ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀଙ୍କୁ ସାରା ଦୁନିଆ 'ଡ୍ରିମ୍ ଗର୍ଲ' (Dream Girl) ନାମରେ ଜାଣେ। କିନ୍ତୁ ପ୍ରଥମେ ପ୍ରଥମେ ସେ ଏହି ନାମ ପାଇଁ ବହୁତ ଦୁଃଖିତ ଏବଂ ନିରାଶ ହୋଇଥିଲେ। ଏନେଇ ଖୋଦ ହେମା ମାଳିନୀ ଖୁଲାସା କରିଛନ୍ତି । ଯେଉଁ ନାଁରେ ତାଙ୍କୁ ସାରା ଦୁନିଆ ଜାଣୁଛି, ସେଥିପାଇଁ ସେ ଦୁଃଖି କଣ ପାଇଁ ହୋଇଥିଲେ, ଆସନ୍ତୁ ଜାଣିବା ।

ହେମା ମାଳିନୀ କାହିଁକି ହୋଇଥିଲେ ଦୁଃଖିତ ?
ରିଆଲିଟି ସୋ 'ଇଣ୍ଡିଆନ୍ ଆଇଡଲ୍'ର ଏକ ବିଶେଷ ଅଧ୍ୟାୟରେ ଯୋଗଦେଇ ନିଜ ପୁରୁଣା ଦିନର ସ୍ମୃତି ମନେ ପକାଇ ହେମା ମାଳିନୀ ବଡ଼ ଖୁଲାସା କରିଛନ୍ତି। ସାଧାରଣତଃ ଲୋକମାନେ ଭାବନ୍ତି ଯେ, ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କର ସୁପରହିଟ୍ ଫିଲ୍ମ 'ଡ୍ରିମ୍ ଗର୍ଲ' ଯୋଗୁଁ ତାଙ୍କୁ ଏହି ନାମ ମିଳିଥିଲା। କିନ୍ତୁ ପ୍ରକୃତ କଥା ତାହା ନୁହେଁ। ଯେତେବେଳେ ହେମା ମାଳିନୀଙ୍କ ପ୍ରଥମ ଫିଲ୍ମ 'ସପ୍ନୋ କା ସୌଦାଗର' ମୁକ୍ତିଲାଭ କରିବାକୁ ଯାଉଥିଲା, ସେତେବେଳେ ଫିଲ୍ମର ପ୍ରଯୋଜକ (Producer) ତାଙ୍କୁ ଏବଂ ତାଙ୍କ ପରିବାରକୁ ମୁମ୍ବାଇ ସହର ବୁଲାଇବା ସହ ଫିଲ୍ମର ପ୍ରଚାର ବା ପବ୍ଲିସିଟି ଦେଖାଇବାକୁ ନେଇଥିଲେ। 

ହେମା ବହୁତ ଖୁସି ଥିଲେ ଯେ, ବଡ଼ ବଡ଼ ହୋର୍ଡିଂ ବା ପୋଷ୍ଟରରେ ତାଙ୍କ ଫଟୋ ଓ ନାମ ଥିବ। କିନ୍ତୁ ଯେତେବେଳେ ସେ ପୋଷ୍ଟର ଦେଖିଲେ, ସେଥିରେ କେବଳ ଲେଖାଥିଲା 'ଡ୍ରିମ୍ ଗର୍ଲ କମିଂ' । ସେହି ପୋଷ୍ଟରରେ ତାଙ୍କ ନିଜ ନାମ 'ହେମା ମାଳିନୀ' କେଉଁଠି ହେଲେ ବି ଲେଖା ନଥିଲା। ଏହା ଦେଖି ସେ ବହୁତ  ଚିନ୍ତିତ ହୋଇପଡ଼ିଥିଲେ।

ନିଜ ନାମ ନଥିବାରୁ ହେମା ମାଳିନୀ ବିରକ୍ତ ଓ ଦୁଃଖିତ ହେବା ଦେଖି ଫିଲ୍ମର ପ୍ରଯୋଜକ ତାଙ୍କୁ ବୁଝାଇଥିଲେ। ସେ କହିଥିଲେ, ଏହି ନାମ (ଡ୍ରିମ୍ ଗର୍ଲ) ସାରା ଜୀବନ ତୁମ ସହିତ ରହିବ। ଏହାକୁ ତୁମଠାରୁ କେହି ଛଡ଼ାଇ ନେଇପାରିବେ ନାହିଁ। ଚଳଚ୍ଚିତ୍ର ଜଗତରେ ତୁମର ପରିଚୟ ଏହି 'ଡ୍ରିମ୍ ଗର୍ଲ' ଭାବରେ ହିଁ ହେବ। ପ୍ରଯୋଜକଙ୍କ କଥା ସତ ପ୍ରମାଣିତ ହେଲା। 'ସପ୍ନୋ କା ସୌଦାଗର' ଫିଲ୍ମ ପରେ ହେମା ମାଳିନୀ ଯେତେ ଯେତେ ନୂଆ ଚଳଚ୍ଚିତ୍ର କଲେ, ସେ ସବୁଥିରେ ସଫଳ ହେଲେ ଏବଂ ଏହି 'ଡ୍ରିମ୍ ଗର୍ଲ' ନାମଟି ଦର୍ଶକଙ୍କ ମଧ୍ୟରେ ଅଧିକରୁ ଅଧିକ ଲୋକପ୍ରିୟ ହେବାକୁ ଲାଗିଲା।

ଏହି ନାମଟି ସାରା ଦେଶରେ ଏତେ ପ୍ରସିଦ୍ଧ ହୋଇଗଲା ଯେ, ପରବର୍ତ୍ତୀ ସମୟରେ ହେମା ମାଳିନୀଙ୍କ ମାଆ ଏବଂ ସେହି ସମୟର ଚଳଚ୍ଚିତ୍ର ନିର୍ମାତାମାନେ ମିଶି ଏକ ସ୍ୱତନ୍ତ୍ର ସିନେମା ତିଆରି କଲେ ଏବଂ ତାହାର ଟାଇଟଲ ରଖିଲେ 'ଡ୍ରିମ୍ ଗର୍ଲ'। ଏହିପରି ଭାବରେ, ଯେଉଁ ନାମ ପାଇଁ ଦିନେ ଜଣେ ନବାଗତା ଅଭିନେତ୍ରୀ ଭାବେ ହେମା ମାଳିନୀ ମନ ଦୁଃଖ କରିଥିଲେ, ସେହି ନାମ ହିଁ ପରବର୍ତ୍ତୀ ସମୟରେ ତାଙ୍କ ଜୀବନର ସବୁଠାରୁ ବଡ଼ ପରିଚୟ ପାଲଟିଗଲା।