ଭୁବନେଶ୍ୱର ୨୭।୦୫: ୨୦୨୫ ମସିହା ନଭେମ୍ବର ୨ ତାରିଖ । ମାଲକାନଗିରି ପୁଲିସକୁ ଖବର ମିଳିଥିଲା କିଛି ଲୋକ ଗଞ୍ଜେଇ ଚାଲାଣ କରୁଛନ୍ତି । ଏକ ଜଙ୍ଗଲ ରାସ୍ତାରେ ପୁଲିସ ଚଢ଼ଉ କଲା । ଆଠ ଜଣ ଅଣଓଡ଼ିଆ ଶାଳ ଜଙ୍ଗଲରେ ଚମ୍ପଟ ମାରିଲେ । ଆଠଟି ବାଇକ ସହ କିଛି ବସ୍ତା ଜବତ ହୋଇଥିଲା । ବସ୍ତା ଗୁଡ଼ିକରେ ଅନେକ ପ୍ଲାଷ୍ଟିକ କଣ୍ଟେନର ଥିଲା । ସେଗୁଡ଼ିକୁ ତନଖିବା ପରେ ଜଣାପଡ଼ିଲା ଅଛି ୬୦ କିଲୋ ‘ତରଳ ସୁନା’ । ଏହାର ମୂଲ୍ୟ ଥିଲା ୮ କୋଟିରୁ ଅଧିକ । ଯାହାକି ଓଡ଼ିଶା ପୁଲିସ ଓ ଅବକାରୀ ବିଭାଗ ପାଇଁ ଥିଲା ନୂଆ । ଜଣାପଡ଼ିଲା, ଏହା ଚିତ୍ରକୋଣ୍ଡାରୁ ଆନ୍ଧ୍ର ପ୍ରଦେଶ ଚାଲାଣ ହେଉଥିଲା । ୨୦୨୬ ଫେବ୍ରୁଆରୀ ମାଲକାନଗିରି ପୁଲିସ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ୬୨ କିଲୋ ‘ତରଳ ସୁନା’ ଜବତ କଲା । ଫେବ୍ରୁଆରୀ ଶେଷ ସପ୍ତାହରେ କୋରାପୁଟ ପୁଲିସକୁ ଖବର ମିଳିଲା ଆନ୍ଧ୍ର ସୀମାକୁ ଲାଗିଥିବା ଜଲାପୁଟ କୂଳ ଜଙ୍ଗଲରେ କିଛି ନିଶା କାରବାର ଚାଲିଛି । ବୋଟ୍ରେ କିଛି ବାଟ ଯିବା ପରେ ଘଞ୍ଚ ଜଙ୍ଗଲ ଦେଇ ପୁଲିସ ସେଠାରେ ପହଞ୍ଚିଥିଲା । ସେଠାରେ ଯାହା ମିଳିଲା ଆଖି ଖୋସି ହୋଇଗଲା । ସେଠାରେ ଶହ ଶହ କଣ୍ଟେନରରେ ମହଜୁଦ ଥିଲା ୧୮ ଶହ ଲିଟର ‘ତରଳ ସୁନା’ । ଯାହାର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ୨ ଶହ କୋଟି ଟଙ୍କାରୁ ଅଧିକ । ଏଥିସହ ସେଠାରେ ଏକ ଗୋଦାମରେ ଷ୍ଟକ୍ ଥିଲା ଏକ ହଜାର କିଲୋ ଗଞ୍ଜେଇ ।

