LIVE TV

ଦଶହରାକୁ ଭିଜାଇବ ବର୍ଷା, ଆସୁଛି ଦୁଇଟି ଲଘୁଚାପ, ଧୋଇ ଦେବ ପୂଜା ବଜାର

NEWS7
rain

ଭୁବନେଶ୍ୱର ୨୨।୦୯ : ଦଶହରାକୁ ଭିଜାଇବ ବର୍ଷା । ଖାଲି ସପ୍ତମୀ କି ଅଷ୍ଟମୀ ନୁହେଁ, ଦଶହରାରେ ବି ଅଧିକ ବର୍ଷା  ହୋଇପାରେ । ମିଆଁମାରରେ ସୃଷ୍ଟି  ଲଘୁଚାପ ୩୦ ତାରିଖ ବେଳକୁ ଓଡ଼ିଶା ଉପକୂଳ ବଙ୍ଗୋପସାଗରକୁ ଆସିପାରେ । ୨ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳ ପାଖରେ ରହିବ ବୋଲି ଜିଏଫଏସ୍‌ ମଡେଲ ଆକଳନ କରିଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗ ଆକଳନ ଅନୁସାରେ, ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ଘଣ୍ଟା  ଭିତରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା  ପ୍ରଭାବରେ ସୋମବାର କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମକନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି।

୨୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ଏହା ପ୍ରଭାବରେ ୨୭ ତାରିଖ ଯାଏ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୨୩ ଓ  ୨୪ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ  ପ୍ରବଳ ବର୍ଷା ସମ୍ଭାବନା ଅଛି। ୨୫ରୁ ୨୭ ଯାଏ ଦକ୍ଷିଣ  ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  କହିଛନ୍ତି, ୨୪ ବା ୨୫ ତାରିଖରେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ ।

୨୬ରେ ଏହା ଗୋପାଳପୁର ଓ ବିଶାଖପାଟଣା ମଝିରେ ଉପକୂଳ ଛୁଇଁବ । ଏହା ଅବପାତ  ରୂପ ନେବ । ରାଜ୍ୟରେ ୨୩ ତାରିଖ ଯାଏ ବର୍ଷା ଲାଗି  ରହିବ । ୨୪ରୁ ବର୍ଷା ବଢ଼ିବ । ୨୫ରୁ ଭାରୀ ବର୍ଷା ହେବ ।  ଜିଏଫ୍‌ଏସ୍‌ ମଡେଲ ଆକଳନ କହୁଛି, ଚାଇନା ସାଗରରେ  ଏକ ଲଘୁଚାପ ହୋଇଛି । ଏହା ଗଭୀର ଅବପାତ ରୂପ  ନେବ । ୩୦ରେ ଏହାର କିଛି ଅଂଶବିଶେଷ ମିଆଁମାରରେ  ପହଞ୍ଜି ଓଡ଼ିଶା ଉପକୂଳକୁ ମୁହାଁଇବ । କିନ୍ତୁ ଅନ୍ୟ ମଡେଲ  ଏହି ପୂର୍ବାନୁମାନ କରିନାହାନ୍ତି । ୨୬ ବା ୨୭ରେ ବାତ୍ୟା  ସ୍ଥିତି ସୃଷ୍ଟି ପାଇଁ ପାଗ ଅନୁକୂଳ ରହିଛି ବୋଲି ଆଇଏମଡି  ବୁଲେଟିନ୍‌ରେ ଆକଳନ କରିଛି । କିନ୍ତୁ ୨୪ ଓ ୨୫ ତାରିଖ  ବେଳକୁ ଏହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।