ପାରାଦୀପ : ରାସ୍ତାରେ ଗଡୁଛି ଲଡୁ, ରସଗୋଲା, ଛେନାପୋଡ ଓ ରସମଲେଇ , ଆଶ୍ଚର୍ଯ୍ୟ ହୋଇ ପଡୁଛନ୍ତି ଦେଖଣାହାରୀ। ଜଣେ ଲଜ୍ ମାଲିକଙ୍କ ଦାଦାଗିରି ଯୋଗୁଁ ଭଡାଟିଆ ଦୋକାନୀ ହଟହଟା ହେବା ସହିତ ହଜାର ହଜାର ଟଙ୍କାର ମିଠା ସାମଗ୍ରୀ ନଷ୍ଟ ହୋଇଛି। ଅଧିକା ଭଡା ଦାବି କରି ମିଠା ଦୋକାନକୁ ନିଜ ପତ୍ନୀଙ୍କୁ ପଠାଇ ଭଙ୍ଗାରୁଜା କରାଇଛନ୍ତି ଘର ମାଲିକ। ଏପରିକି ଘରର ଲାଇନ ଓ ପାଣି କନେକ୍ସନ ମଧ୍ୟ କାଟି ଦେଇଛନ୍ତି। ଫଳରେ ବ୍ୟବସାୟୀ ଙ୍କର ଖାଦ୍ୟ ସାମଗ୍ରୀ ନଷ୍ଟ ହେବା ସହିତ ରାସ୍ତାରେ ପଡିଛି ଲଡୁ, ରସଗୋଲା, ଛେନାପୋଡ ଓ ରସମଲେଇ ଭଳି  ମିଠା ସାମଗ୍ରୀ ।

ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ବଡପଡିଆ ମାର୍କେଟ ସ୍ଥିତ ସନ୍ତୋଷୀ ସୁଇଟ୍ସ ଓ ରେଷ୍ଟୁରାଣ୍ଟରେ। ଲଜ୍ ସନ୍ତୋଷୀ ପ୍ଲାଜାର ମାଲିକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଭଡା ସୂତ୍ରରେ ନେଇଥିବା ସନ୍ତୋଷୀ ସୁଇଟ୍ସ ବ୍ୟବସାୟୀ। ବ୍ୟବସାୟୀ ଜଣଙ୍କ ଦୁଇ ବର୍ଷ ପାଇଁ ସନ୍ତୋଷୀ ପ୍ଲାଜା ମାଲିକଙ୍କ ସହିତ ଚୁକ୍ତି କରିଥିବା ବେଳେ ଲଜ୍ ମାଲିକଙ୍କ ପତ୍ନୀ ଏଭଳି  ଆତଙ୍କ ଘଟାଇଛନ୍ତି ବୋଲି କହିଛନ୍ତି ବ୍ୟବସାୟୀ । ଘଟଣାକୁ ନେଇ ବ୍ୟବସାୟୀ ଜଣକ ପାରାଦୀପ ପୋର୍ଟ ବଣିକ ସଂଘ ଓ ଥାନାରେ ଆଶ୍ରୟ ନେବା ପରେ ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଉଭୟ ପକ୍ଷଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି।