ନୂଆଦିଲ୍ଲୀ ୮।୧୧: ଏୟାରଟେଲ, ଜିଓ ଏବଂ ଭୋଡାଫୋନ ଆଇଡିଆ ଦେଶର କୋଟି କୋଟି ଗ୍ରାହକଙ୍କୁ ମହଙ୍ଗା ଝଟକା ଦେବାକୁ ଯାଉଛନ୍ତି। ଏହି କମ୍ପାନୀମାନେ ଡିସେମ୍ବର ୨୦୨୫ରେ ସେମାନଙ୍କ ରିଚାର୍ଜ ଓ ଡାଟା ପ୍ଲାନ ମୂଲ୍ୟ ବଢାଇ ପାରନ୍ତି। ଏଣୁ ମୋବାଇଲ ୟୁଜରଙ୍କ ପକେଟ ଉପରେ ସିଧା ପ୍ରଭାବ ପଡିବ। ସୂଚନା ଅନୁସାରେ ୩ ବଡ଼ ଟେଲିକମ କମ୍ପାନୀ ସେମାନଙ୍କ ରିଚାର୍ଜ ପ୍ଲାନ ଦର ବଢାଇବାକୁ ପ୍ରସ୍ତୁତି କରୁଛନ୍ତି। ଅନୁମାନ କରାଯାଉଛି ଏହି ପରିବର୍ତ୍ତନ ଡିସେମ୍ବର ୨୦୨୫ରୁ ଲାଗୁ ହୋଇ ପାରେ। ଏହାର ପ୍ରଭାବ ପ୍ରିପେଡ ଓ ଡାଟା ପ୍ଲାନସ ଉପରେ ସବୁଠୁ ଅଧିକ ପଡିବ।

ବିଶ୍ଲେଷକଙ୍କ ଅନୁସାରେ ଟେଲିକମ କମ୍ପାନୀଙ୍କ ପାଇଁ ଏହା ଜରୁରି ଯେ ସେମାନଙ୍କ ଋଣ ଭାର ହ୍ରାସ କରିବାକୁ ପ୍ରତି ୟୁଜର ହାରାହାରି ୨୦୦ ଟଙ୍କାରୁ ଅଧିକ ଅସୁଲ କରିବା, ଏବେ ଏହା ୧୮୦ରୁ ୧୯୫ ମଧ୍ୟରେ ରହୁଛି। ଏଣୁ ଅନୁମାନ କରାଯାଉଛି ଯେ ୨୮ ଦିନ ପାଇଁ  ୧୯୯ ଟଙ୍କା ପ୍ଲାନକୁ ୨୨୨ ଟଙ୍କାରେ, ୨୮ ଦିନ ଓ ଦୈନିକ ୨ଜିବି ଡାଟା ପ୍ଲାନ ୨୯୯ ଟଙ୍କାକୁ ୩୩୦-୩୪୫ ଟଙ୍କା ଓ ଦୈନିକ ୨ଜିବି ଓ ୮୪ ଦିନିଆ ପ୍ଲାନକୁ ୯୪୯ ଟଙ୍କାରୁ ୯୯୯ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା କରି ପାରନ୍ତି।

ଏଣୁ ଗ୍ରାହକ ଦୀର୍ଘ ସମୟ ପର୍ଯ୍ୟନ୍ତ ଉପଯୋଗ କରୁଥିବା ପ୍ଲାନସ୍ ଲାଗି ସେମାନଙ୍କୁ ଆଗକୁ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ। ଏଥିରେ ଯଦି ଗ୍ରାହକ ମୂଲ୍ୟ ବୃଦ୍ଧିରୁ ବର୍ତ୍ତିବାକୁ ଚାହାନ୍ତି ତେବେ ଏହି ନଭେମ୍ବର ମାସରେ ଦୀର୍ଘ ବୈଧତାର ପ୍ଲାନ ରିଚାର୍ଜ କରାଇ ନିଅନ୍ତୁ। ଏହା ଦ୍ୱାରା ଗ୍ରାହକ ବର୍ତ୍ତମାନ ଦରରେ ଆଗାମୀ ଅନେକ ମାସ ପର୍ଯ୍ୟନ୍ତ ସେବା ଉପଯୋଗ କରିପାରିବେ।ଏଥିରେ ବାର୍ଷିକ ଅଥବା ଦୀର୍ଘ ଅବଧି ପ୍ଲାନ ସବୁଠୁ ଭଲ ବିକଳ୍ପ ବୋଲି କୁହାଯାଉଛି। ତେବେ ବିଏସଏନଏଲ ଏହି ଦର ବୃଦ୍ଧିରୁ ବାହାରେ ରହି ପାରେ।