News7 Logo

ହକି ଏସିଆ କପ୍ ଫାଇନାଲରେ ଭାରତ, ଚୀନକୁ ୭-୦ରେ କଲା ପରାସ୍ତ; ଉତ୍ତର କୋରିଆ ବିପକ୍ଷରେ ଟାଇଟଲ୍ ମୁକାବିଲା

NEWS7
hockey

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍ ଶନିବାର ଚମତ୍କାର ପ୍ରଦର୍ଶନ କରି ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି । ହରମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ସୁପର୍ ୪ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଚୀନ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । ଚୀନକୁ ଭାରତ ୭-୦ ଗୋଲରେ ପରାସ୍ତ କରିଛି । ଭାରତ ପାଇଁ ଶିଲାନନ୍ଦ ଲାକଡା, ଦିଲପ୍ରୀତ ସିଂହ, ମନଦୀପ, ରାଜକୁମାର ପାଲ, ସୁଖଜିତ୍ ସିଂହ ଓ ଅଭିଷେକ ଗୋଲ୍ ଦେଇଥିଲେ ।

ଫାଇନାଲରେ ଭାରତକୁ ପହଞ୍ଚିବା ପାଇଁ ଡ୍ର କିମ୍ୱା ବିଜୟର ଆବଶ୍ୟକତା ଥିଲା । କିନ୍ତୁ ଟିମ୍ ଟୁର୍ଣ୍ଣାମେଣ୍ଟରେ ନିଜ ଦବଦାବ ବଜାୟ ରଖିବାରେ ସଫଳ ହୋଇଛି । ଏହା ପୂର୍ବରୁ ଏକ କଡ଼ା ମୁକାବିଲାରେ ମାଲେସିଆକୁ ୪-୩ରେ କୋରିଆ ପରାସ୍ତ କରିଥିଲା । ଏବେ ଫାଇନାଲରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ରବିବାର ଖେଳାଯିବ ।

ଏକତରଫା ମୁକାବିଲାରେ ଶିଳାନନ୍ଦ ଲାକଡ଼ା (ଚତୁର୍ଥ ମିନିଟ୍), ଦିଲପ୍ରୀତ ସିଂହ (ସପ୍ତମ), ମନଦୀପ ସିଂହ (୧୮ତମ), ରାଜକୁମାର ପାଲ୍ (୩୭ତମ), ସୁଖଜିତ୍ ସିଂହ (୩୯ତମ), ଅଭିଷେକ ୪୬ତମ ଓ ୫୦ତମ ମିନିଟରେ ଗୋଲ୍ ଦେଇ ଭାରତକୁ ଏକ ବୃହତ ବିଦୟ ଦେଇଥିଲେ । ଏହି ବିଜୟ ସହ ଭାରତ ସୁପର୍ ୪ ତାଲିକାରେ ସାତ ଅଙ୍କ ସହ ଶୀର୍ଷରେ ରହିଛି । ଅନ୍ୟପଟେ ୪ ପଏଣ୍ଟ ସହ ଦକ୍ଷିଣ କୋରିଆ ଦ୍ୱିତୀୟ ସ୍ଥାନରେ ରହିଛି ।

ଭାରତର ଏହି ବିଜୟ ଦ୍ୱାରା କୋରିଆକୁ ବି ଲାଭ ହୋଇଛି । ଶୁକ୍ରବାର ଯାଏ ଗ୍ରୁପରେ ଶେଷ ସ୍ଥାନରେ ଥିବା କୋରିଆ ଟିମ୍ ମାଲେସିଆ ଓ ଚୀନକୁ ପଛରେ ପକାଇ ଫାଇନାଲରେ ସ୍ଥାନ ପକ୍କା କରିଛି । ରବିବାର ସଂଧ୍ୟା ସାଢେ ସାତଟାରେ ଭାରତ ଓ କୋରିଆ ମଧ୍ୟରେ ଟାଇଟଲ୍ ମୁକାବିଲା ଖେଳାଯିବ । ପାଞ୍ଚ ଥରର ଚାମ୍ପିଅନ ବିଜେତା କୋରିଆ ଓ ତିନି ଥରର ଚାମ୍ପିୟନ ଭାରତ ମଧ୍ୟରେ ରୋମାଞ୍ଚକର ମୁକାବିଲା ଆଶା କରାଯାଉଛି ।