ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ନେତା ଇମ୍ରାନ ଖାନ ରାୱଲ ପିଣ୍ଡି ଆଦିୟାଲା ଜେଲରେ ୯ ମାସର ଦୀର୍ଘ ବ୍ୟବଧାନ ପରେ ପ୍ରଥମ ଥର ନିଜ ପତ୍ନୀ ବୁଶରା ବିବି ଓ ଭଉଣୀଙ୍କୁ ଭେଟିଛନ୍ତି। ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତା ପ୍ରକଟ କରାଯିବା ପରେ ସବୁ ସପ୍ତାହରେ ପରିଜନଙ୍କୁ ଭେଟିବାକୁ ଅନୁମତି ପ୍ରଦାନ କରିବା ଯୋଗୁ ଏହା ସମ୍ଭବ ହୋଇଛି। ପାକିସ୍ତାନୀ ସମ୍ବାଦପତ୍ର ‘ଡନ’ ରିପୋର୍ଟ ଅନୁସାରେ ଇମ୍ରାନଙ୍କ ଭଉଣୀ ନୋରିନ ନିୟାଜୀ ଜେଲ କନଫରେନ୍ସ ରୂମରେ ପାଖାପାଖି ୧୫ ମିନିଟ୍ ପର୍ଯ୍ୟନ୍ତ ଇମ୍ରାନଙ୍କ ସହ କଥା ହୋଇଛନ୍ତି।

ଏହି ସମୟରେ ନୋରିନ ଓ ଇମ୍ରାନ ସ୍ୱାସ୍ଥ୍ୟଗତ ସମସ୍ୟା ଓ ଆଇନଗତ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ନୋରିନ ତାଙ୍କ ଭାଇଙ୍କୁ ସୁପ୍ରିମକୋର୍ଟଙ୍କ ଆଦେଶ ସମ୍ପର୍କରେ ମଧ୍ୟ ସୂଚିତ କରିଛନ୍ତି। ଇମ୍ରାନ ଖାନଙ୍କୁ ଦୁଇ ଦିନ ମଧ୍ୟରେ ମେଡିକାଲ ଯାଞ୍ଚ ଲାଗି ଇସ୍ଲାମାବାଦର ସିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲ ପଠାଇବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାର ଭଉଣୀ କହିଛନ୍ତି। ସେଠାରେ ସେ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ରହିବେ।

ତେବେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଇମ୍ରାନଙ୍କ ସହ ସାକ୍ଷାତ ପାଇଁ ଦିଆଯାଉଥିବା ସୁଯୋଗର ଯେପରି ରାଜନୈତିକ ଉପଯୋଗ ନ ହୁଏ କି ବୟାନବାଜୀ ନ ହୁଏ। କୋର୍ଟ ଏହା ବି ଚେତାବନୀ ଦେଇଛନ୍ତି ଯେ ଯଦି ନିୟମର ଉଲ୍ଲଂଘନ ହୁଏ ଦିଆଯାଇଥିବା ଆଶ୍ୱସ୍ତି ପ୍ରତ୍ୟାହାର କରା ଯାଇପାରେ। ଏହି କାରଣରୁ ଇମ୍ରାନଙ୍କ ଅନ୍ୟ ଭଉଣୀମାନଙ୍କୁ ଓ ପାର୍ଟିର ଶୀର୍ଷ ନେତାଙ୍କୁ ଭେଟିବା ପାଇଁ କୋର୍ଟ ଅନୁମତି ଦେଇ ନାହାନ୍ତି। ଜେଲ ସୂତ୍ର ଅନୁସାରେ ଇମ୍ରାନ ଖାନ ଓ ବୁଶରା ବିବିଙ୍କ ମଧ୍ୟରେ କନଫରେନ୍ସ ହଲରେ ୩୫ରୁ ୪୦ ମିନିଟ୍ ପର୍ଯ୍ୟନ୍ତ ସାକ୍ଷାତ ଆଲୋଚନା ହୋଇଛି। ଏହା ଛଡା ବୁଶରା ବିବି ତାଙ୍କ ପ୍ରଥମ ବିବାହରେ ହୋଇଥିବା ପିଲା ଓ ନଣନ୍ଦ ମେହେରୁନ୍ନିଶାଙ୍କୁ ପୃଥକ ଭେଟିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଇମ୍ରାନ ଖାନ ଅଗଷ୍ଟ ୨୦୨୩ରୁ ଜେଲରେ ବନ୍ଦୀ ଅଛନ୍ତି ଓ ଅଲ-କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ୧୪ ବର୍ଷ ଜେଲଦଣ୍ଡ ଭୋଗ କରୁଛନ୍ତି। କୋର୍ଟ ଇମ୍ରାନଙ୍କ ଘରୋଇ ହସ୍ପିଟାଲରେ ରହି ଚିକିତ୍ସା ସମ୍ପର୍କିତ ନିବେଦନର ଶୁଣାଣି ସେପ୍ଟେମ୍ବର ୧୬ ତାରିଖରେ କରିବେ।