ଇନ୍ଦୋର: ମଧ୍ୟପ୍ରଦେଶ ଉଜ୍ଜୈନରେ ସିଂହସ୍ଥ ୨୦୨୮ ପ୍ରସ୍ତୁତି ମଧ୍ୟରେ ସଡ଼କ ଚୌଡା କରିବାଲାଗି କଣ୍ଠାଲ ମାର୍ଗରେ ଥିବା ଶାହି ମସଜିଦର ଅଂଶ ବାଧା ସୃଷ୍ଟି କରୁଛି। ଏଣୁ ଏହାକୁ ହଟାଇବା ପାଇଁ ସୋମବାର ବିବାଦୀୟ ପରିସ୍ଥିତି ଉପୁଜିଥିବା ବେଳେ ମାମଲାରେ ହାଇକୋର୍ଟଙ୍କ ରାୟ ମଧ୍ୟ ଆସିଯାଇଛି। ଉଜ୍ଜୈନର ଶାହି ମସଜିଦ ଉପରେ ନଗର ନିଗମ କାର୍ଯ୍ୟାନୁଷ୍ଠାନକୁ କୋର୍ଟ ଉଚିତ ବୋଲି କହିଥିବା ବେଳେ ଏ ନେଇ ମୁସ୍ଲିମ ପକ୍ଷର ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠରେ ବିଚାରପତି ଜଷ୍ଟିସ୍ ସୁବୋଧ ଅଭୟଙ୍କର ଓ ଜଷ୍ଟିସ୍ ଜୟ କୁମାର ପିଲ୍ଲାଇଙ୍କ ଯୁଗ୍ମ ପୀଠ ଭୋଜନଅବକାଶ ପରେ ମାମଲାର ଶୁଣାଣି କରି ମସଜିଦ ଭଙ୍ଗା କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶାହି ମସଜିଦର ଅଂଶ ହାଟାଇବା ବିରୋଧରେ ମସଜିଦ କମିଟି କୋର୍ଟଙ୍କ ଶରଣାପନ୍ନ ହୋଇଥିଲା। ମସଜିଦ ପକ୍ଷରୁ ଦାବି ହେଉଛି ଯେ ଏହା ପ୍ରାୟ ୧୦୦ ବର୍ଷ ପୁରୁଣା ଏକଐତିହାସିକ ଭବନ ଓ ଏହା ସମର୍ଥନରେ କାଗଜପତ୍ର ମଧ୍ୟ ମହଜୁଦ ଅଛି।

ତେବେ ପ୍ରାୟ ୧୫ ଦିନ ପୂର୍ବେ ସିଙ୍ଗଲ ଜଜ୍ କୋର୍ଟରେ ଆବେଦନ ଖାରଜ ହେବା ପରେ କମିଟି ଯୁଗ୍ମ ପୀଠରେ ସେମାନଙ୍କ ଆବେଦନ ରଖିଥିଲେ। ଏଥିରେ ମସଜିଦ ପକ୍ଷ ତର୍କ ଦେଇଥିଲେ ଯେ ସୁଗମ ଯାତାୟାତ ନିମନ୍ତେ ମସଜିଦ ପକ୍ଷରୁ ୧୯୭୫ ମସିହାରେ ରାସ୍ତା ପାଇଁ ଜମି ଦିଆଯାଇଥିଲା ଓ ଏହି ଜମି ଉପରେ ଏବେକା ୪୦ ଫୁଟ ଚୌଡା ସଡ଼କ ରହିଛି। ହେଲେ ଏବେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଉଜ୍ଜୈନ ନଗର ନିଗମ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଉପରେ ମୋହର ଲାଗିଛି।