ନୂଆଦିଲ୍ଲୀ: ବିମୁଦ୍ରୀକରଣକୁ ଶନିବାର ୯ ବର୍ଷ ପୂରିବ । ନଭେମ୍ୱର ୮, ୨୦୧୬ ରାତି ୮ଟାରେ ଦେଶ ଉଦ୍ଦେଶ୍ୟରେ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଘୋଷଣା କରିଥିଲେ । ନୋଟବନ୍ଦୀର ଉଦ୍ଦେଶ୍ୟ ଦେଶର କଳାଧନକୁ ଶେଷ କରିବା ଓ ଦୁର୍ନୀତିକୁ ଶେଷ କରିବା ଥିଲା । କିନ୍ତୁ ଏହା ଦେଶରେ ଡିଜିଟାଲ ଇକୋନୋମିକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ନୋଟବନ୍ଦୀ ସମୟରେ ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଦ୍ୱାରା କରାଯାଉଥିଲା, କିନ୍ତୁ ବିମୁଦ୍ରୀକରଣ କାରଣରୁ ନଗଦରେ କାରବାର ହ୍ରାସ ଯୋଗୁ ପ୍ରାୟ ସବୁ ବର୍ଗରେ ଏହା ଖୁବ କମ ସମୟରେ ଲୋକପ୍ରିୟ ହେବା ଆରମ୍ଭ ହୋଇଥିଲା ।

ରିସର୍ଚ୍ଚ ଫାର୍ମ ପିଡବ୍ଲୁସିର ଡାଟା ଅନୁସାରେ, ନୋଟବନ୍ଦୀ ଘୋଷଣାର ଏକ ବର୍ଷ ଭିତରେ ହିଁ ଡିଜିଟାଲ୍ ଅର୍ଥବ୍ୟବସ୍ଥାରେ ଏକ ବଡ଼ ବୁମ୍ ଦେଖିବାକୁ ମିଳିଥିଲା । ୟୁପିଆଇରେ ଲାଇଭ୍ ବ୍ୟାଙ୍କ ସଂଖ୍ୟା ୨୦୧୬ ଡିସେମ୍ୱରରେ ୨୧ ଥିଲା, ଯାହା ୯ ମାସରୁ କମ ସମୟ ମଧ୍ୟରେ ୧୬୦ ପ୍ରତିଶତ ବଢି ସେପ୍ଟେମ୍ୱର ୨୦୧୭ରେ ୫୫ ବ୍ୟାଙ୍କ ହୋଇଥିଲା । ସେହିପରି ଟ୍ରାଞ୍ଜାକ୍ସନ ସଂଖ୍ୟା ୨୦୧୬ ଡିସେମ୍ୱରରେ ୨୦ ଲକ୍ଷରୁ ୧୫୪୦ ପ୍ରତିଶତ ବଢି ୩.୦୮ କୋଟି ହୋଇଥିଲା । ଏହି ସମୟରେ ନେଣଦେଣର ଭାଲ୍ୟୁ ୭ ବିଲିୟନ ଟଙ୍କାରୁ ବଢି ୫୨.୯ ବିଲିୟନ ଡଲାର ହୋଇଛି ।  

ଏହି ସମୟରେ ଏନଇଏଫଟି ଉପରେ ନେଣଦେଣ ସଂଖ୍ୟା ଓ ଭାଲ୍ୟୁରେ ଯଥାକ୍ରମେ ୨୮ ପ୍ରତିଶତ ଓ ୬୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା । ଆରଟିଜିଏସ ଉପରେ ନେଣଦେଣ ସଂଖ୍ୟା ଓ ଭାଲ୍ୟୁରେ ଯଥାକ୍ରମେ ୨୨ ପ୍ରତିଶତ ଓ ୩୦ ପ୍ରତିଶତ ବୃଦ୍ଧି ହୋଇଛି ।

ଆର୍ଥିକ ସେବା ବିଭାଗ ଅନୁଯାୟୀ, ଦେଶରେ ଡିଜିଟାଲ୍ ପେମେଣ୍ଟ କାରବାର ସଂଖ୍ୟା ୨୦୨୩-୨୪ ଆର୍ଥିକ ବର୍ଷରେ ୧୮,୭୩୭ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି, ଯାହା ୨୦୧୭-୧୮ ଆର୍ଥିକ ବର୍ଷରେ ୨,୦୭୧ କୋଟି ଥିଲା । ସେହି ସମୟରେ, ଏହି କାରବାରର ମୂଲ୍ୟ ୨୦୨୩-୨୪ ଆର୍ଥିକ ବର୍ଷରେ ୩,୬୫୯ ଲକ୍ଷ କୋଟି ଟଙ୍କା ଥିଲା, ଯାହା ୨୦୧୭-୧୮ ଆର୍ଥିକ ବର୍ଷରେ ୧,୯୬୨ ଲକ୍ଷ କୋଟି ଟଙ୍କା ଥିଲା । ୨୦୨୫ ପାର୍ବଣ ଋତୁରେ ଡିଜିଟାଲ୍ କାରବାରରେ ମଧ୍ୟ ଏକ ଉଲ୍ଲେଖନୀୟ ବୃଦ୍ଧି ଦେଖାଦେଇଥିଲା । ଧନତେରସରୁ ଦୀପାବଳି ପର୍ଯ୍ୟନ୍ତ ତିନି ଦିନ ମଧ୍ୟରେ ୟୁପିଆଇରେ ହାରାହାରି କାରବାର ସଂଖ୍ୟା ୭୩୬.୯ ନିୟୁତ ଥିଲା, ଯାହା ଗତ ବର୍ଷ ସମାନ ସମୟ ମଧ୍ୟରେ ୬୪୭.୪ ନିୟୁତ ଥିଲା ।