ନୂଆଦିଲ୍ଲୀ: ଦେଶରେ ସେକ୍ସ ଏଜୁକେସନକୁ ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ପିଲାଙ୍କୁ ଯୌନ ସମ୍ପର୍କିତ ଶିକ୍ଷା ଦିଆଯିବା ଆବଶ୍ୟକ ବୋଲି ଅନେକ ସମୟରେ ଦାବି ହେଉଛି। ଏଥିପାଇଁ କିଛି ବୁଦ୍ଧିଜୀବୀ ଭିନ୍ନ ଭିନ୍ନ ଯୁକ୍ତି ମଧ୍ୟ ରଖିଥାନ୍ତି। ଭାରତ ବର୍ଷରେ ବୈଦିକ ଯୁଗରୁ ଗୁରୁକୁଳମାନଙ୍କରେ ଏହି ଶିକ୍ଷା ଦିଆଯାଉଥିଲା। ସମୟ ସଭ୍ୟତା ପରିବର୍ତ୍ତନ ଅନୁସାରେ ଏହାକୁ ହଟାଇ ଦିଆଗଲା ବୋଲି ସେମାନେ କୁହନ୍ତି।

ହେଲେ ଏବେ ସରକାର ସେକ୍ସ ଏଜୁକେସନକୁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ପୁଣିଥରେ ଯୋଡ଼ିବାକୁ ଯାଉଛନ୍ତି। ତେଣୁ ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ସ୍କୁଲ ଓ କଲେଜଗୁଡ଼ିକରେ ସେକ୍ସ ଏଜୁକେସନ ପ୍ରଚଳନ କରିବା ପାଇଁ ଏକ ବିଶେଷଜ୍ଞ କମିଟିର ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିଥିବା ସୁପ୍ରିମକୋର୍ଟରେ ଜଣାଇଛନ୍ତି।

'ଦ ଟାଇମ୍ସ ଅଫ୍ ଇଣ୍ଡିଆ' (TOI)ର ଏକ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କୋର୍ଟଙ୍କ ଅନୁମୋଦନ ମିଳିବା ପରେ ଏହି ପାଠ୍ୟକ୍ରମ ସାରା ଦେଶରେ କାର୍ଯ୍ୟକାରୀ କରାଯିବ। ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟ ଭାଟି ବିଚାରପତି ବି.ଭି. ନାଗରତ୍ନା ଏବଂ ଆର. ମହାଦେବନଙ୍କ ଖଣ୍ଡପୀଠ ସମ୍ମୁଖରେ ଏହି ସୂଚନା ରଖିଛନ୍ତି। କେନ୍ଦ୍ର ପକ୍ଷରୁ ହାଜର ହୋଇ ଅତିରିକ୍ତ ସଲିସିଟର ଜେନେରାଲ ଏଶ୍ୱର୍ଯ୍ୟା ଭାଟି କହିଛନ୍ତି ଯେ, ସରକାର ଏହି ବିଶେଷଜ୍ଞ କମିଟିର ରିପୋର୍ଟକୁ ଗ୍ରହଣ କରିଛନ୍ତି ଏବଂ ଦେଶବ୍ୟାପୀ ଏହାକୁ ଲାଗୁ କରିବାକୁ ପ୍ରସ୍ତୁତ ଅଛନ୍ତି।

Also Read- ଆମେରିକା- ବ୍ରିଟେନ ଫେଲ୍ ! ଚାକିରି ଓ ପାଠପଢ଼ା ପାଇଁ ଏହି ଦେଶ ସବୁଠାରୁ ଶ୍ରେଷ୍ଠ

ସୋମବାର ସୁପ୍ରିମକୋର୍ଟ କିଶୋରମାନଙ୍କ ମଧ୍ୟରେ ସହମତି ଭିତ୍ତିକ ପ୍ରେମ ସମ୍ପର୍କ ଜଡିତ ମାମଲାରେ POCSO ଆଇନର ଅପବ୍ୟବହାର ଉପରେ ଚିନ୍ତା ପ୍ରକଟ କରିଥିଲେ। ଅନେକ କ୍ଷେତ୍ରରେ, ୧୬ ରୁ ୧୮ ବର୍ଷ ବୟସର କିଶୋରମାନେ ସମ୍ପର୍କ ରଖିବା ପରେ ଘରୁ ଚାଲିଯାଆନ୍ତି ଏବଂ ପିତାମାତା ମିଥ୍ୟା ସମ୍ମାନ ନାମରେ ଅପରାଧିକ ମାମଲା ଆରମ୍ଭ କରନ୍ତି। ଏହା ଏକ ଚିନ୍ତାଜନକ ବିଷୟ ବୋଲି ସୁପ୍ରିମକୋର୍ଟ ଉଲ୍ଲେଖ କରିଥିଲେ।

