ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି । ଏହାର ସିଧା ସଳଖ ପ୍ରଭାବ ଭାରତ ଉପରେ ପଡ଼ୁଛି । ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ପାଉଛି । ଆଗକୁ ସ୍ଥିତି ଆହୁରି ଜଟିଳ ହୋଇପାରେ । ଏହାରି ମଧ୍ୟରେ ଭାରତ ସରକାର ପେଟ୍ରୋଲରେ ଇଥାନଲ ମାତ୍ରା ବଢ଼ାଇବାକୁ ଯୋଜନା କରୁଛନ୍ତି । ସରକାର ବର୍ତ୍ତମାନର ‘E20’ (୨୦% ଇଥାନଲ୍ ମିଶ୍ରଣ) ଯୋଜନାରୁ ଆହୁରି ଆଗକୁ ଯାଇ E22, E25, E27 ଏବଂ E30 ଇନ୍ଧନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାର ଅର୍ଥ ହେଉଛି, ଆଗାମୀ ଦିନରେ ପେଟ୍ରୋଲରେ ଯଥାକ୍ରମେ ୨୨%, ୨୫%, ୨୭% ଏବଂ ୩୦% ପର୍ଯ୍ୟନ୍ତ ଇଥାନଲ୍ ମିଶ୍ରଣ କରାଯାଇପାରେ ।

ସରକାରଙ୍କ ଏହି ପଦକ୍ଷେପରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ, ଭାରତ ଏବେ ବିଦେଶୀ ଅଶୋଧିତ ତୈଳ (କ୍ରୁଡ୍ ଅଏଲ୍) ଉପରେ ନିଜର ନିର୍ଭରଶୀଳତାକୁ ହ୍ରାସ କରିବାକୁ ଚାହୁଁଛି। ବର୍ତ୍ତମାନ ପଶ୍ଚିମ ଏସିଆରେ ଦେଖାଦେଇଥିବା ଉତ୍ତେଜନା ଏବଂ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ଦରରେ କ୍ରମାଗତ ଅସ୍ଥିରତା ଯୋଗୁଁ ଦେଶର ଶକ୍ତି ସୁରକ୍ଷା (Energy Security) ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ସରକାର ଏକ ଦୀର୍ଘକାଳୀନ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି।

E20 ସଫଳତା ପରେ ଏବେ E22 ରୁ E30 ଇନ୍ଧନ ଉପରେ ଯୋଜନା ତିଆରି କରାଯାଉଛି । ଇଥାନଲ୍ ମିଶ୍ରଣ ବଢ଼ିବା ଦ୍ଵାରା କ୍ରୁଡ୍ ଅଏଲ୍ ଆମଦାନୀ ହ୍ରାସ ପାଇବ, ଏହା ଦ୍ବାରା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରୁ ଚାପ ହ୍ରାସ ହେବ । ଗାଡ଼ିଗୁଡ଼ିକରୁ ନିର୍ଗତ ହେଉଥିବା ପ୍ରଦୂଷଣର ମାତ୍ରା ମଧ୍ୟ କମିବ। ବିଶ୍ଵ ରାଜନୀତିରେ ଚାଲିଥିବା ଅସ୍ଥିରତା ମଧ୍ୟରେ ନିଜକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଭାରତର ଏହି ସ୍ୱଦେଶୀ ଇନ୍ଧନ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ବୋଲି କୁହାଯାଉଛି।

ପେଟ୍ରୋଲରେ ଇଥାନଲ୍ ମିଶ୍ରଣ (Ethanol Blending) ହେଉଛି ଏକ ବୈଜ୍ଞାନିକ ଏବଂ ପରିବେଶ ଅନୁକୂଳ ପ୍ରକ୍ରିୟା, ଯେଉଁଠାରେ ଜୈବିକ ଉତ୍ସରୁ ମିଳୁଥିବା ଆଲକୋହଲକୁ ଏକ ନିର୍ଦ୍ଦିଷ୍ଟ ମାତ୍ରାରେ ପେଟ୍ରୋଲ ସହିତ ମିଶାଇ ଗାଡ଼ି ଚଳାଇବା ପାଇଁ ବ୍ୟବହାର କରାଯାଏ। ଇଥାନଲ୍ ହେଉଛି ଏକ ପ୍ରକାରର ଶୁଦ୍ଧ ଆଲକୋହଲ୍, ଯାହାକୁ ଆମେ ଜୈବ ଇନ୍ଧନ (Biofuel) ମଧ୍ୟ କହିପାରିବା। ଏହା କୌଣସି କେମିକାଲ୍ ଫ୍ୟାକ୍ଟ୍ରିରେ ତିଆରି ହୁଏନାହିଁ, ବରଂ କୃଷିଜାତ ଦ୍ରବ୍ୟରୁ ପ୍ରସ୍ତୁତ କରାଯାଏ ।ଆପଣ ପ୍ରାୟତଃ ପେଟ୍ରୋଲ ପମ୍ପରେ 'E' ସହିତ କିଛି ସଂଖ୍ୟା ଲେଖାହେବାର ଦେଖିଥିବେ। ଏହାର ଅର୍ଥ ହେଉଛି ପେଟ୍ରୋଲରେ କେତେ ପ୍ରତିଶତ ଇଥାନଲ୍ ମିଶାଯାଇଛି, ତାକୁ ଦର୍ଶାଏ ।

E10: ଏହାର ଅର୍ଥ ୯୦% ପେଟ୍ରୋଲ ଏବଂ ୧୦% ଇଥାନଲ୍।

E20: ଏହାର ଅର୍ଥ ୮୦% ପେଟ୍ରୋଲ ଏବଂ ୨୦% ଇଥାନଲର ମିଶ୍ରଣ (ଯାହା ବର୍ତ୍ତମାନ ଭାରତରେ ବ୍ୟବହାର ହେଉଛି)।

E30: ଏହାର ଅର୍ଥ ୭୦% ପେଟ୍ରୋଲ ଏବଂ ୩୦% ଇଥାନଲର ମିଶ୍ରଣ (ଏଥିପାଇଁ ଭାରତ ସରକାର ଏବେ ପ୍ରସ୍ତୁତି କରୁଛନ୍ତି)।