ନୂଆଦିଲ୍ଲୀ, ୩୦/୦୯ :ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍ରେ ବୁଧବାର ବିରୋଧୀ‘ଇଣ୍ଡି’ମେଣ୍ଟର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ସେଥିରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଏବଂ ଏହାକୁ ନେଇ ନିର୍ବାଚନ କମିଶନଙ୍କ ମଧ୍ୟରେ ଦେଖାଦେଇଥିବା ମତଭେଦ ଉପରେ ଚର୍ଚ୍ଚା ହୋଇପାରେ। ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଜ୍ଞାନେଶ କୁମାରଙ୍କୁ ହଟାଇବା ଲାଗି ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବା,ଏଥିଲାଗି ବିରୋଧୀ ଦଳର ନେତାମାନଙ୍କର ସ୍ବାକ୍ଷର ସଂଗ୍ରହ ଉପରେ ଗୁରୁତ୍ବ ଦିଆଯାଇପାରେ।

Also Read :- ଭାରତ-ଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ : ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ରୋ-କୋଙ୍କ ଉପରେ ନଜର

ଏଥିସହ ଜ୍ଞାନେଶ କୁମାରଙ୍କ ଇସ୍ତଫା,ନିର୍ବାଚନ କମିଶନଙ୍କ ନିଷ୍ପତ୍ତିର ନିରପେକ୍ଷ ଯାଞ୍ଚ ଦାବିକୁ ଜୋରଦାର କରିବା,ଦେଶବ୍ୟାପୀ ବିଶେଷ କରି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ପଞ୍ଜାବ,ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବିକ୍ଷୋଭ ଲାଗି ଏକ ରୂପରେଖ ପ୍ରସ୍ତୁତ କରିବା ଉପରେ ଫୋକସ୍ ରହିପାରେ।

ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ,ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ,କଂଗ୍ରେସ ସଂସଦୀୟ ଦଳ ଅଧ୍ଯକ୍ଷ ସୋନିଆ ଗାନ୍ଧୀ,ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ,ସାଂସଦ ଅଭିଷେକ ବାନାର୍ଜୀ,ଆରଜେଡି ନେତା ତେଜସ୍ବୀ ଯାଦବ,ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା,ପିଡିପି ମୁଖ୍ୟ ମେବବୁବା ମୁଫତି,ସିପିଆଇ(ଏମ୍) ମହାସଚିବ ପ୍ରମୁଖ ଯୋଗ ଦେବେ। ଏନସିପି ( ଶରଦଚନ୍ଦ୍ର ପାଓ୍ବାର) ପକ୍ଷରୁ ସୁପ୍ରିୟା ସୁଲେ ଏବଂ ଆଉ କିଛି ନେତା‘ଇଣ୍ଡିଆ ବ୍ଳକ୍ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଜେଏମଏମ୍,ଭିସିକେ,ଆଇୟୁଏମଏଲ୍,ଏମଡିଏମକେ ଭଳି ଆଞ୍ଚଳିକ ଦଳ ମଧ୍ୟ ଏଥିରେ ସାମିଲ ହୋଇପାରନ୍ତି। ମୁମ୍ବାଇରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଯୋଗୁ ଶିବସେନା(ୟୁବିଟି) ପ୍ରମୁଖ ଉଦ୍ଧବ ଠାକୁରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ଯୋଗ ଦେବେ। ତେବେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ବୈଠକରେ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି। ତାଙ୍କ ସ୍ଥାନରେ ଦଳର ଅନ୍ୟ ନେତା ଯୋଗ ଦେବେ। ଲକ୍ଷ୍ନୌରେ ଏକ କୃଷକ ସମ୍ମିଳନୀରେ ଅଖିଳେଶ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ‘ଇଣ୍ଡିଆ’ବ୍ଲକ୍ ବୈଠକରେ ଡିଏମକେ ଏବଂ ଆପର କୌଣସି ପ୍ରତିନିଧି ସାମିଲ ହେବେ ନାହିଁ । ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଡିଏମକେ ଏବଂ କଂଗ୍ରେସ ମଧ୍ୟରେ ମତଭେଦ ସାମ୍ନାକୁ ଆସିଥିଲା। ସେହିପରି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରସ୍ପର ବିରୋଧରେ ଲଢ଼ିବା ପରେ କଂଗ୍ରେସ ଏବଂ ଆପ୍ ମଧ୍ୟରେ ମତଭେଦ ଆହୁରି ବଢ଼ିଯାଉଥିଲା। ଏହାପରେ ଯେଉଁ ମେଣ୍ଟରେ କଂଗ୍ରେସ ଥିବ ସେଥିରେ ସମିଲ ନ ହେବାକୁ ଆପ୍ ସ୍ପଷ୍ଟ କରିଛି।

ସୂଚନାଥାଉକି,ବିଗତ ୩ ବର୍ଷ ମଧ୍ୟରେ‘ଇଣ୍ଡିଆ'ବ୍ଲକର ଏହା ଅଷ୍ଟମ ବୈଠକ। ଏହା ପୂର୍ବରୁ ଗତ ଜୁନରେ ଏସଆଇଆର ଏବଂ ନିର୍ବାଚନ କମିଶନଙ୍କ ସ୍ବତନ୍ତ୍ରତା ପ୍ରସଙ୍ଗରେ ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ମଧ୍ୟ ଆପ୍ ଏବଂ ଡିଏମକେ ସାମିଲ ହୋଇନଥିଲେ।