ଏହାପରେ POCSO ଆଇନ ପରିପ୍ରେକ୍ଷୀରେ ସହମତିରେ ଯୌନ ସମ୍ପର୍କ ରଖୁଥିବା କିଶୋରମାନଙ୍କ ଗୋପନୀୟତା ଅଧିକାର ସହିତ ଜଡିତ ପ୍ରସଙ୍ଗଗୁଡ଼ିକର ଯାଞ୍ଚ କରିବା ପାଇଁ କେନ୍ଦ୍ର ସରକାର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ ୨୬ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଗଠନ କରିଥିଲେ। ଏହି ୨୬ ଜଣିଆ ଜାତୀୟ ବିଶେଷଜ୍ଞ କମିଟିରେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ (TISS), କ୍ଲିନିକାଲ ସାଇକୋଲୋଜିଷ୍ଟ, କେନ୍ଦ୍ର ମନ୍ତ୍ରଣାଳୟ, ରାଜ୍ୟ ସରକାର, ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (NCPCR) ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ (NALSA) ର ପ୍ରତିନିଧିମାନେ ସାମିଲ ଅଛନ୍ତି।

ଏହି କମିଟି ଯେଉଁ ସୁପାରିଶ କରିଛି ସେଗୁଡିକ ହେଲା-

୧. ମୁଖ୍ୟ ପାଠ୍ୟକ୍ରମର ଅଂଶ ଭାବେ ବ୍ୟାପକ ଯୌନ ଶିକ୍ଷା(Comprehensive sex education)କୁ ଅନ୍ତର୍ଭୁକ୍ତ କରିବା।
୨. ସ୍କୁଲ ଶିକ୍ଷାରେ ଶିଶୁ ଯୌନ ଶୋଷଣ ବିଷୟରେ ସଚେତନତା ସୃଷ୍ଟି କରିବା।
୩. ଭିତ୍ତିଭୂମି ସ୍ତରରୁ ଶରୀରର ସୁରକ୍ଷା, ସ୍ୱଚ୍ଛତା, ଶରୀରର ଅଙ୍ଗପ୍ରତ୍ୟଙ୍ଗ ଏବଂ ସୁରକ୍ଷିତ ବା ଅସୁରକ୍ଷିତ ସ୍ପର୍ଶ (Safe and Unsafe Touch) ବିଷୟରେ ଶିକ୍ଷା ଦେବା।
୪. ଏହି ପାଠ୍ୟକ୍ରମ ଏବଂ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ NCERT କୁ ନିର୍ଦ୍ଦେଶ ଦେବାକୁ କମିଟି ସୁପାରିଶ କରିଛି।

କମିଟି ସୁପାରିସ କରିଛି ଯେ କିଶୋର ଶିକ୍ଷା କାର୍ଯ୍ୟକ୍ରମଗୁଡ଼ିକୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ସହିତ ସମନ୍ୱୟ କରାଯିବା ଆବଶ୍ୟକ। ଏହା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ, ସମାଲୋଚନାତ୍ମକ ଚିନ୍ତାଧାରା ଏବଂ ଜୀବନ ଦକ୍ଷତା ବୃଦ୍ଧି ପାଇଁ ଥିବା କାର୍ଯ୍ୟକ୍ରମଗୁଡ଼ିକୁ ସମୀକ୍ଷା ଓ ଶକ୍ତିଶାଳୀ କରିବାକୁ ପ୍ରସ୍ତାବ ଦେଇଛି। ଏହାସହ ପ୍ରାଥମିକ ସ୍କୁଲ ସ୍ତରରୁ ସପ୍ତାହରେ ଦୁଇଥର ୧୫ ରୁ ୨୦ ମିନିଟ୍ ପାଇଁ ଏହି ବିଷୟରେ କ୍ଲାସ୍ ନେବାକୁ ସ୍ୱତନ୍ତ୍ର ବିଶେଷଜ୍ଞ ଶିକ୍ଷକ ନିଯୁକ୍ତ କରିବାକୁ କୁହାଯାଇଛି।

କେବଳ ସେତିକି ନୁହେଁ, ଏଥିରେ ଅଭିଭାବକମାନଙ୍କୁ ସାମିଲ କରିବାକୁ କମିଟି ଜୋର୍ ଦେଇଛି। ରିପୋର୍ଟରେ କୁହାଯାଇଛି ଯେ ସଚେତନତା କେବଳ ଶ୍ରେଣୀଗୃହ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ପିଲାମାନଙ୍କର ବିକାଶମୂଳକ ପର୍ଯ୍ୟାୟ ଏବଂ ବୟସ ଅନୁଯାୟୀ ଯୌନ ଶିକ୍ଷାର ଗୁରୁତ୍ୱ ବୁଝିବା ପାଇଁ ଅଭିଭାବକ ଓ ଶିକ୍ଷକମାନଙ୍କ ମଧ୍ୟରେ ନିୟମିତ ବୈଠକ ହେବା ଦରକାର ବୋଲି କମିଟି ସୁପାରିଶ କରିଛି।
Also Read-ବଦଳିଲା ଯୁଗ, MBA ସଫ୍ଟୱେୟାର ଇଞ୍ଜିନିୟରିଂର ନାହିଁ ମୂଲ୍ୟ, ଅଫିସ କର୍ମଚାରୀ ଅପେକ୍ଷା ବଢ଼େଇ ଓ ମେକାନିକ, ଡ୍ରାଇଭର କରିବେ ଅଧିକ ରୋଜଗାର

