ଇସ୍ଲାମାବାଦ: ଭାରତର ‘ଅପରେସନ ସିନ୍ଦୂର’କୁ ନେଇ ପାକିସ୍ତାନ ରାଜନୀତିରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀ ନୁରିନ ନିୟାଜୀ ଏପରି ଦାବି କରିଛନ୍ତି ଯାହା ଦେଶରେ ସୈନ୍ୟ ଓ ରାଜନୈତିକ ନେତୃତ୍ୱଙ୍କ ଉପରେ ଗୁରୁତର ପ୍ରଶ୍ନଚିହ୍ନ ଲଗାଇଛି। ସେକହିଛନ୍ତି ଯେ ଭାରତର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସେନା ଉପରେ ଭୀଷଣ ଚାପ ପଡିଥିଲା ଓ ପରିସ୍ଥିତି ଏତେ ବିଗିଡି ଯାଇଥିଲା ଯେ ନେତୃତ୍ୱକୁ ଅନ୍ତର୍ଜାତୀୟ ସ୍ତରରେ ସହାୟତା ଓ ବୁଝାମଣାର ରାସ୍ତା ତଲାସ କରିବାକୁ ପଡିଥିଲା।

ଏକ ସାକ୍ଷାତକାରରେ ନୁରିନ ନିୟାଜୀ କହିଛନ୍ତି ଯେ ଅପରେସନ ସିନ୍ଦୂର କାଳରେ ଭାରତର ଲଗାତାର ସାମରକି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପାକିସ୍ତାନ ସେନା ସଫଳ ହୋଇନଥିଲା। ଭାରତର ଆକ୍ରମଣ ପରେ ପାକିସ୍ତାନ ପରିସ୍ଥିତି ନିୟନ୍ତ୍ରିତ କରିବାକୁ ଉଦ୍ୟମ କରିଥିଲା, ହେଲେ ସୈନ୍ୟ ରଣନୀତି ଅପେକ୍ଷା କରାଯାଉଥିବା ପରିଣାମ ଦେଇ ପାରୁନଥିଲା। ନିୟାଜୀ କହିଛନ୍ତି ଯେ ପରିସ୍ଥିତି ବିଗିଡିଯିବା ପରେ ରାୱଲପିଣ୍ଡିସ୍ଥିତ ସୈନ୍ୟ ମୁଖ୍ୟାଳୟରେ ଚିନ୍ତାଜନକ ପରିସ୍ଥିତି ଉପୁଜିଥିଲା।

ନିୟାଜୀ କହିଛନ୍ତି ଯେ ଯେଉଁ ଅଭିଯାନକୁ ପାକିସ୍ତାନ ବଡ଼ସ୍ତରରେ ଆରମ୍ଭ କରିଥିଲା ତାହା ଧିରେ ଧିରେ ଦୁର୍ବଳ ହୋଇପଡିଥିଲା ଓ ଏହା ପରେ ଅନ୍ତର୍ଜାତୀୟ ସ୍ତରରୁ ହସ୍ତକ୍ଷେପ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ନୁରିନ ନିୟାଜୀ ଏହା ବି ଦାବି କରିଛନ୍ତି ଯେ ବଢୁଥିବା ଚାପ ମଧ୍ୟରେ ପାକିସ୍ତାନ ନେତୃତ୍ୱ ବୈଶ୍ୱିକ ଶକ୍ତିଙ୍କ ଦ୍ୱାରା ଭାରତ ସହିତ ଉତ୍ତେଜନା ହ୍ରାସ ପାଇଁ ସହାୟତା ମାଗିଥିଲା। ନିୟାଜୀଙ୍କ ଅନୁସାରେ ସେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ସର୍ତ୍ତ ସହିତ ଆଲୋଚନା ଲାଗି ରାଜି ହୋଇଥିଲେ। ହେଲେ ନିୟାଜୀଙ୍କ ଏହି ଦାବିର ସ୍ୱତନ୍ତ୍ର ଏଜେନ୍ସୀ ଅଥବା ଅଧିକାରୀକ ସ୍ରୋତରୁ ପୁଷ୍ଟି ହୋଇ ନାହିଁ। ପାକିସ୍ତାନ ସରକାର ଅଥବା ସେନା ପକ୍ଷରୁ ମଧ୍ୟ ଏ ନେଇ କୌଣସି ଅଧିକାରୀକ ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ।

