ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କେତେକ ନେତା ଶୁଭକାମନା ଜଣାଇଥିବା ବେଳେ ଅନ୍ୟ କିଛି ନେତା ଏହି ସୁଯୋଗରେ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂକ୍ଷିପ୍ତ ଶୁଭେଚ୍ଛା ବାର୍ତ୍ତା ଦେଇ ସୋସିଆଲ ମିଡିଆ ଏକ୍ସ (X)ରେ ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ନିରାମୟ ଜୀବନ ଓ ଦୀର୍ଘାୟୁ କାମନା କରୁଛି।’

ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, "ଏକ ସଶକ୍ତ ଭାରତ ଗଠନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ମୋର ଆନ୍ତରିକ ଜନ୍ମଦିନର ଶୁଭେଚ୍ଛା। ଆପଣଙ୍କ ସୁସ୍ଥ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରୁଛି।"

ରାଜନାଥ ସିଂହ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ମୋଦୀଙ୍କ ନେତୃତ୍ୱରେ ଭାରତ 'ବିକଶିତ ଭାରତ'ର ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେଉଛି। ସେ ଭିତ୍ତିଭୂମି, ଡିଜିଟାଲ୍ ସଂଯୋଗ, ଜନକଲ୍ୟାଣ ଓ ଉଦ୍ଭାବନ କ୍ଷେତ୍ରରେ ହୋଇଥିବା ପ୍ରଗତିକୁ ପ୍ରଶଂସା କରିଛନ୍ତି।

ସେପଟେ ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ଶୁଭେଚ୍ଛା ଜଣାଇବା ସହ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ ଭୋଟର ଲିଷ୍ଟରେ ଜାଲିଆତି ଅଭିଯୋଗ ଆଣି ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଏହିପରି ଭାବରେ ମୋଦୀଜୀ ଦିଲ୍ଲୀ ଜିତିଛନ୍ତି... ଭାରତୀୟ ଗଣତନ୍ତ୍ରକୁ ହତ୍ୟା କରିଥିବାରୁ ଅଭିନନ୍ଦନ ଏବଂ ଜନ୍ମଦିନର ଶୁଭେଚ୍ଛା।’

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କୁ ‘ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ ଓ ଦୂରଦୃଷ୍ଟିର ପ୍ରତୀକ’ ଭାବେ ବର୍ଣ୍ଣନା କରିଛନ୍ତି। ପୂର୍ବତନ ଆପ୍‌ ନେତା ତଥା ବିଜେପି ସାଂସଦ ରାଘବ ଚଢ଼ା ମୋଦୀଙ୍କ ସାଧାରଣ ପୃଷ୍ଠଭୂମିରୁ ଆସି ଦେଶର ସର୍ବୋଚ୍ଚ ପଦବୀରେ ପହଞ୍ଚିବାର ଯାତ୍ରାକୁ ପ୍ରେରଣାଦାୟୀ ବୋଲି କହିଛନ୍ତି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସମସ୍ତଙ୍କୁ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ନିଜ ନିଜ ଘରେ ‘ଆଶୀର୍ବାଦର ଦୀପ’ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିବାକୁ ଆହ୍ୱାନ ଦେଇଛନ୍ତି ।

ଏହା ବ୍ୟତୀତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ  'ସେବା ସଂକଳ୍ପ ଅଭିଯାନ' ଆରମ୍ଭ କରାଯାଇଛି । ବିଭିନ୍ନ ବୁଥ୍‌ ଓ ପ୍ରମୁଖ ସ୍ଥାନଗୁଡ଼ିକରେ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଜୀବନ ପାଇଁ ଦୀପ ପ୍ରଜ୍ଜ୍ୱଳନ କରାଯାଉଛି। 'ସେବା ମୋର ଯୋଗଦାନ' ଅଧୀନରେ ରକ୍ତଦାନ, ବୃକ୍ଷରୋପଣ ଓ ସଫେଇ ଅଭିଯାନ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯାଉଛି।

 '୨୫ କୋଟି ଶିଶୁଙ୍କ ଭାରତ ସ୍ୱପ୍ନ' ଶୀର୍ଷକରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। 'ନମୋ ସେବା ଗାଥା' ଅଧୀନରେ ବିଭିନ୍ନ ଗାଁ, ସ୍କୁଲ ଓ କଲେଜରେ ମୋଦୀଙ୍କ ୨୫ ବର୍ଷର ଜନସେବାକୁ ନେଇ ନାଟକ ପରିବେଷଣ କରାଯାଉଛି। ମୋଦୀଙ୍କ ଜନ୍ମମାଟି ବଡ଼ନଗରରୁ ତାଙ୍କ କର୍ମକ୍ଷେତ୍ର ବାରାଣସୀ ପର୍ଯ୍ୟନ୍ତ ବିଶେଷ ମୋଟରସାଇକେଲ୍ ରାଲି ଆୟୋଜିତ ହୋଇଛି ।