ନୂଆଦିଲ୍ଲୀ, ୦୯|୧୧  : କିଛି ଦିନ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ୍ ସିରିଜ୍ ଖେଳିବ ଭାରତ । ଯାହାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ପ୍ଲେୟାର । ଏହି ସିରିଜ କିଛି ଖେଳାଳିଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଯେଉଁଥିରେ ଅଛନ୍ତି ଓ୍ୱିକେଟକିପର ଋଷଭ ପନ୍ତ । କାରଣ ଦୀର୍ଘ ଦିନ ହେବ ସେ ଆହତ ଜନିତ କାରଣରୁ ଟିମରୁ ବାହାରେ ଥିଲେ । ବହୁତ ଦିନ ବ୍ୟବଧାନରେ ସେ ଦଳକୁ ଫେରିଛନ୍ତି । କିନ୍ତୁ ତାଙ୍କୁ ଦଳରେ ସ୍ଥାନ ମିଳିଥିଲେ ବି ଧୃବ ଜୁରେଲଙ୍କୁ ସୁଯୋଗ ଦେଇପାରେ ମ୍ୟାନେଜମେଣ୍ଟ୍ ।

ଟିମ୍ ଇଣ୍ଡିଆର ଅନ୍ୟତମ ଓ୍ୱିକେଟ୍ କିପର ବ୍ୟାଟର ଧୃବ ଜୁରେଲ ଏବେ ଦମଦାର ଫର୍ମରେ ଅଛନ୍ତି । ଭାରତୀୟ-ଏ ଦଳ ପାଇଁ ଖେଳୁଥିବା ଜୁରେଲ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ । ଦୁଇଟି ଇନିଂସରେ ସେ ଶତକ ଲଗାଇଥିଲେ । ଏହା ବ୍ୟତୀତ ଓ୍ୱେଷ୍ଟ ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଜୁରେଲ ସେଞ୍ଚୁରୀ ମାରିଥିଲେ । ଏହି କ୍ଷେତ୍ରରେ ପନ୍ତ ଥିଲେ ବି ଜୁରେଲଙ୍କୁ ବାଦ ଦେବା ସହଜ ହେବନି ।

ରିପୋର୍ଟ ଅନୁସାରେ, କୋଲକାତା ଟେଷ୍ଟରେ ପନ୍ତଙ୍କ ସହ ଜୁରେଲଙ୍କୁ ମଧ୍ୟ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ । ସେ ବ୍ୟାଟସମ୍ୟାନ୍ ଭାବେ ଖେଳିବେ । ଯଦି ପନ୍ତଙ୍କୁ ସ୍ଥାନ ମିଳେ ତେବେ ଜୁରେଲ କାହାର ଜାଗା ନେବେ ସେନେଇ ଅନେକ ଆଲୋଚନା ହେଉଛି ।

କୁହାଯାଉଛି ଯେ, ସାଇ ସୁଦର୍ଶନଙ୍କୁ ତୃତୀୟ ନମ୍ବରରେ ଖେଳିବାକୁ ସୁଯୋଗ ମିଳୁଛି । ତାଙ୍କୁ ହଟାଯିବ ନାହିଁ । ଯଦି ଜୁରେଲଙ୍କୁ ସୁଯୋଗ ମିଳେ ତେବେ ନୀତିଶ କୁମାର ରେଡ୍ଡି ବାଦ୍ ପଡିପାରନ୍ତି । ଜୁରେଲ ସ୍ପେସିଆଲିଷ୍ଟ ବ୍ୟାଟର ଭାବେ ଖେଳିବାର ସୁଯୋଗ ପାଇପାରନ୍ତି । ଯାହା ବ୍ୟାଟିଂ ଅର୍ଡରରେ ଦଳକୁ ଭଲ ବାଲାନ୍ସ ଦେବ ।

ସୂଚନାଯୋଗ୍ୟ, ଜୁରେଲ ଏବେସୁଦ୍ଧା ୭ଟି ଟେଷ୍ଟ ଖେଳିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଧଶତକ ସାମିଲ ରହିଛି । ତାଙ୍କର ମୋଟ୍ ଟେଷ୍ଟ ରନ୍ ହେଉଛି ୪୩୦।