ନିୟାଜୀ ତାଙ୍କ ବୟାନରେ କହିଛନ୍ତି ଯେ ଇସ୍ରାଏଲ ସହିତ ଭାରତର ମଜଭୁତ ସମ୍ପର୍କ ରହିଛି ଏଣୁ ଏହି ସମୟରେ ପାକିସ୍ତାନ ସମ୍ନାରେ କିଛି କୂଟନୈତିକ ସର୍ତ୍ତ ମଧ୍ୟ ରଖାଯାଇଥିଲା। ସେ କହିଛନ୍ତି ଯେ ସାମରିକ ଚାପ କାରଣରୁ ପାକିସ୍ତାନ ନେତୃତ୍ୱ କିଛି କଠିନ ନିଷ୍ପତ୍ତି ଉପରେ ବିଚାର କରିବାକୁ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲା। ନିୟାଜୀ କହିଛନ୍ତି ଯେ ଦକ୍ଷିଣ ଏସିୟାର ପରିବର୍ତ୍ତିତ ପରିସ୍ଥିତି ଓ କ୍ଷେତ୍ରିୟ ସନ୍ତୁଳନକୁ ନଜରରେ ରଖି ଭାରତ ପରେ ନିଜ ସାମରିକ କାର୍ଯ୍ୟାନୁଷ୍ଠାନର ତୀବ୍ରତା କମାଇ ଦେଇଥିଲା। ତେବେ ତାଙ୍କର ଏହି ଦାବିକୁ ସମର୍ଥନ କରୁଥିବା କୌଣସି ଅଧିକାରୀକ କାଗଜପତ୍ର ଅଥବା ପ୍ରମାଣ ନାହିଁ।

ଅପରେସନ ସିନ୍ଦୂରକୁ ନେଇ ନୁରିନ ନିୟାଜୀ ଅସୀମ ମୁନିର ଓ ପ୍ରଧାନମନ୍ତ୍ରୀ ସହବାଜ ସରିଫଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି ଯେ ଯୁଦ୍ଧ ସମାପ୍ତ ହେବା ପରେ ସେନା ପ୍ରମୁଖ ଓ ପ୍ରଧାନମନ୍ତ୍ରୀ ଏହାକୁ ପାକିସ୍ତାନର ବିଜୟ ଭାବେ ଉପସ୍ଥାପନ କରିଥିଲେ। ତେବେ ବାସ୍ତବିକତା ଏହାଠୁ ଭିନ୍ନ ଥିଲା। ନିୟାଜୀଙ୍କ ଅନୁସାରେ ସରକାର ଓ ସେନାମୁଖ୍ୟ ଜନତାଙ୍କ ମଧ୍ୟରେ ନିଜ ଛବି ସୁଧାରିବାକୁ ଏଭଳି ଅପପ୍ରଚାର କରିଥିଲେ। ତେବେ ପରେ ଆଞ୍ଚଳିକ ଘଟଣାକ୍ରମ ବଦଳିବାରୁ ଏହି ପ୍ରସଙ୍ଗ ଉପରୁ ଜନତାଙ୍କ ଧ୍ୟାନ ହଟି ଯାଇଥିଲା।

ତେବେ ଅପରେସନ ସିନ୍ଦୂରକୁ ନେଇ କୌଣସି ମୁଖ୍ୟ ରାଜନୈତିକ ଚେହେରା ଏଭଳି ଦାବି କରିବା କୌଣସି ନୂଆ କଥା ନୁହେଁ। ଏହା ପୂର୍ବରୁ ପାକିସ୍ତାନର କିଛି ନେତା ଓ ବିଶ୍ଲେଷକ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନ କାଳର ଚାପ ସମ୍ପର୍କରେ କହିଛନ୍ତି। ତେବେ ସେମାନଙ୍କ ବୟାନର ସ୍ୱତନ୍ତ୍ର ପୁଷ୍ଟି ହୋଇନି।