ନୂଆଦିଲ୍ଲୀ: ଭାରତରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ କେବଳ ଅଧିକ ତାପମାତ୍ରା ପାଇଁ ନୁହେଁ, ବରଂ ବାୟୁମଣ୍ଡଳରେ ବଢୁଥିବା ଆଦ୍ରତା ଯୋଗୁଁ ଅତି ଭୟଙ୍କର ରୂପ ଧାରଣ କରୁଛି । ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ଭାରତର କେତେକ ଅଞ୍ଚଳରେ ପରିସ୍ଥିତି ଏବେ 'ୱେଟ୍-ବଲ୍ବ ତାପମାତ୍ରା' (Wet-Bulb Temperature)ର ସୀମା ପାର୍ କରିବାକୁ ଯାଉଛି । ଏଭଳି ପରିସ୍ଥିତିରେ କୌଣସି ମଣିଷ ଖୋଲା ଆକାଶ ତଳେ କେବଳ ଦୁଇ ଘଣ୍ଟା ମଧ୍ୟ ତିଷ୍ଠି ପାରିବେ ନାହିଁ ।

'ୱେଟ୍-ବଲ୍ବ ତାପମାତ୍ରା' କଣ?

ସାଧାରଣ ଥର୍ମୋମିଟର କେବଳ ବାୟୁର ଉତ୍ତାପ ମାପିଥାଏ, କିନ୍ତୁ 'ୱେଟ୍-ବଲ୍ବ ତାପମାତ୍ରା' ଉଭୟ ଉତ୍ତାପ ଏବଂ ବାୟୁର ଆଦ୍ରତାକୁ ମିଶାଇ ମାପ କରେ । ଆମ ଶରୀର ଗରମ ହେଲେ ଝାଳ ବାହାରିଥାଏ । ସେହି ଝାଳ ପବନରେ ଶୁଖିଗଲେ ଶରୀର ଥଣ୍ଡା ହୁଏ । କିନ୍ତୁ ଯଦି ବାୟୁମଣ୍ଡଳରେ ଆଦ୍ରତା ବହୁ ଅଧିକ ଥାଏ, ତେବେ ଝାଳ ଶୁଖେ ନାହିଁ । ଯଦି ୱେଟ୍-ବଲ୍ବ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଛୁଇଁଯାଏ, ତେବେ ମଣିଷ ଶରୀର ନିଜକୁ ଆଦୌ ଥଣ୍ଡା କରିପାରିବ ନାହିଁ । ଆପଣ ଯେତେ ପାଣି ପିଇଲେ ବି କିମ୍ବା ଛାଇରେ ବସିଲେ ବି ଶରୀରର ଭିତର ତାପମାତ୍ରା ଅଣାୟତ୍ତ ଭାବେ ବଢିଚାଲିବ । ଏହାପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯିବ ଏବଂ ମୃତ୍ୟୁର କାରଣ ସାଜିପାରେ ।

ନୂତନ ଗବେଷଣାର ଚିନ୍ତାଜନକ ତଥ୍ୟ

ବୈଜ୍ଞାନିକ ରିପୋର୍ଟ ଅନୁସାରେ, ସହନଶୀଳତାର ସୀମା ୩୫ ଡିଗ୍ରୀ କୁହାଯାଉଛି । କିନ୍ତୁ ବାସ୍ତବରେ ଜଣେ ସୁସ୍ଥ ଯୁବକ ମଧ୍ୟ ୩୧ରୁ ୩୨ ଡିଗ୍ରୀ ସେଲସିୟସର ୱେଟ୍-ବଲ୍ବ ତାପମାତ୍ରାରେ ଅଣନିଶ୍ୱାଃସୀ ହୋଇପଡୁଛି । ଉଦାହରଣ ସ୍ୱରୂପ, ଯଦି ତାପମାତ୍ରା ୩୮ ଡିଗ୍ରୀ ଥାଏ ଏବଂ ଆଦ୍ରତା ୬୦% ଥାଏ, ତାହା ଶରୀର ପାଇଁ ୪୫ ଡିଗ୍ରୀର ଗରମଠାରୁ ଅଧିକ ମାରାତ୍ମକ ପାଲଟିଯାଏ ।

ପର୍ତ୍ତୁଗାଲର ଜଳବାୟୁ ବିଶ୍ଳେଷଜ୍ଞ ବ୍ରୁନୋ ବ୍ରେଜେନସ୍କି ଭାରତର କିଛି ଅଞ୍ଚଳରେ ଦେଖାଦେଇଥିବା ଅତ୍ୟଧିକ ଗରମ ଏବଂ ଆଦ୍ରତାର ଏକ ମାରାତ୍ମକ ମିଶ୍ରଣ ବିଷୟରେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ସ୍ଥାନଗୁଡ଼ିକରେ "ଅନୁଭୂତ ତାପମାତ୍ରା" (feels-like temperature) ପ୍ରାୟ ୫୫ ଡିଗ୍ରୀ ସେଲସିୟସ ପାଖାପାଖି ରହୁଛି, ସେଠାରେ ୱେଟ୍-ବଲ୍ବ ତାପମାତ୍ରା ୩୩ ଡିଗ୍ରୀ ହୋଇପାରେ । ଏହି ସ୍ଥିତି ମଣିଷ ପାଇଁ ଅତି ବିପଜ୍ଜନକ ଅଟେ । ସେ ଚେତାବନୀ ଦେଇ କହିଛନ୍ତି, "ଏହି ତାପମାତ୍ରାରେ କୌଣସି ବି ମଣିଷ ଦୁଇ ଘଣ୍ଟାରୁ ଅଧିକ ସମୟ ବଞ୍ଚି ରହିପାରିବ ନାହିଁ ଏବଂ ଶିଶୁ ତଥା ବୟସ୍କ ଲୋକମାନେ ଅଧ ଘଣ୍ଟା ମଧ୍ୟରେ ଅଚେତ ହୋଇପାରନ୍ତି ।"

ଭାରତ କାହିଁକି ଅଧିକ ବିପଦରେ ?

ମୁମ୍ବାଇ, ଚେନ୍ନାଇ ଏବଂ ଓଡ଼ିଶା ଭଳି ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଯୋଗୁଁ ବାୟୁରେ ପ୍ରଚୁର ପରିମାଣର ଆଦ୍ରତା ଥାଏ । ତେଣୁ ଏଠାରେ ଗୁଳୁଗୁଳି ଜନିତ ଗ୍ରୀଷ୍ମପ୍ରବାହ ସବୁଠୁ ବଡ଼ ବିପଦ ସୃଷ୍ଟି କରୁଛି । ଭାରତୀୟ ପାଣିପାଗ ବିଭାଗ ଏବେ କେବଳ ତାପମାତ୍ରା ନୁହେଁ, ବରଂ ଏହି ୱେଟ୍-ବଲ୍ବ ଏବଂ 'ହିଟ୍ ଇଣ୍ଡେକ୍ସ'କୁ ଆଧାର କରି ଆଲର୍ଟ ଜାରି କରୁଛନ୍ତି । ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗକୁ ଏଭଳି ସ୍ଥିତି ବାରମ୍ବାର ଦେଖାଦେବ ।