ଭୁବନେଶ୍ୱର ୨୨।୦୮ : ହୋମଷ୍ଟେ’ ପଞ୍ଜିକରଣ ଓ ପ୍ରମାଣପତ୍ରର ଝିନଝଟ୍ ଶେଷ । ନିୟମ କୋହଳ କରିଛନ୍ତି ସରକାର । ଏଣିକି ଆହୁରି ସହଜ ହେବ ହୋମ୍ଷ୍ଟେ ବ୍ୟବସାୟ । ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ନୂଆ ପରିଚୟ ଦେବା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ହୋମଷ୍ଟେ ମାଲିକମାନଙ୍କ ଲାଗି ଏହି ଆଶ୍ୱସ୍ତିକର ଘୋଷଣା କରିଛନ୍ତି । "ଓଡ଼ିଶା ହୋମଷ୍ଟେ ଏଷ୍ଟାବ୍ଲିସମେଣ୍ଟ ସ୍କିମ୍, ୨୦୨୫' ଅଧୀନରେ ଅଣଆର୍ଥିକ ପ୍ରୋତ୍ସାହନ ପଞ୍ଜିକରଣ ପାଇଁ ଆବଶ୍ୟକ ହେଉଥିବା ଜଟିଳ ଦସ୍ତାବିଜ୍ ପ୍ରକ୍ରିୟାକୁ ଏବେ ଅତ୍ୟନ୍ତ ସରଳ ଓ କୋହଳ କରାଯାଇଛି ।

ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଟ୍ରେଡ୍ ଲାଇସେନ୍ସ, ବିଲ୍ଡିଂ ପ୍ଲାନ୍, ଅଗ୍ନି ନିରାପତ୍ତା, ବୈଦ୍ୟୁତିକ ସୁରକ୍ଷା ଓ ବର୍ଜ୍ୟବସ୍ତୁ ପରିଚାଳନା ଭଳି ୫ଟି ପ୍ରମୁଖ କ୍ଷେତ୍ରରେ ରହିଥିବା ଦ୍ୱନ୍ଦ୍ୱକୁ ସମ୍ପୂର୍ଣ୍ଣ ଭାବେ ଦୂର କରାଯାଇ ସ୍ପଷ୍ଟୀକରଣ ଦିଆଯାଇଛି। ପର୍ଯ୍ୟଟନ ବିଭାଗର ନୂତନ ନିୟମ ଅନୁସାରେ, କେବଳ ପୌରାଞ୍ଚଳ (ଅର୍ବାନ ଏରିଆ) ବା ସହରାଞ୍ଚଳରେ ଥିବା ହୋମଷ୍ଟେଗୁଡ଼ିକ ପାଇଁ ହିଁ ଟ୍ରେଡ୍ ଲାଇସେନ୍ସ ବାଧ୍ୟତାମୂଳକ ରହିବ । ଗ୍ରାମାଞ୍ଚଳରେ ଥିବା ହୋମଷ୍ଟେ ମାଲିକମାନେ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ, ୧୯୬୪ର ଧାରା ୫୫ ଅଧୀନରେ ନିଜ ପଞ୍ଚାୟତରୁ ବ୍ୟବସାୟିକ ଲାଇସେନ୍ସ ନେବେ। ଯଦି ପଞ୍ଚାୟତ ଏପରି ଲାଇସେନ୍ସ ଦେଉନଥାଏ, ତେବେ ଆବେଦନକାରୀ କେବଳ ଏକ ଲିଖିତ ସ୍ୱୟଂ ଘୋଷଣାନାମା ଦାଖଲ କରି କାର୍ଯ୍ୟ କରିପାରିବେ।

ସେହିପରି ବିଲ୍ଡିଂ ପ୍ଲାନ୍ ଅନୁମୋଦନ କ୍ଷେତ୍ରରେ ବିକାଶ କର୍ତ୍ତୃପକ୍ଷ, ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ କିମ୍ବା ସ୍ୱତନ୍ତ୍ର ଯୋଜନା କର୍ତ୍ତୃପକ୍ଷ ଅଧୀନରେ ଥିବା ହୋମଷ୍ଟେଗୁଡ଼ିକ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି । ଏହି କର୍ତ୍ତୃପକ୍ଷଙ୍କ କ୍ଷେତ୍ରାଧିକାର ବାହାରେ ଥିବା ଗ୍ରାମାଞ୍ଚଳ ହୋମଷ୍ଟେ କ୍ଷେତ୍ରରେ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୨୦୧୮ ଜୁନ୍ ୭ତାରିଖର ନିର୍ଦ୍ଦେଶନାମା ଅନୁସାରେ କେବଳ ୫୦୦ ବର୍ଗମିଟରରୁ ଅଧିକ ଜମି ଥିଲେ କିମ୍ବା କୋଠାଟି ଗ୍ରାଉଣ୍ଡ+୨ (ଏ+୨) ମହଲାରୁ ଅଧିକ ଉଚ୍ଚତା ବିଶିଷ୍ଟ ହୋଇଥିଲେ ହିଁ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ଆବଶ୍ୟକ ହେବ, ଅନ୍ୟଥା ସାଧାରଣ ଘର ପାଇଁ ଏହା ଜରୁରୀ ନୁହେଁ ।

