News7 Logo

ସବୁ ଧର୍ମକୁ ସମ୍ମାନ କରୁଛି; ଭାଗବାନ ବିଷ୍ଣୁଙ୍କ ମୂର୍ତ୍ତି ଉପରେ ବୟାନକୁ ନେଇ ବିବାଦ ପରେ CJIଙ୍କ ସ୍ପଷ୍ଟୀକରଣ

NEWS7
CJI

ନୂଆଦିଲ୍ଲୀ: ଖଜୁରାହୋର ପ୍ରସିଦ୍ଧ ଜାଭାରି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ଖଣ୍ଡିତ ମୂର୍ତ୍ତିର ମରାମତି ପାଇଁ ଦାଖଲ ଆବେଦନର ଶୁଣାଣି ବେଳେ ସିଜେଆଇ ବିଆର ଗଭାଇ ଏକ ଟିପ୍ପଣୀ କରିଥିଲେ । ଏହାକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ବିବାଦ ସୃଷ୍ଟି ହୋଇଥିଲା । କେବେଳ ଏତିକି ନୁହେଁ, ବିଶ୍ୱ ହିନ୍ଦୁ ପରିଷଦ ପରି ସଂଗଠନ ମଧ୍ୟ ସିଜେଆଇଙ୍କୁ ପରାମର୍ଶ ଦେଇ ନିଜ ବାଣୀରେ ସଂଯମତା ରଖିବା ପାଇଁ କହିଥିଲା । ଏବେ ଏହି ମାମଲାରେ ପ୍ରଧାନ ବିଚାରପତିଙ୍କ ସ୍ପଷ୍ଟୀକରଣ ଆସିଛି । ସେ କହିଛନ୍ତି, ମୋର ବୟାନକୁ ସୋସିଆଲ୍ ମିଡିଆରେ ଭୁଲ ଭାବରେ ଉପସ୍ଥାନ କରାଯାଇଛି । ମୋର ଟିପ୍ପଣୀକୁ ସୋସିଆଲ୍ ମିଡିଆରେ ସେୟାର କରାଯାଉଥିବା କେହି ଜଣେ ମୋତେ ଜଣାଇଥିଲେ । ମୁଁ ସବୁ ଧର୍ମକୁ ସମ୍ମାନ କରୁଛି ।

ରାକେଶ ଦଲାଲ ଛତରପୁର ଜିଲ୍ଲାର ଜାଭାରୀ ମନ୍ଦିରରେ କ୍ଷତିଗ୍ରସ୍ତ ଭଗବାନ ବିଷ୍ଣୁଙ୍କ ସାତ ଫୁଟ୍ ଉଚ୍ଚ ମୂର୍ତ୍ତିକୁ ବଦଳାଇବା ଏବଂ ପ୍ରାଣ ପ୍ରତିଷ୍ଠା କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ପ୍ରଧାନ ବିଚାରପତି ଏବଂ ଜଷ୍ଟିସ୍ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ମେ ୧୬ରେ ଖଜୁରାହୋ ମନ୍ଦିର ପରିସରର ଅଂଶ, ଜାଭାରୀ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ସାତ ଫୁଟ ଉଚ୍ଚ ମୂର୍ତ୍ତିକୁ ପୁନଃନିର୍ମାଣ ଏବଂ ପୁନଃସ୍ଥାପନ କରିବା ଆବେଦନକୁ ଖାରଜ କରିଦେଇଥିଲେ ।

ପ୍ରଧାନ ବିଚାରପତି କହିଥିଲେ, "ଏହା ସମ୍ପୂର୍ଣ୍ଣ ଭାବରେ ପ୍ରଚାର ହିତ ପାଇଁ ଆବେଦନ...ଯାଆନ୍ତୁ ଏବଂ ନିଜେ ଦେବତାଙ୍କୁ କିଛି କରିବାକୁ କୁହନ୍ତୁ । ଯଦି ତୁମେ ନିଜକୁ ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ କହୁଛ, ତେବେ ପ୍ରାର୍ଥନା ଏବଂ ଧ୍ୟାନ କର । ଏହି ସମୟ ମଧ୍ୟରେ, ଯଦି ତୁମର ଶୈବ ଧର୍ମ ପ୍ରତି କୌଣସି ଆପତ୍ତି ନାହିଁ, ତେବେ ତୁମେ ସେଠାକୁ ଯାଇ ପୂଜା କରିପାରିବ...ସେଠାରେ ଏକ ବିଶାଳ ଶିବଲିଙ୍ଗ ଅଛି, ଯାହା ଖଜୁରାହୋର ସବୁଠାରୁ ବଡ଼ ମଧ୍ୟରୁ ଗୋଟିଏ।"

ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ପରେ, ସୋସିଆଲ ମିଡିଆରେ ଅନେକ ସମାଲୋଚନା କରାଯାଇଥିଲା । ଅନ୍ୟପଟେ ଏହା ଉପରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, "ମୁଁ ଗତ ୧୦ ବର୍ଷ ଧରି ସିଜେଆଇଙ୍କୁ ଜାଣିଛି । ଆମେ ନ୍ୟୁଟନଙ୍କ ନିୟମ ଜାଣିଛୁ ଯେ ପ୍ରତ୍ୟେକ କାର୍ଯ୍ୟର ସମାନ ପ୍ରତିକ୍ରିୟା ଥାଏ । ବର୍ତ୍ତମାନ, ପ୍ରତ୍ୟେକ କାର୍ଯ୍ୟର ସୋସିଆଲ ମିଡିଆରେ ଏକ ଅସମାନ ପ୍ରତିକ୍ରିୟା ପ୍ରକାଶ ପାଏ ।" ପ୍ରଧାନ ବିଚାରପତି ସମସ୍ତ ଧାର୍ମିକ ସ୍ଥଳ ପରିଦର୍ଶନ କରିଛନ୍ତି । ବରିଷ୍ଠ ଓକିଲ କପିଲ ସିବ୍ବଲ କହିଛନ୍ତି, "ଆମେ ପ୍ରତିଦିନ କଷ୍ଟ ପାଉଛୁ । ଏହା ଏକ ବେଲଗାମ ଘୋଡା । ଏହାକୁ ନିୟନ୍ତ୍ରଣ କରିବାର କୌଣସି ଉପାୟ ନାହିଁ।"