ ଭାରତର ତୈଳ ଆମଦାନୀ ବନ୍ଦ ଥିବା ବେଳେ ଋଷିଆରୁ ଆମଦାନୀ ବନ୍ଦ କରିଦେଲେ ବୈଶ୍ୱିକ ତୈଳ ବଜାରରେ ଦର ବୃଦ୍ଧିର କାରଣ ହେବ।