ନୂଆଦିଲ୍ଲୀ,୨୮/୦୪ : ଶକ୍ତିଶାଳୀ ହେଉଛି ଭାରତ । ବଢୁଛି ସାମରିକ ଶକ୍ତି । ଭାରତୀୟ ସେନାର ଶକ୍ତି ଦିନକୁ ଦିନ ବୃଦ୍ଧି ପାଉଛି । ଏହାସହ ସେନା ବା ପ୍ରତିରକ୍ଷା କ୍ଷେତ୍ର ରେ ସର୍ବାଧିକ ଖର୍ଚ୍ଚ କରିଥିବା ଦେଶ ତାଲିକାରେ ଭାରତ ୫ ନମ୍ବରରେ ପହଁଚିଛି ।

ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ରିପୋର୍ଟ ଅନୁସାରେ, ଭାରତ ନିଜର ସାମରିକ ଖର୍ଟ୍ଟରେ ବୃଦ୍ଧି କରିଛି । ପୂର୍ବ ଖର୍ଚ୍ଚ ତୁଳନାର ସାମରିକ ଖର୍ଚ୍ଚ ୮.୯ ପ୍ରତିଶତ ବୃଦ୍ଧି ପାଇ ୯୨.୧ ବିଲିୟନ ଡଲାରରେ ପହଁଚିଛି । ସାରା ବିଶ୍ୱରେ ସେନା ଉପରେ ୨୮୮୭ ବିଲିୟନ ଡଲାର ଖର୍ଚ୍ଚ ହୋଇଛି । ଲଗାତାର ୧୧ ବର୍ଷ ଧରି ସମସ୍ତ ଦେଶ ନିଜ ସାମରିକ ଶକ୍ତିରେ ଅଧିକ ବ୍ୟୟ କରିଛନ୍ତି । ଭାରତ ଏବଂ ଜର୍ମାନୀ ବଜେଟର ସବୁଠି ଅଧିକ ପ୍ରତିଶତ ସାମରିକ ଶକ୍ତି ବୃଦ୍ଧିରେ ଖର୍ଚ୍ଚ କରୁଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ସେନା ଉପରେ ଅଧିକ ଖର୍ଚ୍ଚ ଦେଶ ତାଲିକାରେ ଆମେରିକା, ଚୀନ୍, ଋଷିଆ ଏବଂ ଜର୍ମାନୀ ରହିଛନ୍ତି । ଏହା ପଛକୁ ପଞ୍ଚମ ସ୍ଥାନରେ ଭାରତ ରହିଛି । ଗତବର୍ଷ ପାକିସ୍ତାନ ସହ ହୋଇଥିବା ସଙ୍ଘର୍ଷ ପରେ ଭାରତ ମିସାଇଲ, ଡ୍ରୋନ୍ ଏବଂ ଲଢୁଆ ବିମାନରେ ଅଧିକ ଖର୍ଚ୍ଚ କରିଛି ।

ସେହିପରି ପାକିସ୍ତାନ ମଧ୍ୟ ନିଜ ସାମରିକ ଖର୍ଚ୍ଚକୁ ବୃଦ୍ଧି କରିଛି । ଭାରତର ଶତ୍ରୁ ଦେଶ ସାମରିକ ଖର୍ଚ୍ଚରେ ୧୧ ପ୍ରତିଶତ ବୃଦ୍ଧି କରିଛି । ଯାହା ପ୍ରାୟ ୧୧.୯ ବିଲିୟନ ଡଲାର । ଚୀନରୁ ଅନେକ ବିମାନ ଅର୍ଡର ଦିଆଯାଇଛି । ଅନ୍ୟ ଦିଗରେ ଆମେରିକା ସାମରିକ ଖର୍ଚ୍ଚରେ ୨୦୨୪ ତୁଳନାରେ ୨୦୨୫ରେ ୭.୫ ପ୍ରତିଶତ ଖର୍ଚ୍ଚ କାଟ୍ କରିଛି । ୟୁରୋପ ସାମରିକ ଖର୍ଚ୍ଚକୁ ୧୪ ପ୍ରତିଶତ ବୃଦ୍ଧି କରିଛି । ଏସିଆରେ ମଧ୍ୟ ସାମରିକ ଖର୍ଚ୍ଚ ୮.୧ ପ୍ରତିଶତ ବୃଦ୍ଧି ପାଇଛି ।

ଏତତ୍ ବ୍ୟତୀତ ଇସ୍ରାଏଲର ସୈନ୍ୟ ଖର୍ଚ୍ଚ ୪.୯ ପ୍ରତିଶତ ହ୍ରାସ ପାଇ ୪୮.୩ ବିଲିୟନ ଡଲାର ହୋଇଛି । ଇରାନ ମଧ୍ୟ ଲଗାତାର ଦ୍ୱିତୀୟ ବର୍ଷ ଖର୍ଚ୍ଚ ହ୍ରାସ କରିଛି । ନାଟୋର ସୈନ୍ୟ ଖର୍ଚ୍ଚ ୧୪ ପ୍ରତିଶତ ବୃଦ୍ଧି ପାଇ ୮୬୪ ବିଲିୟନ ଡଲାର ପହଁଚିଛି ।