ନୂଆଦିଲ୍ଲୀ: କେନ୍ଦ୍ରୀୟ ନିର୍ବାଚନ ଆୟୋଗ (CEC) ର ମୁଖ୍ୟ ଜ୍ଞାନେଶ କୁମାରଙ୍କୁ ନେଇ ଦେଶବ୍ୟାପୀ ରାଜନୀତି ତେଜିଥିବା ବେଳେ, କେରଳର ପୂର୍ବତନ ମୁଖ୍ୟ ଶାସନ ସଚିବ ଜିଜି ଥମସନଙ୍କ ଏକ ସାଂଘାତିକ ମନ୍ତବ୍ୟ ସାମ୍ନାକୁ ଆସିଛି। ଜ୍ଞାନେଶ କୁମାର ତାଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ କେରଳର ପଥନମଥିଟ୍ଟା ଆସନରୁ ବିଜେପି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଥିବା ନେଇ ଥମସନ୍ ପ୍ରକାଶ କରିଛନ୍ତି। ଜ୍ଞାନେଶ କୁମାର ନିଜେ କେରଳ କ୍ୟାଡରର ଜଣେ ଆଇଏଏସ୍ (IAS) ଅଫିସର ଥିଲେ ଏବଂ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ବିଷୟରେ ଖୋଲାଖୋଲି ପ୍ରଶଂସା କରୁଥିଲେ ବୋଲି ଥମସନ୍‌ କହିଛନ୍ତି । 

ଥମସନ୍‌ ଆହୁରି କହିଛନ୍ତି, ୨୦୧୫-୧୬ ମସିହାରେ ସେ କେରଳର ମୁଖ୍ୟ ଶାସନ ସଚିବ ଥିବା ସମୟରେ, ଦିଲ୍ଲୀ ଯାଉଥିବା ଏକ ବିମାନ ଯାତ୍ରା ସମୟରେ ଜ୍ଞାନେଶ ତାଙ୍କୁ ରାଜନୀତିରେ ଯୋଗଦେବା ପାଇଁ ବୁଝାଇବାକୁ ଚେଷ୍ଟା କରିଥିଲେ, ମାତ୍ର  ସଙ୍ଗେ ସଙ୍ଗେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। SIR ଏବଂ ନିଜର ଏକଚାଟିଆ କାର୍ଯ୍ୟଶୈଳୀକୁ ନେଇ ଜ୍ଞାନେଶ କୁମାର ବର୍ତ୍ତମାନ ବିରୋଧୀ ଦଳଗୁଡ଼ିକର କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଅନ୍ୟ ଦୁଇଜଣ ନିର୍ବାଚନ ଆୟୁକ୍ତ ଜ୍ଞାନେଶଙ୍କ ନିଷ୍ପତ୍ତି ବିରୋଧରେ ଆପତ୍ତି ଉଠାଇଥିବା ନେଇ ଏକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇବା ପରେ, ତାଙ୍କର ଇସ୍ତଫା ଦାବି କରି ବିରୋଧୀ ଦଳଗୁଡ଼ିକ ଦେଶବ୍ୟାପୀ ପ୍ରତିବାଦ ଆରମ୍ଭ କରିଛନ୍ତି। 

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପରାମର୍ଶକୁ ଏଡ଼ାଇ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବରେ ନିଯୁକ୍ତି ଦେଇଛନ୍ତି। ଫେବ୍ରୁଆରୀ ୨୦୨୫ରେ ଦେଶର ୨୬ତମ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜ୍ଞାନେଶ କୁମାର, ଆଇଆଇଟି କାନପୁରରୁ ବି-ଟେକ୍ (BTech) ସାରିବା ପରେ ୧୯୮୮ ବ୍ୟାଚ୍‌ର ଆଇଏଏସ୍ ଅଫିସର ହୋଇଥିଲେ।

 କେରଳରେ ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଜିଲ୍ଲା କଲେକ୍ଟର, ବିଭିନ୍ନ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ଅର୍ଥ ଓ PWD ସଚିବ ଭାବେ ସେବା ଯୋଗାଇଥିଲେ। ତେବେ ବିଶ୍ୱବ୍ୟାଙ୍କ ଅନୁଦାନପ୍ରାପ୍ତ ଏକ ରାସ୍ତା ନିର୍ମାଣ ପ୍ରକଳ୍ପରେ ଗୁରୁତର ଦୁର୍ନୀତି ଅଭିଯୋଗ ଆସିବା ପରେ ତାଙ୍କୁ PWD ସଚିବ ପଦରୁ ହଟାଯାଇଥିଲା । ଏହା ପରେ ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଦିଲ୍ଲୀ ଚାଲିଯାଇଥିଲେ। ଏବେ ଏକ ସାମ୍ବିଧାନିକ ପଦବୀରେ ଥିବା ବେଳେ, ତାଙ୍କର ନିରପେକ୍ଷତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।