‘ତରଳ ସୁନା’ ହେଉଛି ମାଫିଆଙ୍କ ଭାଷା । ବାସ୍ତବରେ ‘ତରଳ ଗଞ୍ଜେଇ’କୁ ସେମାନେ କହୁଛନ୍ତି ‘ତରଳ ସୁନା’ । କାରଣ ଏହାର ଦର ଆନ୍ତର୍ଜାତିକ ବଜାରରେ ବହୁତ ଉଚ୍ଚା । ନିମ୍ନମାନର ୧୦ ମିଲିଲିଟର ତରଳ ଗଞ୍ଜେଇର ଦର ୮ ହଜାର ଟଙ୍କା । ଟିକେ ଭଲ ମାନର ଥିଲେ ବ୍ଲାକ ମାର୍କେଟରେ ଏକ କିଲୋ ତରଳ ଗଞ୍ଜେଇ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି ହେଉଛି । ଯଦିଓ ଶିଳାବତୀ ଶୁଖିଲା ଗଞ୍ଜେଇର ଦର ଏକ କିଲୋକୁ ୧ ଲକ୍ଷରୁ ୧.୭ ଲକ୍ଷ ଟଙ୍କା ହୋଇଥାଏ । ମାଫିଆ ମାନେ ଏଠାରେ ଉଚ୍ଚମାନର ‘ଶିଳାବତୀ’କୁ କିଲୋ ପିଛା ହଜାରେରୁ ୫ ହଜାର ଟଙ୍କାରେ ବେଶ୍ ସହଜରେ କିଣୁଛନ୍ତି । ଏହାପରେ ତାକୁ ଚାଲାଣ କରି ଅନ୍ୟ ରାଜ୍ୟ ତଥା ଆନ୍ତର୍ଜାତିକ ବଜାରରୁ ବିପୁଳ ଲାଭ ପାଉଛନ୍ତି । କିନ୍ତୁ ପରିବହନଜନିତ ସମସ୍ୟା ଓ ବଜାର ଚାହିଦାକୁ ଦେଖି ସେମାନେ ତାକୁ ତରଳ କରି ଚାଲାଣ କରୁଛନ୍ତି । ଦଶନ୍ଧି ଧରି ଓଡ଼ିଶାରୁ ଉନ୍ନତ ମାନର ‘ଶିଳାବତୀ’ ଗଞ୍ଜେଇ ଦେଶ ବିଦେଶକୁ ଚାଲାଣ ହେଉଛି । ଏହାପଛରେ ଶହ ଶହ ନେଟୱର୍କ ସକ୍ରିୟ । ଏହି ବେଆଇନ ବଜାରର ମୂଲ୍ୟ କେଇ ହଜାର କୋଟି କହିଲେ ଅତ୍ୟୁକ୍ତି ହେବନାହିଁ । ବଲିଉଡ଼, ଟଲିଉଡ଼ ଓ କଲିଉଡ଼ ସବୁଠି ଏହା ପ୍ରିୟ ।

ଦେଶରେ ଚାଷ ହେଉଥିବା ଅନ୍ୟ ତିନି ପ୍ରକାର ଗଞ୍ଜେଇ (ମଲାନା କ୍ରିମ୍, ଇଡୁକୀ ଗୋଲ୍ଡ ଏବଂ ମହୀଶୂର ଗୋଲ୍ଡ)କୁ ‘ଶିଳାବତୀ’ ପଛରେ ପକାଇ ଦେଇଛି । ବିଶେଷ କରି ଅବିଭକ୍ତ କୋରାପୁଟ, ଅବିଭକ୍ତ ଗଞ୍ଜାମ ଜିଲ୍ଲାରେ ଏହାର ଚାଷ ବହୁଳ ମାତ୍ରାରେ ହେଉଛି । ଗଞ୍ଜେଇ ଚାଷ ଓ ଏହାର ଚାଲାଣକୁ ରୋକିବାରେ ରାଜସ୍ୱ ବିଭାଗ, ବନ ବିଭାଗ, ପୁଲିସ ଏବଂ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ବିଫଳ ହେଇଥିବା ଦେଖିବାକୁ ମିଳିଛି । ଏବେ ଏହି ଚାଷ ଉପରେ ଆନ୍ତର୍ଜାତିକ ବେପାରୀଙ୍କ ଦୃଷ୍ଟି ପଡ଼ିଛି । ଆଉ ଏହାର ରୂପ ଧୀରେ ଧୀରେ ବଦଳିବାରେ ଲାଗିଛି । କୋଭିଡ଼ ସମୟରେ ଯେତେବେଳେ ଅନେକ ଲୋକ ନିଃସଙ୍ଗ ଜୀବନ ବିତାଉଥିଲେ, କେତେକ ବିଦେଶୀ ନିଶା ବେପାରୀ ଆନ୍ଧ୍ର, ତେଲଙ୍ଗାନା ଓ କର୍ଣ୍ଣାଟକ ଭଳି ରାଜ୍ୟରେ ନିଜର ନେଟୱର୍କ ଆରମ୍ଭ କରିଥିଲେ । ଗଞ୍ଜେଇ ବେପାରରେ ଲିପ୍ତ ଲୋକଙ୍କୁ ତରଳ ଗଞ୍ଜେଇର ବ୍ୟବହାର, ବିଦେଶରେ ଏହାର ଲୋକପ୍ରିୟତା, ଚୋରା ଚାଲାଣ ପାଇଁ ସୁବିଧା ଏବଂ ବିଶେଷ କରି ପ୍ରବଳ ଅର୍ଥ ଆୟର ବାଟ ବତାଇଥିଲେ । ଧୀରେ ଧୀରେ ଆନ୍ଧ୍ର, ତେଲଙ୍ଗାନା ଓ କର୍ଣ୍ଣାଟକରେ ‘ତରଳ ଗଞ୍ଜେଇ’ ଲାବୋରେଟାରୀ ଗଢ଼ି ଉଠିଲା । ବିଗତ ଏକ ବର୍ଷଧରି ଆନ୍ଧ୍ର ସରକାର ଏହା ବିରୋଧରେ ବଡ଼ଧରଣର ଚଢ଼ଉ ଅଭିଯାନ ଚଳାଇଥିବାରୁ ବେପାରର ସେଣ୍ଟର ପଏଣ୍ଟ ଓଡ଼ିଶାର କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଉଠି ଆସିଛି । ଓଡ଼ିଶା ସୀମା ଭିତରେ ଗଞ୍ଜେଇ ଚାଷ ଅଞ୍ଚଳରେ ଆନ୍ଧ୍ରର ବହୁ ସଂଖ୍ୟକ ବେପାରୀ ଆଦିବାସୀଙ୍କ ଦ୍ୱାରା ଏହି କାରବାର ଅନାୟାସରେ ଚଳାଇଛନ୍ତି ।

Also Read:-Diesel price hike : ମହଙ୍ଗା ଡିଜେଲରୁ ସଙ୍କଟ, ରାଜପଥରୁ ୧୯ ଲକ୍ଷ ଟ୍ରକ ଉଭାନ...

ନିଶାଦ୍ରବ୍ୟ କାରବାରକୁ ରୋକିବା ଦିଗରେ ଓଡ଼ିଶା ପୁଲିସର କୌଣସି ଉତ୍ସର୍ଗୀକୃତ ବିଭାଗ ନଥିବାରୁ ଏମାନଙ୍କୁ ଠାବ କରିବା ଅସୁବିଧା ହେଉଛି । ଏହା କୁହନ୍ତି ଆନ୍ଧ୍ର ‘ଇଗଲ୍’ (ଏଲିଟ ଆଣ୍ଟି-ନାର୍କୋଟିକ୍ସ ଗ୍ରୁପ ଫର ଲ’ ଏନଫୋର୍ସମେଣ୍ଟ)ର ଜଣେ ବରିଷ୍ଠ ଅଧିକାରୀ । ସେ କୁହନ୍ତି, ଓଡ଼ିଶା ପୁଲିସ କି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ‘ତରଳ ଗଞ୍ଜେଇ’ ବାବଦରେ ଅନଭିଜ୍ଞ । ଆଧୁନିକ ଯୁଗ କିମ୍ବା ଆନ୍ତର୍ଜାତିକ ବଜାରର ନିଶାଦ୍ରବ୍ୟକୁ ଠାବ କରିବା ବାବଦରେ ସେମାନେ ପ୍ରଶିକ୍ଷିତ ନୁହଁନ୍ତି । ଅବକାରୀ ବିଭାଗର କର୍ମଚାରୀମାନେ କେବଳ ଦେଶୀ ମଦ ଭାଟି ଖୋଜିବାରେ ବ୍ୟସ୍ତ । ସୂଚନାଯୋଗ୍ୟ ‘ଇଗଲ’ କେବଳ ନିଶ।। ଦ୍ରବ୍ୟ ନିପାତ ଅଭିଯାନ ପାଇଁ ଗଠିତ । ରାଜ୍ୟ ପୁଲିସର ଅନ୍ୟାନ୍ୟ ବିଭାଗ ସହିତ ଏହା ‘ଷ୍ଟେଟ୍ ଟାସ୍କ ଫୋର୍ସ’ ମାଧ୍ୟମରେ ସମନ୍ୱୟ ରଖିଥାଏ । ଓଡ଼ିଶାରେ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ଗଞ୍ଜେଇ ଚାଷ ହେଉଛି । ଏହି ଜିଲ୍ଲାରେ ଏହା ଏକ କୁଟୀର ଶିଳ୍ପ ପାଲଟିଛି । କିନ୍ତୁ ତରଳ ଗଞ୍ଜେଇକୁ ଏଠାକାର ଚାଷୀମାନେ ଆଦରି ନାହାନ୍ତି । ନିକଟରେ କନ୍ଧମାଳର କେତେକ ଗଞ୍ଜେଇ ବେପାରୀ କୋରାପୁଟ ଓ ଆନ୍ଧ୍ର ଯାଇ ଏ ବାବଦରେ ଜ୍ଞାନ ଆହରଣ କରିଥିବା ଶୁଣାଯାଉଛି । ଯଦି କନ୍ଧମାଳ ଜିଲ୍ଲାରେ ଏହାର ପ୍ରସ୍ତୁତି ଆରମ୍ଭ ହେବ ତେବେ କନ୍ଧମାଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରାଜପଥ ପାଶ୍ୱର୍ରେ ସବୁ ଦୋକାନରେ ଏହା ଆଗକୁ ଖୋଲାଖୋଲି ବିକ୍ରି ହେବା ଅସମ୍ଭବ ନୁହେଁ । କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏବେ ନକ୍ସଲ ଆତଙ୍କ ଶେଷ ହୋଇଯାଇଥିବାରୁ ଏହା ଗଞ୍ଜେଇ ବେପାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି । ସ୍ୱାଭିମାନ ଅଞ୍ଚଳରେ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ପ୍ରସ୍ତୁତ ହେଉଛି ବିପୁଳ ତରଳ ଗଞ୍ଜେଇ । ଚିନ୍ତାର ବିଷୟ ଏହାଯେ ଦେଶବିଦେଶର ନିଶା ବେପାରୀଙ୍କ ବରାଦ ଅନୁସାରେ ଏଠାରୁ ତାହାକୁ ଚାଲାଣ କରାଯାଉଛି । ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁ ଭଳି ସହରର ଆଭିଜାତ୍ୟ ଶ୍ରେଣୀର କ୍ଲବ ଗୁଡ଼ିକରେ ଏହାର ଚାହିଦା ରହିଛି । ଶ୍ରୀଲଙ୍କା, ମାଳଦ୍ୱୀପ, ମାଲେସିଆ, ଆଫଗାନିସ୍ତାନ ସମେତ ବିଭିନ୍ନ ପାଶ୍ଚାତ୍ୟ ଦେଶକୁ ତରଳ ଗଞ୍ଜେଇ ଚାଲାଣ ପାଇଁ ଏବେ ‘କେରଳ ସିଣ୍ଡିକେଟ’ ଦେଶରେ ସକ୍ରିୟ ରହିଛି ।