ନୂଆଦିଲ୍ଲୀ: ହିନ୍ଦୁକୁଶ ହିମାଳୟ ଅଞ୍ଚଳରେ ଥିବା ୪୦୭ଟି ଗ୍ଲେସିୟର ହ୍ରଦ ଯେକୌଣସି ସମୟରେ ବିସ୍ଫୋରଣ ହେବାର ଆଶଙ୍କା ରହିଛି। ଜର୍ମାନୀର 'ୟୁନାଇଟେଡ୍ ନେସନ୍ସ ୟୁନିଭରସିଟି ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଏନଭାୟରନମେଣ୍ଟ ଆଣ୍ଡ ହ୍ୟୁମାନ ସିକ୍ୟୁରିଟି' (UNU-EHS) ର ଗବେଷଣାରୁ ଏହି ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି।

ଗ୍ଲେସିୟର ବିଜ୍ଞାନୀ ଦୀପେଶ ଚାପାଜେନଙ୍କ ନେତୃତ୍ୱରେ ହୋଇଥିବା ଏହି ଗବେଷଣା ଅନୁଯାୟୀ, ୧୯୫୦ ମସିହା ପରଠାରୁ ଗ୍ଲେସିୟର ହ୍ରଦ ବିସ୍ଫୋରଣ ଜନିତ ବନ୍ୟା (GLOF) ଘଟଣା ପ୍ରାୟ ୫ ଗୁଣ ବୃଦ୍ଧି ପାଇଛି। ଚୀନରେ ୧୮୩୫ରୁ ୨୦୨୫ ମଧ୍ୟରେ ସର୍ବାଧିକ ୧୯୯ଟି ଜିଏଲଓଏଫ ଘଟଣା ରେକର୍ଡ କରାଯାଇଛି ଏବଂ ୬୨୫ ଜଣଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନରେ ୧୫୨ଟି ଘଟଣା ଘଟିଥିବା ବେଳେ ୧,୯୯୧ ଜଣଙ୍କ ମୃତ୍ୟୁ ହୋଇଛି। ଭାରତରେ ୬୨ଟି ଘଟଣା ଘଟିଥିବା ବେଳେ ସବାଧିକ ୬,୧୧୯ ଜଣଙ୍କର ମୃତ୍ୟୁ ହୋଇଛି, ଯାହା ସବୁଠାରୁ ଅଧିକ। ନେପାଳରେ ଏହି ଭଳି ୫୮ଟି ଘଟଣା ରେକର୍ଡ କରାଯାଇଛି।

ଗ୍ଲେସିୟର ହ୍ରଦ କାହିଁକି ସାଜୁଛି ବିପଦ?

ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁଁ ବରଫ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଏହି ପାଣି ପାହାଡ଼ ଉପରେ ଜମି ହ୍ରଦ ସୃଷ୍ଟି କରୁଛି। ଭୂକମ୍ପ, ଭୂସ୍ଖଳନ କିମ୍ବା ବାଦଲ ଫାଟିବା ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏହି ହ୍ରଦଗୁଡ଼ିକର ବନ୍ଧ ଭାଙ୍ଗିଯାଏ ଏବଂ ତଳ ଅଞ୍ଚଳ ଆଡ଼କୁ ଭୟଙ୍କର ବନ୍ୟା ମାଡ଼ିଆସେ।

ସିକ୍କିମ ପ୍ରତି ବଢୁଛି ବିପଦ

ସିକ୍କିମ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (SSMA) ର ଉପାଧ୍ୟକ୍ଷ ଡକ୍ଟର ବିନୋଦ ଶର୍ମାଙ୍କ ଅନୁଯାୟୀ, ରାଜ୍ୟର ୮୫ଟି ଗ୍ଲେସିୟର ହ୍ରଦ ମଧ୍ୟରୁ ୧୭ଟି ଅତ୍ୟନ୍ତ ସଂବେଦନଶୀଳ। ଏହାମଧ୍ୟରୁ ୭ଟି ହ୍ରଦ ଭୂକମ୍ପ କିମ୍ବା ବାଦଲଫଟା ବର୍ଷା ହେଲେ ଯେକୌଣସି ସମୟରେ ମାଡ଼ିଆସିବାର ବିପଦ ରହିଛି।

ଦୀପେଶ ଚାପାଜେନଙ୍କ କହିବା ଅନୁଯାୟୀ, ନେପାଳ-ଚୀନ୍ ସୀମାନ୍ତରେ ଘଟିଥିବା ବିପର୍ଯ୍ୟୟରୁ ସ୍ପଷ୍ଟ ହୋଇଛି ଯେ ଆମର ସୂଚନା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ଦରକାର। ସାଟେଲାଇଟ୍ ମନିଟରିଂ, ପାଣିପାଗ କେନ୍ଦ୍ର ଏବଂ ନଦୀ ଜଳସ୍ତର ମାପକ ଯନ୍ତ୍ର ସାହାଯ୍ୟରେ ପୂର୍ବ ସୂଚନା ପାଇଲେ ସାଧାରଣ ଲୋକଙ୍କ ଜୀବନ ବଞ୍ଚାଯାଇପାରିବ। ଏହାସହ ହିନ୍ଦୁକୁଶ ଅଞ୍ଚଳର ନଦୀ ଓ ଗ୍ଲେସିୟରଗୁଡ଼ିକ ଏକାଧିକ ଦେଶ ଦେଇ ପ୍ରବାହିତ ହେଉଥିବାରୁ ଭାରତ, ଚୀନ୍ ଓ ନେପାଳ ମଧ୍ୟରେ ତଥ୍ୟ ଆଦାନପ୍ରଦାନ ଅତ୍ୟନ୍ତ ଜରୁରୀ।