ଭୁବନେଶ୍ୱର: ପ୍ରଥମ ପତ୍ନୀ ଥାଇ ଦ୍ଵିତୀୟ ବିବାହ ପଡ଼ିଲା ମହଙ୍ଗା। ପାରିବାରିକ କଳହରୁ ଘର ପାଲଟିଲା ରଣକ୍ଷେତ୍ର। ସ୍ୱାମୀ ଓ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାରୁ ମାରିପିଟ୍ ପର୍ଯ୍ୟନ୍ତ କଥାଗଲା। ଲୁହାରଡ୍ ଓ ପାଇପରେ ଯିଏ ଯାହାକୁ ପାରିଲେ ପିଟିଲେ। ଏଥିରେ ୩ଜଣ ଆହତ ମଧ୍ୟ ହେଲେ। ଶେଷରେ ପୁଲିସ ସମସ୍ତଙ୍କୁ ଗିରଫ କରିଛି। ଚନ୍ଦକା ଥାନା ଗୋଠପାଟଣା ଥାନା ଅଞ୍ଚଳରେ ଘଟିଛି ଏପରି ଘଟଣା ।

ଗିରଫ ଅଭିଯୁକ୍ତ ହେଲେ ଗୋଠପାଟଣାରେ ରହୁଥିବା ପୁରୀ ଜିଲ୍ଲା ନିମାପଡ଼ା ଥାନା ବଳଭଦ୍ରପୁର ଡେଣୁଆର ପ୍ରସନ୍ନ କୁମାର ସିଂ, ତାଙ୍କ ପ୍ରଥମ ପତ୍ନୀ ଇନ୍ଦୁମତି ସାହୁ ଓ ଦ୍ବିତୀୟ ପତ୍ନୀ ସସ୍ମିତା ସ୍ୱାଇଁ। ପୁଲି ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହୃତ ଲୁହାରଡ୍ ଓ ପାଇପ୍ ଜବତ କରିବା ସହ ସେମାନଙ୍କୁ କୋର୍ଟଚାଲାଣ କରିଛି। ସସ୍ମିତା ଦୀର୍ଘଦୀନ ଧରି ପ୍ରସନ୍ନଙ୍କ ସହ ଲିଭ୍ ଇନ୍ ରିଲେସନରେ ଥିଲେ।

୨୦୨୫ ଏପ୍ରିଲ ୨୯ରେ ସମ୍ବଲପୁରର ବୁଢ଼ାରାଜା ମନ୍ଦିରରେ ସେମାନେ ବିବାହ କରିଥିଲେ। ଉଭୟେ ବିଭିନ୍ନ ସମୟରେ ସମ୍ବଲପୁର ଏବଂ ଭୁବନେଶ୍ୱରରେ ଏକାଠି ରହୁଥିଲେ। ପ୍ରସନ୍ନ ଗୋଠପାଟଣା ସ୍ଥିତ ରାଧାକୃଷ୍ଣ ନଗରରେ ନିର୍ମାଣ କରିଥିବା ଘରେ ତାଙ୍କ ପ୍ରଥମ ପତ୍ନୀ ଇନ୍ଦୁମତି ରହୁଥିଲେ। କିଛିଦିନ ପରେ ସସ୍ମିତା ମଧ୍ୟ ସେହି ଘରେ ରହିବାକୁ ଆସିଲେ। ତେବେ ପ୍ରସନ୍ନ ସସ୍ମିତାଙ୍କୁ ତାଙ୍କ ପ୍ରଥମ ପତ୍ନୀଙ୍କ ନିକଟରେ ଜଣେ ଘର ଭଡ଼ାଟିଆ ଭାବେ ପରିଚୟ କରାଇଥିଲେ। ଦ୍ବିତୀୟ ବିବାହ କଥା ଲୁଚାଇ ରଖିଥିଲେ। କିନ୍ତୁ ସମୟ କ୍ରମେ ପ୍ରଥମ ପତ୍ନୀ ଇନ୍ଦୁମତି ସବୁକଥା ଜାଣିଥିଲେ।

ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ମଙ୍ଗଳବାର ପ୍ରସନ୍ନ, ସସ୍ମିତା ଓ ଇନ୍ଦୁମତୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଲୁହାରଡ୍ ଓ ପାଇପରେ ସେମାନେ ପରସ୍ପରକୁ ଆକ୍ରମଣ କରିବା ଫଳରେ ୩ଜଣ ଯାକ ଆହତ ହୋଇଥିଲେ। ଏନେଇ ସସ୍ମିତା ଓ ଇନ୍ଦୁମତୀ ଥାନାରେ ଦୁଇଟି ପୃଥକ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା। ଯାଞ୍ଚରୁ ଅଭିଯୁକ୍ତ ପ୍ରସନ୍ନ ପୂର୍ବରୁ ଚନ୍ଦକା ଥାନା ଏବଂ ମହିଳା ଥାନାରେ ଦୁଇଟି ଅପରାଧିକ ମାମଲାରେ ସମ୍ପୃକ୍ତ ବୋଲି ଜଣାପଡ଼ିଛି।