ନୂଆଦିଲ୍ଲୀ: ହିମାଳୟ-ହିନ୍ଦୁକୁଶ ପର୍ବତ ଶୃଙ୍ଖଳାରେ ବରଫପାତ ଗତ ୨୩ ବର୍ଷରେ ସବୁଠୁ କମ ହୋଇଛି । ଏହି ସ୍ଥିତି ଦୁଇ ବିଲିୟନ୍ ଲୋକଙ୍କ ପାଇଁ ଭୟଙ୍କର ସଂକଟ ସୃଷ୍ଟି କରିପାରେ, ଯେଉଁମାନେ ଗ୍ଲାସିୟର ତରଳିବା ପରେ ବାହାରୁଥିବା ପାଣି ଉପରେ ନିର୍ଭର କରୁଛନ୍ତି । ଇଣ୍ଟରନ୍ୟାସନାଲ୍ ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ୍ ମାଉଣ୍ଟେନ୍ ଡେଭଲ୍ପମେଣ୍ଟ ସୋମବାର ଜାରି କରିଥିବା ନିଜ ରିପୋର୍ଟ ଏହା କହିଛି । ରିପୋର୍ଟରେ କୁହାଯାଇଛି ଯେ ହିମାଳୟ ପର୍ବତ ଶୃଙ୍ଖଳାରେ ବରଫପାତ ହ୍ରାସ ଲଗାତାର ତିନି ବର୍ଷ ହେଲା ଦେଖିବାକୁ ମିଳିଛି । ଫଳରେ ଏହି କ୍ଷେତ୍ରରେ ଜଳ ସୁରକ୍ଷା ପାଇଁ ବଡ଼ ବିପଦ ସୃଷ୍ଟି ହୋଇଛି ।
ହିମାଳୟ-ହିନ୍ଦୁକୁଶ ପର୍ବତ ଶୃଙ୍ଖଳା ଆଫଗାନିସ୍ତାନରୁ ମ୍ୟାଁମାର ଯାଏ ବ୍ୟାପ୍ତ । ଆର୍କଟିକ୍ ଓ ଆଣ୍ଟାର୍କଟିକ୍ ମହାଦ୍ୱୀପ ପରେ ବରଫ ଓ ଗ୍ଲାସିୟରର ସବୁଠୁ ବଡ଼ ଭଣ୍ଡାର ଏହି କ୍ଷେତ୍ରରେ ରହିଛି । ଏହା ପ୍ରାୟ ୨ ବଲିୟନ୍ ଲୋକଙ୍କ ପାଇଁ ପିଇବା ପାଣିର ମୁଖ୍ୟ ଉତ୍ସ ଅଟେ । ଅନ୍ୟପଟେ କୃଷି, ଘରୋଇ ବ୍ୟବହାର ଓ ଅନ୍ୟ ଆବଶ୍ୟକତା ପାଇଁ ମଧ୍ୟ ଏହି ପାଣି ଉପରେ ନିର୍ଭର କରାଯାଏ । ଆଇସିଆଇଏମଓଡିର ସଦ୍ୟ ରିପୋର୍ଟ ଅନୁସାରେ ଏହି କ୍ଷେତ୍ରରେ ମୌସୁମୀ ବରଫ ଆବରଣ ସ୍ୱାଭାବିକଠାରୁ ୨୩.୬ ପ୍ରତିଶତ କମ ରହିଛି, ଯାହା ୨୩ ବର୍ଷରେ ସର୍ବନିମ୍ନ ସ୍ତର ।
ରିପୋର୍ଟର ମୁଖ୍ୟ ଲେଖକ ଶେର ହହମ୍ମଦ କହିଛନ୍ତି, ଚଳିତ ବର୍ଷ ବରଫପାତ ଜାନୁଆରୀ ଶେଷରେ ଆମ୍ଭ ହୋଇଥିଲା ଓ ପୂରା ଶୀତ ଋତୁରେ ହାରାହାରିଠାରୁ କମ ରହିଥିଲା । ଏହି କାରଣରୁ ନଦୀର ପ୍ରବାହରେ ସମ୍ଭାବିତ ହ୍ରାସ, ଭୂତଳ ଜଳ ଉପରେ ନିର୍ଭରତା ବୃଦ୍ଧି ହୋଇପାରେ । ଏହି କ୍ଷେତ୍ରରେ ଅନେକ ଦେଶରେ ପୂର୍ବରୁ ହିଁ ମରୁଡ଼ି ଚେତାବନୀ ଜାରି କରାଯାଇଛି, ଅନ୍ୟପଟେ ଫସଲ ଉତ୍ପାଦନ ଓ ପାଣି ଉପଲବ୍ଧତା ମଧ୍ୟ ବିପଦରେ ପଡ଼ିବ ।
ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଚୀନ, ଭାରତ, ମ୍ୟାଁମାର ଓ ନେପାଳ ଅନ୍ତରାଷ୍ଟ୍ରୀୟ ଏକୀକୃତ ପର୍ବତୀୟ ବିକାଶ କେନ୍ଦ୍ରର ସଦସ୍ୟ ଦେଶ ଅଛନ୍ତି । ବେସରକାରୀ ଅନୁଷ୍ଠାନ ଏହି କ୍ଷେତ୍ରରେ ୧୨ ପ୍ରମୁଖ ନଦୀ ଘଟି ଉପରେ ନିର୍ଭର ଦେଶଙ୍କୁ ଜଳ ପ୍ରବନ୍ଧନ, ମରୁଡ଼ି ମୁକାବିଲା, ପୂର୍ବ ସତର୍କତା ପ୍ରଣାଳୀରେ ସୁଧାର କରିବା ଓ କ୍ଷେତ୍ରୀୟ ସହଯୋଗକୁ ବଢାଇବା ପାଇଁ ଅପିଲ୍ କରିଛି । ରିପୋର୍ଟରେ ବିଶେଷ ଭାବେ ଉଲ୍ଲେଖ କରାଯାଇଛି ଯେ ଦକ୍ଷିଣ-ପୂର୍ବ ଏସିଆର ଦୁଇ ସବୁଠୁ ଲମ୍ୱା ନଦୀ ମେକାଙ୍ଗ ଓ ସାଲବୀନ, ଯାହା ଚୀନ ଓ ମ୍ୟାଁମାରକୁ ପାଣି ଦେଉଛି, ତାର ପ୍ରାୟ ଅଧା ବରଫ ତରଳି ସାରିଛି ।