Also Read:-ଦେଶରେ ମାଡ଼ୁଛି H1N1 ଭାଇରସ ଭୟ ! ଜାଣନ୍ତୁ ଏହାର ଲକ୍ଷଣ ଓ ବଞ୍ଚିବାର ଉପାୟ..

ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ନିୟମ ସ୍ପଷ୍ଟ କରି କୁହାଯାଇଛି ଯେ, ଓଡ଼ିଶା ଅଗ୍ନି ନିରାପତ୍ତା ନିୟମାବଳୀ ୨୦୧୭ (୨୦୧୯ ସଂଶୋଧନ ବିଜ୍ଞପ୍ତି ନଂ ୪୩୬) ଅନୁସାରେ କେବଳ ୧୨ ମିଟର ବା ତହିଁରୁ ଅଧିକ ଉଚ୍ଚ କିମ୍ବା ୫୦୦ ବର୍ଗମିଟର ବା ତହିଁରୁ ଅଧିକ ନିର୍ମାଣ କ୍ଷେତ୍ରଫଳ ଥିବା କୋଠାଗୁଡ଼ିକ ପାଇଁ ହିଁ ଏହି ପ୍ରମାଣପତ୍ର ଆବଶ୍ୟକ । ଅନ୍ୟପକ୍ଷରେ, ବୈଦ୍ୟୁତିକ ସୁରକ୍ଷା ପ୍ରମାଣପତ୍ର ବାବଦରେ ଶକ୍ତି ବିଭାଗର ୨୦୨୬ ଜୁନ୍ ୧୦ତାରିଖର ବିଜ୍ଞପ୍ତି ଅନୁସାରେ, ଯେଉଁ ହୋମଷ୍ଟେଗୁଡ଼ିକର ବିଦ୍ୟୁତ୍ ଚୁକ୍ତିବଦ୍ଧ ଚାହିଦା ୫ କିଲୋୱାଟ୍ ପର୍ଯ୍ୟନ୍ତ ରହିଛି, ସେମାନଙ୍କୁ କୌଣସି ଇଲେକ୍ଟ୍ରିକାଲ ସେଫ୍ଟି ସାର୍ଟିଫିକେଟ୍ ଦାଖଲ କରିବାକୁ ପଡ଼ିବ ନାହିଁ ।

ଶେଷରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ୟୁଜର ଫି’ ରସିଦ କିମ୍ବା ପଞ୍ଜିକରଣ ପ୍ରମାଣପତ୍ର କେବଳ ସହରାଞ୍ଚଳ ହୋମଷ୍ଟେ ପାଇଁ ବାଧ୍ୟତାମୂଳକ ରହିଛି । ଗ୍ରାମାଞ୍ଚଳରେ ଯଦି ପଞ୍ଚାୟତ ଦ୍ୱାରା ବର୍ଜ୍ୟବସ୍ତୁ ସଂଗ୍ରହ ବ୍ୟବସ୍ଥା ଥାଏ, ତେବେ ପଞ୍ଚାୟତ ପ୍ରଦତ୍ତ ରସିଦ ଦେବାକୁ ହେବ। ଯେଉଁଠି ପଞ୍ଚାୟତ ପକ୍ଷରୁ ଏପରି ବ୍ୟବସ୍ଥା କାର୍ଯ୍ୟକ୍ଷମ ନାହିଁ, ସେଠାରେ ଆବେଦନକାରୀ ପଞ୍ଚାୟତିରାଜ ବିଭାଗର ନିୟମ ମାନି ବର୍ଜ୍ୟବସ୍ତୁ ପରିଚାଳନା କରୁଥିବା ନେଇ ଏକ ସାଧାରଣ ପ୍ରତିଶ୍ରୁତି ପତ୍ର ଦାଖଲ କରି ପଞ୍ଜିକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ । ସରକାରଙ୍କ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ଫଳରେ ସାଧାରଣ ଲୋକଙ୍କ ପାଇଁ ହୋମଷ୍ଟେ ପଞ୍ଜିକରଣ ଅତ୍ୟନ୍ତ ସୁଗମ ହୋଇପାରିଛି ।