ଦୋହା, ୧୭|୧୧: ଫେଲ୍ ମାରିଲେ ବ୍ୟାଟର । ବଡ ସ୍କୋର କରିବାରେ ହେଲେ ବିଫଳ । ଦୁର୍ଦ୍ଦଶ ବ୍ୟାଟସନ୍ୟାନ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ବାହାରିଲାନି ଶତକୀୟ ଇନିଂସ । ଫଳରେ ସହଜରେ ବାଜି ମାରିନେଲା ପାକିସ୍ତାନ । ରାଇଜିଂ ଏସିଆ କପରେ ରବିବାର ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଦଳ ଦେଇଥିବା ଟାର୍ଗେଟକୁ ମାତ୍ର ୨ ଓ୍ୱିକେଟ୍ ହରାଇ ପାକିସ୍ତାନ ହାସଲ କରିନେଇଛି ।

ରବିବାର ରାଇଜିଂ ଷ୍ଟାର୍ ଏସିଆ କପରେ ହାଇଭୋଲଟେଜ୍ ମୁକାବିଲା ଖେଳାଯାଇଥିଲା । ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ତେବେ ମୁକାବିଲାରେ ଭାରତ-ଏ କୁ ପାକିସ୍ତାନ ସାହିନ୍ ୮ ଓ୍ୱିକେଟରେ ମାତ୍ ଦେଇଛି । ଦୋହାରେ ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୧୯ ଓଭରରେ ମାତ୍ର ୧୩୬ ରନରେ ଅଲଆଉଟ୍ ହୋଇଯାଇଥିଲା ।

ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ବଡ ସ୍କୋର କରିପାରିନଥିଲେ । ସେ ୪୫ ରନର ଇନିଂସ ଖେଳିଥିଲେ । ଅନ୍ୟ ଦିଗରେ ନମନ ଧୀର ୩୫ ରନ୍ କରିଥିଲେ । ସେହିପରି ପାକିସ୍ତାନ ପକ୍ଷରୁ ,ସାହିଦ ଅଜୀଜ ୩ ଓ୍ୱିକେଟ୍ ଅକ୍ତିଆ କରିଥିଲେ । ମାଜ୍ ସଦାକତ ଦୁଇଟି ଓ୍ୱିକେଟ୍ ହାସଲ କରିଥିଲେ । ବ୍ୟାଟିଂରେ ମଧ୍ୟ ସଦାକତ ଦମଦାର ପ୍ରଦର୍ଶନ କରିଥିଲେ । ସେ ୪୭ ବଲରୁ ୭୯ ରନ୍ କରି ଅପରାଜେୟ ରହିଥିଲେ । ଫଳରେ ପାକିସ୍ତାନ ମାତ୍ର ୧୩.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ଭାରତର ପରାଜୟ ପାଇଁ ମିଡିଲ ଅର୍ଡର ବ୍ୟାଟିଂକୁ ଦାୟୀ କରାଯାଉଛି । ନମନ ଧୀରଙ୍କ ଛଡା ଆଉ କାହାର ବ୍ୟାଟ୍ ଚାଲିନଥିଲା । ସେ ଏବଂ ବୈଭବ ଏକାକି ପାକ୍ ବୋଲରଙ୍କ ମୁକାବିଲା କରିଥିଲେ । ଅନ୍ୟ କେହି ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ବୋଲର ଦମଦାର ପ୍ରଦର୍ଶନ କରିପାରିନଥିଲେ । ଦଳ ପାଖରେ ଭଲ ବୋଲର ଥିଲେ ବି ଓ୍ୱିକେଟ୍ ନେବାରେ ବିଫଳ ହୋଇଥିଲେ ।