ନୂଆଦିଲ୍ଲୀ: ଆମ ଥାଳିରେ ପରସା ଯାଉଥିବା ଫଳ ଏବଂ ପନିପରିବା କେତେ ସୁରକ୍ଷିତ ? ସେ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ । ନିକଟରେ ସରକାର ଲୋକସଭାରେ ତଥ୍ୟ ଉପସ୍ଥାପନ କରି ଦେଶରେ ଖାଦ୍ୟ ସୁରକ୍ଷା, କୃଷି ଉତ୍ପାଦନ ଏବଂ ବ୍ୟବସାୟର ପ୍ରକୃତ ସ୍ଥିତି ସାମ୍ନାକୁ ଆଣିଛନ୍ତି ।

ଲୋକସଭାରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦେଇଥିବା ସୂଚନା ଅନୁସାରେ, ଗତ ତିନି ବର୍ଷରେ (୨୦୨୩-୨୪ରୁ ୨୦୨୫-୨୬) ଜାତୀୟ ସ୍ତରରେ ୭୦,୬୫୨ଟି ନମୁନା ପରୀକ୍ଷା କରାଯାଇଥିଲା । ଏଥିମଧ୍ୟରୁ କେବଳ ୩.୧% (୨,୨୨୩ ନମୁନା)ରେ କୀଟନାଶକର ଅବଶିଷ୍ଟାଂଶ FSSAI ଦ୍ୱାରା ନିର୍ଦ୍ଧାରିତ ସୁରକ୍ଷିତ ସୀମା ଅର୍ଥାତ୍ ଏମଆରଏଲ (Maximum Residue Limit) ରୁ ଅଧିକ ମିଳିଛି ।

ତେବେ ଏହାର ଅର୍ଥ ଏହା ନୁହେଁ ଯେ ବଜାରର ସବୁ ପନିପରିବା ବିଷାକ୍ତ । ୯୬.୯% ନମୁନା ସୁରକ୍ଷିତ ମିଳିଛି । ୨୦୦୫ରୁ ଚାଲିଆସୁଥିବା ଏହି ନରୀକ୍ଷଣ ବ୍ୟବସ୍ଥାରେ ଜିପିଏସ ଲୋକେସନ୍ ଜରିଆରେ ଜମି ପର୍ଯ୍ୟନ୍ତ ଟ୍ରାକିଂ କରାଯାଉଛି, ଯାହାଦ୍ୱାରା ସୁରକ୍ଷିତ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ଦିଆଯାଇପାରିବ ।

ଭାରତ ଫଳ ଏବଂ ପନିପରିବାର ଏକ ପ୍ରମୁଖ ରପ୍ତାନିକାରୀ ହୋଇ ରହିଛି । ୨୦୧୬-୧୭ ବର୍ଷରେ ରପ୍ତାନି ୨.୪୫ ବିଲିୟନ୍ ଡଲାର (୨୪୫ କୋଟି ଡଲାର) ଥିଲା, ୨୦୨୫-୨୬ରେ ତାହା ବୃଦ୍ଧି ପାଇ ୩.୯୩ ବିଲିୟନ୍ ଡଲାର (ପ୍ରାୟ ୫୮.୨ ଲକ୍ଷ ଟନ୍) ହୋଇଛି । ଘରୋଇ ଚାହିଦା ବୃଦ୍ଧି ହେତୁ ଆମଦାନୀ ମଧ୍ୟ ୧.୭୮ ବିଲିୟନ୍ ଡଲାରରୁ ବୃଦ୍ଧି ପାଇ ୩.୮୨ ବିଲିୟନ୍ ଡଲାରରେ ପହଞ୍ଚିଛି ।

ଫସଲ ଉତ୍ପାଦନର ସଠିକ୍ ଆକଳନ ପାଇଁ 'ଡିଜିଟାଲ୍ ଜେନେରାଲ୍ କ୍ରପ୍ ଏଷ୍ଟିମେସନ୍ ସର୍ଭେ' ଏବେ ୨୩ଟି ରାଜ୍ୟରେ ଲାଗୁ ହୋଇଛି । ଏଥିରେ ଫସଲ କାଟିବା ତଥ୍ୟ ମୋବାଇଲ୍ ଆପ୍ ଏବଂ ଜିପିଏସ ଫଟୋ ସହିତ ରେକର୍ଡ କରାଯାଉଛି । ସବୁ ପକ୍ଷର ପରାମର୍ଶ ପରେ ସରକାର 'ଡ୍ରାଫ୍ଟ ସୁଗାର୍ସ ଅର୍ଡର, ୨୦୨୬' କୁ ପ୍ରତ୍ୟାହାର କରି ନେଇଛନ୍ତି ।

ଖାଇବା ତେଲର ଆମଦାନୀ କମାଇବା ପାଇଁ ଆରମ୍ଭ କରାଯାଇଥିବା ଜାତୀୟ ମିଶନ୍ ଅଧୀନରେ ଏପର୍ଯ୍ୟନ୍ତ ୨.୯୮ ଲକ୍ଷ ହେକ୍ଟର ଜମିରେ ପାମ୍ ଅଏଲ୍ ଚାଷ ଆରମ୍ଭ ହୋଇଛି । ଏହାର ପରିଣାମ ଆଗାମୀ ୪-୫ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଉତ୍ପାଦନ ସହିତ ଦେଖିବାକୁ ମିଳିବ ।

ସେହିପରି ୨୦୨୫-୨୬ ବର୍ଷରେ ଭାରତ ୯.୦୫ ଲକ୍ଷ ଟନ୍ ରବର ଉତ୍ପାଦନ କରିଥିବା ବେଳେ ୪.୫୯ ଲକ୍ଷ ଟନ୍ ଆମଦାନୀ କରିବାକୁ ପଡ଼ିଛି । ଅନ୍ତର୍ଜାତୀୟ ବଜାରର ପ୍ରଭାବ ହେତୁ ରବରର ହାରାହାରି ମୂଲ୍ୟ କିଲୋପ୍ରତି ୧୯୭ରୁ ବୃଦ୍ଧି ପାଇ ୨୫୩ ଟଙ୍କାରେ ପହଞ୍ଚିଛି ।

ଏହି ତଥ୍ୟରୁ ସ୍ପଷ୍ଟ କରୁଛି ଯେ ସରକାରଙ୍କ ଲକ୍ଷ୍ୟ କେବଳ କୀଟନାଶକର ବ୍ୟବହାର ରୋକିବା ଉପରେ ନୁହେଁ, ବରଂ ସୁରକ୍ଷିତ ଉତ୍ପାଦନ, ଡିଜିଟାଲ୍ ନରୀକ୍ଷଣ ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ଉପରେ ରହିଛି ।