ନୂଆଦିଲ୍ଲୀ: ଭାରତ ଇବୋଲା ପ୍ରସରୁଥିବା ଦେଶରୁ ଆସୁଥିବା ଓ ସେହିସବୁ ଦେଶ ଦେଇ ଯାଉଥିବା ଯାତ୍ରୀଙ୍କ ଲାଗି ଏକ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରିଛି। ଏଥିରେ ଲକ୍ଷଣ ଓ ଜଟିଳତା ଇତିହାସ ଥିବା ଯାତ୍ରୀଙ୍କୁ ଇମିଗ୍ରେସନ ମଞ୍ଜୁରୀ ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଏୟାରପୋର୍ଟ ହେଲଥ୍ ଅର୍ଗାନାଇଜେସନ (ଏପିଏଚଓ) ଦିଲ୍ଲୀ ଏୟାରପୋର୍ଟରେ ଏହି ପରାମର୍ଶ ପ୍ରଦର୍ଶିତ କରିଛନ୍ତି।

ଏପିଏଚଓ ଅନୁସାରେ ଆଗମନର ୨୧ ଦିନ ପରେ ଲକ୍ଷଣ ଦେଖାଗଲେ ଯାତ୍ରୀଙ୍କୁ ତତ୍କାଳ ଚିକିତ୍ସା ସହାୟତା ନେବାକୁ କୁହାଯାଇଛି। ଏଥିରେ ଅଧିକାରୀଙ୍କୁ ତାଙ୍କ ପିଛିଲା ଯାତ୍ରା ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଦ୍ୱାରା ଡେମୋକ୍ରାଟିକ ରିପବ୍ଲିକ୍ ଅଫ କଙ୍ଗୋ (ଡିଆରସି) ଓ ୟୁଗାଣ୍ଡାରେ ବ୍ୟାପିଥିବା ଇବୋଲାକୁ ପବ୍ଲିକ୍ ହେଲଥ୍ ଏମାର୍ଜେନ୍ସୀ ଅଫ ଇଣ୍ଟରନ୍ୟାସନାଲ କନସର୍ଣ୍ଣ ଘୋଷଣା କରିଛନ୍ତି। ଏଥି ପାଇଁ ଡିଜିଏଚଏସ ସବୁ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଆଡଭାଇଜରୀ ପଠାଇଛନ୍ତି।

ଭାରତରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ବରିଷ୍ଠ ଅଧିକାରୀ, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ଇଣ୍ଟିଗ୍ରେଟେଡ ଡିଜିଜ୍ ସର୍ଭିଲାନ୍ସ ପ୍ରୋଗ୍ରାମ ଓ ଅନ୍ୟ ସମ୍ପର୍କିତ ବିଭାଗମାନେ ପରିସ୍ଥିତି ସମୀକ୍ଷା କରିଛନ୍ତି ଓ ସାର୍ବଜନିକ ସ୍ୱାସ୍ଥ୍ୟ ଉପାୟକୁ ମଜଭୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଜନୈକ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଏ ପର୍ଯ୍ୟନ୍ତ ଭାରତରେ ଇବୋଲାର କୌଣସି ମାମଲା ସାମ୍ନାକୁ ଆସି ନାହିଁ। ଏଣୁ ଦେଶ ପାଇଁ ବିପଦ ବହୁତ କମ୍। ତେବେ ସତର୍କତା ସ୍ୱରୂପ ସର୍ଭିଲାନ୍ସ ଓ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି।

ତେବେ ମୋଦି ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ ଭାରତ ଆସିବାର ୨୧ ଦିନ ମଧ୍ୟରେ ଲକ୍ଷଣ ଦେଖା ଗଲେ ତୁରନ୍ତ ଡାକ୍ତରଙ୍କୁ ଭେଟନ୍ତୁ ଓ ନିଜର ଟ୍ରାଭେଲ ହିଷ୍ଟ୍ରି ସୂଚିତ କରନ୍ତୁ। ଏବେ ଏଏଚଓ ପୁରା ପ୍ରକ୍ରିୟାର ଦେଖରେଖ କରୁଛନ୍ତି। ଇବୋଲା ଏକ ଅତ୍ୟନ୍ତ ଦୂରାରୋଗ୍ୟ ବ୍ୟାଧି। ଏଥି ପାଇଁ କେନ୍ଦ୍ର ସରକାର ଯାତ୍ରୀଙ୍କୁ ହେଲଥ୍ ସ୍କ୍ରିନିଂରେ ସହଯୋଗ କରିବାକୁ ଅପିଲ କରିଛନ୍ତି।