ସୁପ୍ରିମକୋର୍ଟରେ ଆମିକସ୍ କ୍ୟୁରି (Amicus Curiae) ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଆଇନଜୀବୀ ମାଧବୀ ଦିବାନ ଏବଂ ଲିଜ୍ ମାଥ୍ୟୁ ଏହି ରିପୋର୍ଟକୁ ସ୍ୱାଗତ କରିଛନ୍ତି ଏବଂ କୋର୍ଟଙ୍କୁ "ବ୍ୟାପକ ଯୌନ ଶିକ୍ଷା"ର ପରିସରକୁ ସ୍ପଷ୍ଟ ଭାବେ ସଂଜ୍ଞାୟିତ କରିବାକୁ ଅନୁରୋଧ କରିଛନ୍ତି। ଖଣ୍ଡପୀଠ ସୂଚାଇଛନ୍ତି ଯେ ସେମାନେ ନିର୍ଦ୍ଦେଶ ଜାରି କରିବା ପୂର୍ବରୁ ସୁପାରିସଗୁଡ଼ିକୁ ଯାଞ୍ଚ କରିବେ।

ବ୍ୟାପକ ଯୌନ ଶିକ୍ଷା କ'ଣ ଏବଂ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?

ବ୍ୟାପକ ଯୌନ ଶିକ୍ଷା କେବଳ ପ୍ରଜନନର ଜୈବିକ ଦିଗ ଶିଖାଇବା ଠାରୁ ବି ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହା ଏକ ବୟସ ଉପଯୁକ୍ତ, ବୈଜ୍ଞାନିକ ଭାବେ ସଠିକ୍ ଏବଂ ଅଧିକାର-ଆଧାରିତ କାର୍ଯ୍ୟକ୍ରମ। ଯାହା ପିଲା ଓ କିଶୋର-କିଶୋରୀମାନଙ୍କୁ ସେମାନଙ୍କ ଶରୀର, ବ୍ୟକ୍ତିଗତ ସୁରକ୍ଷା, ସମ୍ପର୍କ, ସମ୍ମତି, ଯୌବନ ଅବସ୍ଥା, ଲିଙ୍ଗଗତ ବିଷୟ, ପ୍ରଜନନ ସ୍ୱାସ୍ଥ୍ୟ ଏବଂ ଅନଲାଇନ୍ ସୁରକ୍ଷା ବିଷୟରେ ବୁଝିବାରେ ସାହାଯ୍ୟ କରିବ।

ବିଶେଷଜ୍ଞ କମିଟି ପ୍ରାରମ୍ଭିକ ବର୍ଷରେ ଶରୀର ସଚେତନତା, ପରିମଳ, ଏବଂ ସୁରକ୍ଷିତ/ଅସୁରକ୍ଷିତ ସ୍ପର୍ଶରୁ ଆରମ୍ଭ କରି, ପରବର୍ତ୍ତୀ ଶ୍ରେଣୀଗୁଡ଼ିକରେ କିଶୋର ଅବସ୍ଥାର ସ୍ୱାସ୍ଥ୍ୟ, ସମ୍ମତି ଏବଂ ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ବିଷୟବସ୍ତୁକୁ ପର୍ଯ୍ୟାୟକ୍ରମେ ପ୍ରଚଳନ କରିବାକୁ ସୁପାରିସ କରିଛି। ବିଶେଷଜ୍ଞଙ୍କ ମତରେ, ଏଭଳି ଶିକ୍ଷା ପିଲାମାନଙ୍କୁ ଶୋଷଣ ଚିହ୍ନଟ କରିବା, ଅସୁରକ୍ଷିତ ପରିସ୍ଥିତି ବିଷୟରେ ଜଣାଇବା, ଭୁଲ ଧାରଣା ଦୂର କରିବା, ସୁସ୍ଥ ସମ୍ପର୍କ ଗଢ଼ିବା ଏବଂ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏଥିରେ ଯୌନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ, ଯୁବପିଢ଼ିଙ୍କୁ ଜ୍ଞାନ ଓ ଜୀବନରେ ଦକ୍ଷତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି।