ନୂଆଦିଲ୍ଲୀ: ନଭେମ୍ବର ୧ରେ ଐତିହାସିକ ରାମଲୀଳା ମଇଦାନରେ ଆନ୍ଦୋଳନ କରିବ ଇଣ୍ଡି ମେଣ୍ଟ । ଏସଆଇଆର ଏବଂ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ହେବାକୁ ଥିବା ଏହି ଆନ୍ଦୋଳନରେ ସାମିଲ ହେବେ କକ୍ରୋଚ ଜନତା ପାର୍ଟି ଏବଂ ଏଆଇଏସ୍‌ଏ । ପୂର୍ବରୁ ସିଜେପି, ଇଣ୍ଡି ମେଣ୍ଟର ଆନ୍ଦୋଳନକୁ ସମର୍ଥନ ଜଣାଇ ସାରିଥିବା ବେଳେ ଶୁକ୍ରବାର ନିଜର ସମର୍ଥନ ଘୋଷଣା କରିଛନ୍ତି AISA ମୁଖ୍ୟ ନେହା ବୋରା ।

ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତାରେ ନେହା ବୋରା କହିଛନ୍ତି, ‘ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା, SIR ପ୍ରକ୍ରିୟା ଉପରେ ସମ୍ପୂର୍ଣ୍ଣ ରୋକ୍ ଏବଂ ୨୦୨୩ର ନୂତନ ଆଇନ ପ୍ରତ୍ୟାହାର ଦାବିରେ ଆମର ଏହି ସଂଗ୍ରାମ ଆସନ୍ତା ନଭେମ୍ବର ୧ ତାରିଖରେ ରାମଲୀଳା ମଇଦାନଠାରେ ଏକ ବଡ଼ ଜନଆନ୍ଦୋଳନର ରୂପ ନେବ।’

ଦେଶର ସାଧାରଣ ନାଗରିକ, ଯୁବବର୍ଗ ଏବଂ ଛାତ୍ରସମାଜକୁ ନଭେମ୍ବର ୧ ତାରିଖରେ ବହୁ ସଂଖ୍ୟାରେ ରାମଲୀଳା ମଇଦାନରେ ପହଞ୍ଚିବାକୁ ସେ ଅପିଲ୍‌ କରିଛନ୍ତି। ନେହା ବୋରା କହିଛନ୍ତି ଯେ, ନିଜର ଗଣତାନ୍ତ୍ରିକ ଅଧିକାର, ଭୋଟ୍ ଦେବାର ଅଧିକାରକୁ ସୁରକ୍ଷିତ ରଖିବା ଏବଂ ଗଣତନ୍ତ୍ରର ପବିତ୍ରତାକୁ ବଜାୟ ରଖିବା ପାଇଁ ସମସ୍ତେ ଏହି ବିକ୍ଷୋଭରେ ସାମିଲ ହେବା ଆବଶ୍ୟକ।

ସୂଚନାଯୋଗ୍ୟ ଯେ, ଏସ୍‌ଆଇଆର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଏବଂ ଭୋଟ୍ ଚୋରି ଅଭିଯୋଗ ଆଣିଛି ବିରୋଧୀ ଇଣ୍ଡି ମେଣ୍ଟ ।  ପୂର୍ବରୁ ଇଣ୍ଡି ମେଣ୍ଟ ପକ୍ଷରୁ ଏହାକୁ ନେଇ ଆନ୍ଦୋଳନ କରାଯାଇଛି । ଏବେ ପୁଣି ଥରେ ନଭେମ୍ବର ୧ରେ ‘ମହା ରାଲି’ ପାଇଁ ଆହ୍ବାନ ଦିଆଯାଇଛି । ବିଶେଷ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଦୋହରାଇବ ବିରୋଧୀ ମେଣ୍ଟ । ରବିବାର  ହେବାକୁ ଥିବା ଏହି ଆନ୍ଦୋଳନରେ ଦେଶର ବିଭିନ୍ନ ପ୍ରାନ୍ତରୁ ବିରୋଧୀ ଦଳର ବରିଷ୍ଠ ନେତା, କର୍ମୀ, ସାମାଜିକ କର୍ମୀ ଏବଂ ସାଧାରଣ ନାଗରିକ ଏକତ୍ରୀତ ହେବେ। ତେବେ ଇଣ୍ଡି ମେଣ୍ଟର ଏହି ଆନ୍ଦୋଳନରେ ସଜେପି ଏବଂ ଏଆଇଏସ୍‌ଏର କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ହୋଇପାରନ୍ତି ।