ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଚାଲିଥିବା ପଞ୍ଜୁରୀ ମାଛ ଚାଷ (କେଜ୍ କଲଚର୍) ପ୍ରକଳ୍ପ ଦିଗ ହରାଇଛି । ୨୦୧୯ରୁ ୨୮ଟି କେଜରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ଜଳଭଣ୍ଡାରରେ ୨୩୧ଟି କେଜ୍ ରହିଛି । ତେବେ ଆଶ୍ଚର୍ଯ୍ୟର କଥା ହେଲା ସେଥିରୁ ମାତ୍ର ୫୦ଟି କେଜ୍‌ରେ ମାଛ ଚାଷ ଚାଲିଛି ବୋଲି ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷେ ସମ୍ବଲପୁର ଜଳଭଣ୍ଡାରରେ ସମ୍ବଲପୁର ଜିଲ୍ଲାରେ ରହିଛି ମୋଟ ୮ଟି ମତ୍ସ୍ୟଜୀବୀ ସମବାୟ ସମିତି । ପୂର୍ବରୁ ସମବାୟ ସମିତି ଗୁଡ଼ିକରେ ଯେତିକି ସଂଖ୍ୟାରେ ମତ୍ସ୍ୟଜୀବୀ ସଦସ୍ୟ ଥିଲେ ସେହି ସଂଖ୍ୟା ବର୍ତ୍ତମାନ କମି କମି ଚାଲିଛି । କମ ପରିମାଣରେ ମାଛ ମିଳିବା, ମିଳୁଥିବା ମାଛର ବଜାର ବ୍ୟବସ୍ଥା ନଥିବାରୁ କମ ଆୟ ହେବା ସହ ଆନ୍ୟାନ୍ୟ ସାମାଜିକ ସମସ୍ୟା କାରଣରୁ ମତ୍ସ୍ୟଜୀବୀ କୌଳିକ ବୃତ୍ତି ପରିବର୍ତ୍ତେ ଅନ୍ୟ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ବୋଲି ମତ୍ସ୍ୟଜୀବୀ ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି ।

ମାଛ ଉତ୍ପାଦନ ବୃଦ୍ଧି, ମାଛ ଚାଷ ମାଧ୍ୟମରେ କର୍ମନିଯୁକ୍ତି ଭଳି ଲକ୍ଷ୍ୟ ନେଇ ଏହି ବହୁ ପ୍ରତିକ୍ଷିତ କେଜ୍ ଫିସିଂ ଯୋଜନା ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ମାତ୍ର ୨୮ଟି କେଜ୍ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ପରବର୍ତ୍ତୀ ସମୟରେ କେଜ୍ ସଂଖ୍ୟା ୨୩୧କୁ ଛୁଇଁଥିଲା । ଏଥି ପାଇଁ ବିଭାଗ ପକ୍ଷରୁ ସବ୍‌ସିଡିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ତେବେ ଏହି ବହୁ ପ୍ରତିକ୍ଷିତ ଯୋଜନା ବର୍ତ୍ତମାନ ବିଫଳ ହୋଇଛି । ଯୋଜନାର ଯେଭଳି ତଦାରଖ ହେବାକଥା ତାହା ନ ହେବାରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି ବୋଲି ଜଣେ କେଜ୍ କଲଚର୍ ମତ୍ସ୍ୟ ଚାଷୀ ପ୍ରକାଶ କରିଛନ୍ତି । ଜିଲ୍ଲା ମତ୍ସ୍ୟ ବିଭାଗ ସୂଚନା ଅନୁଯାୟୀ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ମୋଟ ୨୩୧ଟି କେଜ୍ ରହିଛି । ତେବେ ସେଥିରୁ ବର୍ତ୍ତମାନ ୫୦ଟି କେଜ୍‌ରେ ମାଛ ଚାଷ ଚାଲିଛି । ବହୁ ପ୍ରତିକ୍ଷିତ ଏହି ଯୋଜନା କାହିଁକି ବିଫଳ ହେବାକୁ ଯାଉଛି ଏନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେହିପରି ବର୍ତ୍ତମାନ ମତ୍ସ୍ୟଜୀବୀ ମଧ୍ୟ ନିଜର କୌଳିକ ବୃତ୍ତି ଛାଡୁଛନ୍ତି । ହୀରାକୁଦ ଜଳଭଣ୍ଡାରରେ ଥିବା ମହଞ୍ଚଦପୁର ମତ୍ସ୍ୟଜୀବୀ ସମବାୟ ସମିତିର ସଭାପତି ପୂର୍ଣ୍ଣଚନ୍ଦ୍ର ତନସେନାଙ୍କ ସୂଚନା ଅନୁଯାୟୀ ମହଞ୍ଚଦପୁର ମତ୍ସ୍ୟଜୀବୀ ସମବାୟ ସମିତି ବହୁ ପୁରାତନ ଅଟେ । ଏହି ସମବାୟ ସମିତି ଆରମ୍ଭ ସମୟରେ ପ୍ରାୟ ୮୦୦ ମତ୍ସ୍ୟଜୀବୀ ସଦସ୍ୟ ଥିଲେ । ବର୍ତ୍ତମାନ ପ୍ରାୟ ୪୦୦ ଜଣ ସଦସ୍ୟ ରହିଛନ୍ତି । ଆଗଭଳି ଆଉ ମାଛ ମିଳୁନଥିବା ବେଳେ ବିକ୍ରି ଜନିତ ସମସ୍ୟା ରହିଛି। ଏହି କାରଣରୁ ଅନେକ ପରିବାର ମାଛ ମାରିବା ବଦଳରେ ଅନ୍ୟ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାଉଛନ୍ତି ବୋଲି ପ୍ରକାଶ କରିଛନ୍ତି। ସମସ୍ୟା ନେଇ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ପୁଲିନ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କେଜ୍ କଲଚର୍ ପ୍ରଣାଳୀକୁ ପୁଣିଥରେ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ଗ୍ରହଣ ହୋଇଛି । ଏଥି ପାଇଁ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି । କେଜ୍ ପ୍ରଣାଳୀରେ ମାଛ ଚାଷ କରୁଥିବା ସମସ୍ତ ମତ୍ସ୍ୟଚାଷୀଙ୍କ ସହ ଯୋଗାଯୋଗ କରି ସଚେତନ କରାଯାଉଛି । ଇତି ମଧ୍ୟରେ ଏନେଇ ୪/୫ଟି ବୈଠକ ମଧ୍ୟ ଅନୁଷ୍ଠିତ ହେଲାଣି ବୋଲି ସୂଚନା ଦେଇଛନ୍ତି ।